ଚାଷ ଜମିରେ ଦମ୍ପତ୍ତିଙ୍କୁ ହତ୍ୟା ଉଦ୍ୟମ ମାମଲା, ଜେଲ ଗଲା ଅଭିଯୁକ୍ତ

Published By : Prameya-News7 Bureau | June 20, 2020 IST

ସାନଖେମୁଣ୍ଡି, ୨୦|୦୬ :  ଦିଗପହଣ୍ଡି ଥାନା କରପଡ଼ା ଗ୍ରାମରେ ଦମ୍ପତ୍ତିଙ୍କୁ ହତ୍ୟା ଉଦ୍ୟମ କରି ଗିରଫ ହୋଇଥିବା ଅଭିଯୁକ୍ତକୁ ଜେଲ୍ ପଠାଯାଇଛି ।ପୋଲିସ ଶନିବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା । ଜାମିନ ଆବେଦନ ଖାରଜ ହୋଇଯିବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।

ସୂଚନାନୁସାରେ, କରପଡା ଗ୍ରାମର ଅଭିମନ୍ୟୁ ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ପ୍ରଧାନଙ୍କୁ ଗତ ବୁଧବାର ମଧ୍ୟାହ୍ନରେ ଗାଁ ନିକଟ ସୁନାଦେଇ ପାହାଡ଼ ପାଖ ଚାଷଜମିରେ ହତ୍ୟା ଉଦ୍ୟମ କରାଯାଇଥିଲା। ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଶନିବାର କରପଡ଼ା ଗ୍ରାମର ହରି ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ଥାନା ମାମଲା ନଂ. ୧୩୭/୨୦ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ରକରି ପୂର୍ବ ଯୋଜନା ମୁତାବକ ଅଭିମନ୍ୟୁଙ୍କ ନିକଟ ସମ୍ପର୍କୀୟ ବିଭିନ୍ନ ମାରଣାସ୍ତ୍ର ଦ୍ଵାରା ସଂଘବଦ୍ଧ ଭାବେ ଉଭୟ ସ୍ଵାମୀ ସ୍ତ୍ରୀଙ୍କୁ ଚାଷ ଜମିରେ ଅତର୍କିତ ଆକ୍ରମଣ କରିଥିଲେ।ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଅଭିମନ୍ୟୁ ଏନେଇ ଥାନାରେ ଏତଲା ଦେବାପରେ ଆଇ ସି ବସନ୍ତ କୁମାର ସେଠୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ୪ ଜଣ ଅଭିଯୁକ୍ତ ଫେରାର ଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଏସ ଆଇ ବଳଭଦ୍ର ଗଣ୍ଡ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.