କଂଗ୍ରେସ ପ୍ରାର୍ଥୀ ଅଜିତ୍‌ଙ୍କ ଦେହାନ୍ତରେ ପିପିଲି ଉପ ନିର୍ବାଚନ ପାଇଁ ଘୋଷଣା ହେବ ସାନି ତାରିଖ : ସିଇଓ

Published By : Prameya-News7 Bureau | April 14, 2021 IST

ଭୁବନେଶ୍ଵର ୧୪।୦୪: କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ଉପ ନିର୍ବାଚନ ଉପରେ ଗ୍ରହଣ ଲାଗିଛି। ବୁଧବାର କରୋନାରେ ସଂକ୍ରମିତ ଅଜିତ୍‌ଙ୍କ ପରଲୋକ ଘଟିଛି। ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କଂଗ୍ରେସ ନେତା ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତ ପରେ ପିପିଲି ଉପ ନିର୍ବାଚନ ପାଇଁ ସାନି ତାରିଖ ନିର୍ଦ୍ଧାରଣ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ କହିଛନ୍ତି ଯେ, ପ୍ରାର୍ଥୀଙ୍କ ଦେହାନ୍ତ ସଂପର୍କରେ ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟକୁ ଅପେକ୍ଷା କରିଛୁ। ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ମିଳିବା ପରେ ଏହାକୁ ନିର୍ବାଚନ କମିଶନଙ୍କୁ ପଠାଯିବ। ନିର୍ବାଚନ ଆୟୋଗ ନିର୍ବାଚନ ନେଇ ସାନି ତାରିଖ ଘୋଷଣା କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ଦଳକୁ ନୂଆ ପ୍ରାର୍ଥୀ ଦେବାକୁ ସୁଯୋଗ ଦିଆଯିବ।

ସୂଚନାଯୋଗ୍ୟ, ନିର୍ବାଚନ ପ୍ରଚାର ସମୟରେ ଏପ୍ରିଲ ୭ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ଅସୁସ୍ଥ ହୋଇଥିଲେ।  ୧୦ ତାରିଖରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ଅଜିତ୍‌ଙ୍କ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଅଜିତ୍‌ଙ୍କ ପରଲୋକ ଘଟିଛି। ତାଙ୍କ ନିଧନ ଏବେ ପିପିଲି ଉପ ନିର୍ବାଚନକୁ ଶକ୍ତ ଝଟକା ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.