ଦିନରେ କଂଗ୍ରେସ ରାତିରେ ବିଜେଡି : ନିରଞ୍ଜନ ଶିଶୁପାଳ ହୋଇ ଫେରିଲେ ଦିଲ୍ଲୀରୁ, କହିଲେ ସନ୍ଧ୍ୟା ମହାପାତ୍ର-ଦେଖନ୍ତୁ ପୁରା ଭିଡିଓ

Published By : Prameya-News7 Bureau | December 10, 2018 IST

ଭୁବନେଶ୍ୱର ୧୦/୧୨ : ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସର ସଭାପତି ହେବାପରେ ଆଶା କରାଯାଉଥିଲା କଂଗ୍ରେସର ଅବସ୍ଥା ସୁଧୁରିବ | ପୁଣି କଂଗ୍ରେସ ତା ପୂର୍ବ ଗୌରବ ଫେରାଇବା ପାଇଁ ଉଦ୍ୟମ କରିବ | କିନ୍ତୁ କିଛି ଦିନ ସବୁ ଠିକ ଚାଲିଛି ବୋଲି ବୋଧ ହେଉଥିବା କଂଗ୍ରେସ ଦଳରେ ଯେ, ଏବେ ଜମା ଠିକ ଚାଲିନି ତାହା ସ୍ପଷ୍ଟ ହେବାରେ ଲାଗିଛି |


କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ବିଧାୟକ ପଦରୁ ଇସ୍ତଫା ଦେବା ଏବଂ ତାପରେ ଦଳିତ ସମାବେଶ କରିବାଠୁ ଆରମ୍ଭ ହୋଇଛି ବିବାଦ | କୃଷ୍ଣ ସଗରିଆଙ୍କୁ ଅସ୍ତ୍ର କରି ଦଳର ଅନ୍ୟତମ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଗେମ ଖେଳୁଛନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା | ସତକୁ ସତ କୃଷ୍ଣ ସଗରିଆଙ୍କ ସମ୍ବିଧାନ ବଞ୍ଚାଓ ସମାବେଶରେ ଶ୍ରୀକାନ୍ତ ଜେନାଙ୍କୁ ଦେଖିବାକୁ ମିଳିଲା | କେବଳ ଦେଖିବାକୁ ମିଳିଲାନି ବରଂ ଶ୍ରୀକାନ୍ତ ଜେନା କଂଗ୍ରେସ ଓ ପ୍ରଦେଶ କଂଗ୍ରେସ ସଭାପତିଙ୍କ ସମ୍ପର୍କରେ ବହୁତ କଥା କହିଲେ | ଯାହା ଦଳ ଭିତରେ ଥିବା ଫାଟକୁ ପଦାରେ ପକାଇଥିଲା | ଯୋଗକୁ ସେହି ଦିନ ହିଁ ଶ୍ରୀକାନ୍ତଙ୍କୁ ଦଳର ଇସ୍ତାହାର କମିଟିରୁ ବହିଷ୍କାର କରି ତାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ଦାୟିତ୍ୱ ଦିଆଗଲା |


ଏପଟେ କୃଷ୍ଣ ସଗରିଆ ଏବଂ ଶ୍ରୀକାନ୍ତ ଜେନାଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଦଳର ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ତାଙ୍କ ରିପୋର୍ଟ ଏଆଇସିସିକୁ ପଠାଇ ସାରିଛନ୍ତି | ରିପୋର୍ଟ ଆଧାରରେ ଅତି ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି |


ଏମିତି ଏକ ସମୟରେ କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଶୃଙ୍ଖଳା କମିଟି ଅଧ୍ୟକ୍ଷା ସନ୍ଧ୍ୟା ମହାପାତ୍ର ଆଜି ଦଳର ଅସଲ ଗୁମର ଖୋଲିଛନ୍ତି | ଅବଶ୍ୟ ଅଫ ଦ କେସରେ ସନ୍ଧ୍ୟା ସମସ୍ତ କଥା କହିଛନ୍ତି |
ନିରଞ୍ଜନଙ୍କ ନେତୃତ୍ୱରେ କଂଗ୍ରେସ, ଦିନରେ କଂଗ୍ରେସ ରାତିରେ ବିଜେଡି ବୋଲି ସନ୍ଧ୍ୟା ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି | ସେ କହିଛନ୍ତି ଯେ, ଦଳରେ ନିରଞ୍ଜନଙ୍କ ସ୍ଥିତି ଭଲ ନାହିଁ | ଏପରିକି ନିରଞ୍ଜନ ଦିଲ୍ଲୀ ଗଲେ ଶିଶୁପାଳ ହୋଇ ଫେରୁଛନ୍ତି ସିନା ରାହୁଲ ଗାନ୍ଧୀଙ୍କ ସାକ୍ଷାତ ପାଉନାହାନ୍ତି ବୋଲି ସନ୍ଧ୍ୟା କହିଛନ୍ତି |
ପ୍ରସାଦ ହରିଚନ୍ଦନ ପ୍ରଦେଶ କଂଗ୍ରେସର ସଭାପତି ଥିବାବେଳେ ସେ ଶୃଙ୍ଖଳା କମିଟିର ଅଧ୍ୟକ୍ଷା ଥିଲେ | କିନ୍ତୁ ପ୍ରସାଦଙ୍କୁ ପରିବର୍ତ୍ତନ କରିବା ପରେ ତାଙ୍କ ଠାରୁ ମଧ୍ୟ ସମସ୍ତ ପଦପଦବୀ ଛଡାଇ ନିଆଯାଇଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି |


ନିରଞ୍ଜନ ଶ୍ରୀକାନ୍ତ କଳି ବାବଦରେ ମଧ୍ୟ ସନ୍ଧ୍ୟା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି | ଜିତେନ୍ଦ୍ର ପ୍ରସାଦଙ୍କ ସ୍ୱଚ୍ଛତା ନେଇ ସେ ଆଙ୍ଗୁଳି ଉଠାଇଛନ୍ତି |

https://www.youtube.com/watch?v=gOKBnJ-8E3g

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.