ସନତ ଗଡତିଆ ହେଲେ ବିଜେପୁର ଉପ ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ

Published By : Prameya-News7 Bureau | September 29, 2019 IST

ଭୁବନେଶ୍ବର ୨୯।୯: ବିଜେପୁର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ସନତ ଗଡତିଆ ନାଁ ଘୋଷଣା କରିଛି । ପୁଣି ଥରେ ଦଳ ସନତ ଗଡତିଆଙ୍କ ଉପରେ ଭରସା କରିଛି । ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିଲେ ସନତ ଗଡତିଆ । ସନତ ଗଡତିଆ ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରତିଦ୍ବନ୍ଦିତା କରି ୫୦ହଜାରରୁ ଅଧିକ ଭୋଟ୍ ପାଇଥିଲେ । ତେଣୁ ଏଥର ସେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ କଡା ଟକ୍କର ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ବିଜେପୁର ଉପ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷଦିନ । ପୂର୍ବରୁ କଂଗ୍ରେସ ଓ ବିଜେଡି ନିଜ ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଥିବା ବେଳେ ଆଜି ବିଜେପି ତାର ପ୍ରାର୍ଥୀ ନାଁ ଘୋଷଣା କରିଛି । ଏଥର ଉପ ନିର୍ବାଚନରେ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ରୀତା ସାହୁଙ୍କୁ ପୁଣି ଥରେ ଭରସା କରିଛି ।

ବିଜେପୁର ଏକଦା କଂଗ୍ରେସ ଗଡଥିଲେ ବି ଗତ ୨ଟି ନିର୍ବାଚନରେ ବହୁ ଭୋଟରେ ପଛରେ ପଡିଯାଉଛି ଦଳ । ସେଠି ବିଜେଡି ଓ ବିଜେପି ଭିତରେ ମୁଖ୍ୟତଃ ପ୍ରତିଦ୍ବନ୍ଦିତା ହୋଇଛି । ତେଣୁ ଏଥର କଂଗ୍ରେସ ନିଜର ପୁରୁଣା ଭୋଟ୍ ବ୍ୟାଙ୍କକୁ ସାଉଣ୍ଟିବାକୁ ଯୋଜନା କରିଛି । ସେଥିପାଇଁ ପୁରୁଣା ମୁହଁକୁ ହଟାଇ ନୂଆମୁହଁ ଉପରେ ଭରସା ରଖିଛି ଦଳ ।

ଆସନ୍ତାକାଲି ନାମାଙ୍କନ ଦାଖଲ ସରିବା ପରେ ପ୍ରଚାର ମୈଦାନକୁ ଓହ୍ଲାଇବେ ତିନି ପ୍ରମୁଖ ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବି ନିଜେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ । ସେହିଭଳି ବିଜେପିର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଏଥର ବିଜେପୁରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ମଙ୍ଗ ଧରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.