ସ୍ତ୍ରୀ ଜିତିଲେ, ସ୍ବାମୀ ହାରିଲେ : ଭାଙ୍ଗିଗଲା ବିଜେପିର ପାଟଣାଗଡ ଦୁର୍ଗ, କନକବର୍ଦ୍ଧନଙ୍କୁ ଝଟ୍‌କା

Published By : Prameya-News7 Bureau | May 24, 2019 IST

ଭୁବନେଶ୍ବର ୨୪।୫: ପରିବାରବାଦ ରାଜନୀତିକୁ ଚଳିତ ଥର ଭୋଟର ନାପସନ୍ଦ କରିଛନ୍ତି । ଗୋଟିଏ ପରିବାର ଏକାଧିକ ସଦସ୍ୟ ରାଜନୀତିକୁ ଆସନ୍ତୁ, ତାହା ଓଡ଼ିଶା ଭୋଟର ଚାହାନ୍ତି ନାହିଁ । ଏଣୁ ଚଳିତ ନିର୍ବାଚନରେ ପରିବାରବାଦକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ଶକ୍ତ ଚାପୁଡ଼ା । ପାଟଣାଗଡ ରାଜା କନକ ବର୍ଦ୍ଧନ ସିଂହଦେଓ ଓ ତାଙ୍କ ପତ୍ନୀ ତଥା ରାଣୀ ସଙ୍ଗୀତା କୁମାରୀ ସିଂହଦେଓଙ୍କ ମଧ୍ୟରୁ ଭୋଟର ଜଣଙ୍କୁ ବିଜୟୀ କରିଛନ୍ତି ।

ପାଟଣାଗଡ ବିଧାନସଭା ନିର୍ବାଚନ ମଣ୍ଡଳିରେ ପ୍ରାର୍ଥୀ ହୋଇଥିଲେ ପାଟଣାଗଡ ରାଜା କନକ ବର୍ଦ୍ଧନ ସିଂହଦେଓ ।ବିଧାନସଭାରେ ସେ ଥିଲେ ବିଜେପି ବିଧାୟକ ଦଳର ନେତା । ବୈଜୟନ୍ତ , ଦାମ ରାଉତ ଓ ପ୍ରତ୍ୟୁଶା ରାଜେଶ୍ବରୀଙ୍କ ଭଳି ନେତାଙ୍କୁ ଦିଲ୍ଲୀରେ ପହଞ୍ଚାଇ ଦଳରେ ସାମଲ କରିବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ନେଇଥିଲେ । ବିଜେପିର ଆଗଧାଡିର ନୋଙ୍କ ଭିତରେ କନକ ବର୍ଦ୍ଧନ ସିଂ ଦେଓଙ୍କୁ ଗଣାଯାଏ ।

ହେଲେ ଚଳିତ ନିର୍ବାଚନରେ ପାଟଣାଗଡ ବିଧାନସଭା ନିର୍ବାଚନମଣ୍ଡଳିରେ ସେ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ସରୋଜ ମେହେରଙ୍କ ଠାରୁ ପାଖାପାଖି ୧୧ ହଜାର ଭୋଟରେ ପରାସ୍ତ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ସରୋଜ ମେହେର ୮୮୦୩୧ ଖଣ୍ଡ ଭୋଟ୍ ପାଇଥିବାବେଳେ କନକ ବର୍ଦ୍ଧନଙ୍କୁ ମିଳିଥିଲା ୭୭୦୦୩ ଖଣ୍ଡ ଭୋଟ୍ । ଏଠାରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ରମେଶ କୁମାର ପୁରୋହିତ । ତାଙ୍କୁ ୩୦୨୫୩ ଖଣ୍ଡ ଭୋଟ୍ ମିଳିଛି ।

ଅନ୍ୟପଟେ ବଲାଙ୍ଗିର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା କନକ ବର୍ଦ୍ଧନଙ୍କ ପତ୍ନୀ ସଙ୍ଗୀତା ସିଂଦେଓ ନିର୍ବାଚନ ବୈତରଣି ପାର୍ କରିଯାଇଛନ୍ତି । ବିଜେପି ଟିକେଟ୍‌ରୁ ବଲାଙ୍ଗିର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ ସଙ୍ଗୀତା । ସଙ୍ଗୀତାଙ୍କୁ ଜନତା ଜିତାଇଥିବା ବେଳେ ପାଟଣାଗଡରୁ ବିଧାୟକ ପ୍ରାର୍ଥୀ ହୋଇଥିବା କନକଙ୍କୁ ଲୋକେ ବିଫଳତାର ସ୍ବାଦ ଦେଇଛନ୍ତି । ସଙ୍ଗୀତା ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓଙ୍କୁ ୧୯ହଜାର ୫୧୬ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ସଙ୍ଗୀତା ୪୯୮୦୮୬ଖଣ୍ଡ ଭୋଟ୍ ପାଇଥିବାବେଳେ କଳିକେଶ ୪୭୮୫୭୦ ଖଣ୍ଡ ଭୋଟ୍ ପାଇଥିଲେ ।

ସେହିଭଳି ଏଠାରେ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ୨୭୧୦୫୬ ଖଣ୍ଡ ଭୋଟ୍ ପାଇଛନ୍ତି ।ସମରେନ୍ଦ୍ର ମିଶ୍ର ହେଉଛନ୍ତି ବିରୋଧୀଦଳ ନେତା ତଥା ବଲାଙ୍ଗିର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର । ଏପଟେ ପୁଅ ଲୋକସଭା ଆସନରେ ହାରିଥିବାବେଳେ ନରସିଂହ କିନ୍ତୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଏମିତି ଦେଖିବାକୁ ଗଲେ ସଂଗୀତା ସିଂ ଦେଓଙ୍କଠାରୁ ହାରିଥିବା କଳିକେଶ ନାରାୟଣ ସିଂଦେଓଙ୍କ ଭାଇ ଅର୍କେଶ ନାରାୟଣ ସିଂ ଦେଓ ନରସିଂହଙ୍କ ବିରୋଧରେ ବଲାଙ୍ଗୀର ବିଧାନସଭା ଆସନରୁ ବିଜେଡିର ପ୍ରାର୍ଥୀ ହୋଇଥିଲେ । ସେପଟେ ଲୋକସଭାରେ କଳିକେଶ ହାରିଥିବାବେଳେ  ଏପଟେ ବିଧାନସଭାରେ ଅର୍କେଶ ମଧ୍ୟ ହାରିଛନ୍ତି । ଫଳରେ ଏୟୁ ସିଂଦେଓଙ୍କ ପରିବାରକୁ ବଡଧରଣର ଝଟକା ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.