କଦଳୀରୁ ତିଆରି ହେଲା ସାନିଟାରୀ ପ୍ୟାଡ : ୧୨୨ଥର କରିପାରିବେ ବ୍ୟବହାର, ଦୁଇଟିକୁ ୧୯୯ଟଙ୍କା
21/08/2019 at 1:25 PM

ନୂଆଦିଲ୍ଲୀ ୨୧/୮: ସାନିଟାରୀ ପ୍ୟାଡ ଯୋଗୁଁ ଏବେ ପରିବେଶ ପ୍ରଦୂଷିତ ହେବ ନାହିଁ। ଆଇଆଇଟି ଦିଲ୍ଲୀର ଦୁଇ ଜଣ ଛାତ୍ର କଦଳୀର ଫାଇବରରୁ ସାନିଟାରୀ ପ୍ୟାଡ ପ୍ରସ୍ତୁତ କରିଛନ୍ତି। ଏହି ପ୍ୟାଡକୁ ୧୨୨ଥର ଧୋଇ ୨ବର୍ଷ ଯାଏଁ ବ୍ୟବହାର କରାଯାଇ ପାରିବ। ବାରମ୍ବାର ବ୍ୟବହାର କରିବା ସତ୍ବେ ଏଥିରୁ କୌଣସି ସଂକ୍ରମଣର ଆଶଙ୍କା ନାହିଁ। ଗୋଟିଏ ସାନିଟାରି ପ୍ୟାଡ ୧୦୦ଟଙ୍କାରେ ଉପଲବ୍ଧ ହେବ।

ଆଇଆଇଟି ଦିଲ୍ଲୀର ବିଟେକ୍ ଚତୁର୍ଥ ବର୍ଷର ଛାତ୍ର ଅର୍ଚ୍ଚିତ ଅଗ୍ରଓ୍ବାଲ ଏବଂ ହ୍ୟାରୀ ସହରାଓ୍ବତ ବିଭାଗୀୟ ପ୍ରଫେସରଙ୍କ ଅଧ୍ୟକ୍ଷତାରେ ଏହି ସାନିଟାରୀ ପ୍ୟାଡ ପ୍ରସ୍ତୁତ କରିବାରେ ସଫଳତା ହାସଲ କରିଛନ୍ତି। ଛାତ୍ର ଦୁହେଁ ସାମ୍ଫେ ନାମରୁ ଷ୍ଟାର୍ଟଅପ୍ କରିଛନ୍ତି। ଏହି ଷ୍ଟାର୍ଟଅପ୍ ଜରିଆରେ ଏହି ସାନିଟାରୀ ପ୍ୟାଡକୁ ପ୍ରସ୍ତୁତ କରାଯାଇଛି।

ଆଇଆଇଟିର ଡିଜାଇନ୍ ବିଭାଗର ସହାୟକ ପ୍ରଫେସର ଉଭୟ ଛାତ୍ରଙ୍କ ଉଦ୍ଭାବନକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ମହିଳାଙ୍କ ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତାରେ ଏହି ଉଦ୍ଭାବନ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଏହାକୁ ପ୍ରସ୍ତୁତ କରିବାରେ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏହାର ପେଟେଣ୍ଟ କରାଯାଇଛି।

ଉଭୟ ଛାତ୍ରଙ୍କ କହିବାନୁସାରେ, ଚାରି ପରସ୍ତରେ ପ୍ରସ୍ତୁତ କରାଯାଇଥିବା ଏହି ସାନିଟାରୀ ପ୍ୟାଡ ପ୍ରସ୍ତୁତ କରିବା ପାଇଁ ପଲିଷ୍ଟର ପିଲିଙ୍ଗ,କଦଳୀର ଫାଇବର ଏବଂ କର୍ଟନ୍ ପଲିୟୁରେଥେନ୍ ଲେମିନେଟର ବ୍ୟବହାର କରାଯାଇଛି। କଦଳୀର ଯେଉଁ ଡେମ୍ଫକୁ ଆମେ ଫିଙ୍ଗି ଦେଇଥାଉତାହା ଭିତରୁ ଫାଇବରକୁ ବାହାର କରି ମେସିନରେ ଶୁଖାଯାଇଛି।
ଏହି ଫାଇବର ଉପରେ ପଲିଷ୍ଟର ପିଲିଙ୍ଗର ବ୍ୟବହାର କରାଯାଇଥିଲା ଯାହା ଆର୍ଦ୍ରତାକୁ ଶୋଷଣ କରିଥାଏ। ଏହା ପରେ ଲିକେଜ ରୋକିବା ପାଇଁ କଟନ ପଲିୟୁରେଥେନ୍ ରେ ଏହାକୁ ଲେମିନେଟ କରାଯାଇଛି। ଅନ୍ୟ ପ୍ୟାଡରେ ପ୍ଲାଷ୍ଟିକ୍ ଏବଂ ସିନ୍ଥେଟିକ୍ ପ୍ରୟୋଗ କରାଯାଇଥାଏ,ଯାହା ଦ୍ବାରା ପରିବେଶ ପ୍ରଦୂଷିତ ହୋଇଥାଏ।
ଅର୍ଚ୍ଚିତଙ୍କ କହିବାନୁସାରେ,ଏହି ସାନିଟାରୀ ପ୍ୟାଡ ଅନଲାଇନ ସହ ବଜାରରେ ମଧ୍ୟ ଉପଲବ୍ଧ ହେବ। ଗୋଟିଏ ପ୍ୟାକେଟରେ ଦୁଇଟି ପ୍ୟାଡ ରହିବ,ଯାହା ୧୯୯ଟଙ୍କାରେ ମିଳିବ। ମହିଳାମାନେ ଏହି ପ୍ୟାଡକୁ ଥଣ୍ଡା ପାଣିରେ ଧୋଇ ୨ବର୍ଷ ଯାଏଁ ବ୍ୟବହାର କରି ପାରିବେ।
ତାଙ୍କ କହିବାନୁସାରେ, ଅକ୍ଷୟ କୁମାରଙ୍କ ‘ପ୍ୟାଡମ୍ୟାନ’ ଫିଲ୍ମରୁ ସାଧାରଣ ମହିଳା ସାନିଟାରୀ ପ୍ୟାଡର ବ୍ୟବହାର ପ୍ରତି ସଚେତନ ହୋଇଥିଲେ,କିନ୍ତୁ ପରିବେଶ ପ୍ରଦୂଷଣର କୌଣସି ସମାଧାନ ହୋଇନଥିଲା। କାରଣ ସାମାନ୍ୟ ସାନିଟାରୀ ପ୍ୟାଡରେ ପ୍ଲାଷ୍ଟିକ୍ ଏବଂ ସିନ୍ଥେଟିକର ପ୍ରୟୋଗ କରାଯାଇଥାଏ।
ସାନିଟାରୀ ପ୍ୟାଡ ବ୍ୟବହାର କରିବାପରେ ଫିଙ୍ଗି ଦିଆଯାଇଥାଏ,ଏହାକୁ ନଷ୍ଟ ହେବାକୁ ୫୦ରୁ ୬୦ବର୍ଷ ଲାଗିଥାଏ। ଏହା ଦ୍ବାରା ନାଳ,ଖାଲିସ୍ଥାନ ବ୍ଲକ୍ ହେବା ସହ ମାଟି ଦୂଷିତ ହୋଇଥାଏ। ଏପରି ସାନିଟାରୀ ପ୍ୟାଡକୁ ପୋଡ଼ିବା ଦ୍ବାରା ହାନିକାରକ ଧୂଆଁ ବାହାରିଥାଏ,ଯାହା ବାୟୁମଣ୍ଡଳକୁ ଦୂଷିତ କରିଥାଏ। ଭାରତରେ ପାଖାପାଖି ୩୩୬ ମିଲିୟନ ମହିଳାଙ୍କ ମଧ୍ୟରେ ୩୬ପ୍ରତିଶତ ୧୨୧ମିଲିୟନ ଡିସପୋଜେବଲ ସାନିଟାରୀ ପ୍ୟାଡ ବ୍ୟବହାର କରିଥାଆନ୍ତି।