ମୁମ୍ବାଇ ବିସ୍ଫୋରଣ ମାମଲାରେ ଦୋଷୀ ଥିବା ଯୋଗୁଁ ସଞ୍ଜୟ ଦତ୍ତଙ୍କୁ ନ ମିଳିପାରେ ଆମେରିକା ଭିସା, ଚିକିତ୍ସା ପାଇଁ ଯାଇପାରନ୍ତି ସିଙ୍ଗାପୁର

Published By : Prameya-News7 Bureau | August 12, 2020 IST

ମୁମ୍ବାଇ ୧୨/୦୮ : ମଙ୍ଗଳବାର ରାତିରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଫୁସଫୁସ କ୍ୟାନସର ହୋଇଥିବା ସୂଚନା ସାମ୍ନାକୁ ଆସିଥିଲା | ଏହାପରେ ସେ ଚିକିତ୍ସା ପାଇଁ ଆମେରିକା ଯାଇପାରନ୍ତି ବୋଲି ଲଗାତାର ଖବର ଆସୁଥିଲା | କିନ୍ତୁ ଏବିପି ନ୍ୟୁଜ ଖବର ଅନୁଯାୟୀ, ସଞ୍ଜୟ ଦତ୍ତଙ୍କ ପାଖରେ ଆମେରିକା ଭିସା ନାହିଁ | ସେଥିପାଇଁ ଚିକିତ୍ସା ପାଇଁ ଆମେରିକା ଯିବା ତାଙ୍କ ପାଇଁ ସମ୍ଭବ ଜଣାପଡ଼ୁନାହିଁ | ତେବେ ଚିକିତ୍ସା ପାଇଁ ଆମେରିକା ଭିସା ହାସଲ କରିବା ପାଇଁ ସେ ଚେଷ୍ଟା କରୁଛନ୍ତି ବୋଲି ଜଣାପଡିଛି |

ଇତି ମଧ୍ୟରେ ଜଣାପଡିଛି ଯେ, ସଞ୍ଜୟ ଦତ୍ତ ଚିକିତ୍ସା ପାଇଁ ଆମେରିକା ମେମୋରିଆଲ ସ୍ଲୋଆନ କେଟରିଂ କ୍ୟାନସର ହସ୍ପିଟାଲ ଯାଇପାରନ୍ତି | କିନ୍ତୁ ସଞ୍ଜୟ ଦତ୍ତଙ୍କ ପାଖରେ ଆମେରିକା ଭିସା ନାହିଁ ଏବଂ ସେ ମୁମ୍ବାଇ ବିସ୍ଫୋରଣ ମାମଲାରେ ଦୋଷୀଙ୍କ ମଧ୍ୟରେ ସାମିଲ ଅଛନ୍ତି | ସେଥିପାଇଁ ମେଡିକାଲ ଗ୍ରାଉଣ୍ଡରେ ସଞ୍ଜୟ ଦତ୍ତଙ୍କ ଆମେରିକା ଭିସା ପାଇଁ ଚେଷ୍ଟା କରାଯାଉଛି | କିନ୍ତୁ ଆମେରିକାର କଡା ଆଇନକୁ ଦୃଷ୍ଟିରେ ରଖି ଯଦି ତାଙ୍କୁ ଆମେରିକାରେ ଚିକିତ୍ସା ପାଇଁ ଅନୁମତି ନମିଳେ ତାହେଲେ ସେ ସିଙ୍ଗାପୁର ଯାଇପାରନ୍ତି | ସିଙ୍ଗାପୁର ତାଙ୍କ ପାଇଁ ଆଉ ଏକ ବିକଳ୍ପ | କିନ୍ତୁ ଏହାକୁ ନେଇ ପରିବାର ତରଫରୁ କିଛି ସ୍ପଷ୍ଟ ହୋଇନାହିଁ |

{"id":313417,"sizeSlug":"large"}

ସଞ୍ଜୟ ଦତ୍ତ ଥାର୍ଡ଼ ଷ୍ଟେଜ ଫୁସଫୁସ କ୍ୟାନସରରେ ପୀଡିତ ଥିବା ଜାଣିବା ପରେ ତାଙ୍କ ପତ୍ନୀ ମାନ୍ୟତା ନିଜର ଦୁଇ ପୁଅ ଝିଅଙ୍କୁ ନେଇ ଏକ ସ୍ପେଶାଲ ବିମାନରେ ଦୁବାଇରୁ ମୁମ୍ବାଇ ଆସିଛନ୍ତି | ମାନ୍ୟତା ମାର୍ଚ୍ଚ ମାସରୁ ଲକଡାଉନ ଯୋଗୁଁ ଦୁବାଇରେ ଫସି ରହିଥିଲେ | କିନ୍ତୁ ସଞ୍ଜୟ ଦତ୍ତଙ୍କ କ୍ୟାନସର ଖବର ଶୁଣି ସେ ତୁରନ୍ତ ମୁମ୍ବାଇ ଆସି ପହଞ୍ଚିଛନ୍ତି |

ସୂଚନାଯୋଗ୍ୟ ଯେ, କ୍ୟାନସର ପାଇଁ ଆମେରିକାର ବିଶ୍ୱ ପ୍ରସିଦ୍ଧ ମେମୋରିଆଲ ସ୍ଲୋଆନ କେଟରିଂ କ୍ୟାନସର ହସ୍ପିଟାଲରେ ୧୯୮୦ ମସିହାରେ ସଞ୍ଜୟଙ୍କ ମା' ନର୍ଗିସ ଦତ୍ତଙ୍କ ଚିକିତ୍ସା ହୋଇଥିଲା | କିନ୍ତୁ ୧୯୮୧ ମସିହାରେ ମୁମ୍ବାଇ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ନିଧନ ହୋଇଥିଲା | ସଞ୍ଜୟ ଦତ୍ତଙ୍କ ପ୍ରଥମ ପତ୍ନୀ ରିଚା ଶର୍ମାଙ୍କୁ ମଧ୍ୟ କ୍ୟାନସର ଥିଲା ଏବଂ ବିବାହର ଦୁଇ ବର୍ଷ ପରେ ୧୯୮୭ ମସିହାରେ କ୍ୟାନସର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.