ସାନ ଭାଇକୁ ଟାଙ୍ଗିଆରେ ହାଣି ବଡ ଭାଇର ଆତ୍ମହତ୍ୟା, ଗୁରୁତର ସାନଭାଇ ଏବେ ଡାକ୍ତରଖାନାରେ

Published By : Prameya-News7 Bureau | February 24, 2020 IST

ସମ୍ବଲପୁର ୨୪ | ୦୨ - ପାରିବାରିକ କଳହର କରୁଣ ପରିଣତି ।ରାଗରେ ଅନ୍ଧ ହୋଇ ବଡ଼ ଭାଇ ତାର ସାନଭାଇକୁ ଟାଙ୍ଗିଆରେ ହାଣିଲା । ତାପରେ ନିଜେ କଲା ଆତ୍ମହତ୍ୟା । ବଡ ଭାଇର ଟାଙ୍ଗିଆ ଚୋଟରେ ସାନଭାଇ ପ୍ରାଣ ଯାଇନଥିଲେ ବି, ଅବସ୍ଥା ଗୁରୁତର । ସେ  ଏବେ ଡାକ୍ତରଖାନାରେ ଚିକିତ୍ସାଧିନ ।  ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ  ଝରଘାଟି ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।

ବଡ଼ ଭାଇ ନିର୍ମଳ ଖଡିଆର ଟାଙ୍ଗିଆ ଚୋଟରେ ସାନଭାଇ ନରେଶ ଖଡିଆଙ୍କ ଅବସ୍ଥା ଗୁରୁତର । ସାନଭାଇ ନରେଶ ଖଡିଆ ଓ ବଡ ଭାଇ ନିର୍ମଳ ଖଡିଆଙ୍କ ମଧ୍ୟରେ ପ୍ରାୟ ସବୁ ଦିନ କିଛି ନା କିଛି କାରଣରୁ ଝଗଡା ପାଟି ତୁଣ୍ଡ ଲାଗେ । ସୋମବାର ମଧ୍ୟ  ଦୁଇ ଭାଇ ଝଗଡା ଲାଗିଥିଲେ । ତେବେ ହଠାତ୍‌ ବଡ ଭାଇ ନିର୍ମଳ ଉତ୍ତ୍ୟକ୍ତ ହୋଇ  ଏକ ଟାଙ୍ଗିଆରେ ସାନଭାଇ ନରେଶକୁ ଆକ୍ରମଣ କରିଥିଲା ।ଟାଙ୍ଗିଆରେ ନରେଶକୁ ହାଣି ପକାଇଥିଲା ନିର୍ମଳ ।  ସାନ ଭାଇ ନରେଶ ଗୁରୁତର ହେବାରୁ ତାଙ୍କୁ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି କରାଯାଇଛି।ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି ।

 ଏପଟେ ସାନଭାଇକୁ ଟାଙ୍ଗିଆରେ ହାଣିବାପରେ, ଅଭିଯୁକ୍ତ ବଡ ଭାଇ ମାନସିକ ଭାରସାମ୍ୟ ହରାଇ ନିଜେ ନେଇଛି ନିଜ ଜୀବନ ।  ନିଜ ମାଆଙ୍କ ଶାଢୀରେ  ଫାଶ କରି  କରିଛି ଆତ୍ମହତ୍ୟା ।   ଲୋକ ଲଜ୍ଜା କିମ୍ବା ଭୟରେ ସେ ସେପରି କରିଥିବା  ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.