Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏ କ’ଣ ସେହି ଭୟଙ୍କର ହତ୍ୟାକାରୀ ? ଯିଏ କାର୍ ଭିତରେ ୯୦ ଜଣଙ୍କୁ ମାରିଛି…

28/11/2018 at 7:18 PM

ଲସ୍ଆଞ୍ଜେଲ୍ସ ୨୮|୧୧:  ୭୮ ବର୍ଷୀୟ ବୃଦ୍ଧ, ବିନା ହ୍ବିଲ ଚେୟାରରେ ଇଞ୍ଚେ ବି ଘୁଞ୍ଚିପାରୁନି । ଅଥଚ ତାକୁ ସବୁବେଳେ ଘେରି ରହୁଛନ୍ତି ଆଧୁନିକ ଅଟୋମେଟିକ୍ ବନ୍ଧୁକ ଧରିଥିବା ଡଜନେ ସୁରକ୍ଷା କର୍ମୀ । କିଏ ଏହି ବୃଦ୍ଧ ? ରୋଗାକ୍ରାନ୍ତ ବ୍ୟକ୍ତି ଜଣକୁ କାହିଁକି ଏପରି କଡା ନଜର ? ଏ ହେଉଛି ସାମୁଏଲ ଲିଟିଲ । ଯଦି ସାମୁଏଲର ସ୍ବୀକାରୋକ୍ତି ସତ, ତେବେ ସେ ଜଣେ ଭୟଙ୍କର ଅପରାଧି । ଜଘନ୍ୟ ସିରିଏଲ କିଲର । ଆମେରିକା ଇତିହାସରେ ସେ ହୁଏତ ସବୁଠୁ ନିଷ୍ଠୁର, ଜଘନ୍ୟ ହତ୍ୟାକାରୀ । ଆମେରିକାର ୧୪ ଟି ରାଜ୍ୟରେ ସେ କରିଛି ହତ୍ୟା ପରେ ହତ୍ୟା ।

ଟେକ୍ସାସ୍‌ ଜେଲ୍‌ରେ ବନ୍ଦୀ ଥିବା ଏହି  ବୃଦ୍ଧ ଅପରାଧୀ କୁଆଡେ ୯୦ଜଣକୁ ମାରିଛି । ସେ ନିଜେ ହିଁ  ଜେରା ବେଳେ ପୋଲିସକୁ ଏହି ଅପରାଧ କରିଥିବା ଦାବି କରୁଛି । ସାମୁଏଲର ଶିକାର ହୋଇଥିବା ସମସ୍ତେ ହେଉଛନ୍ତି ମହିଳା । ସମସ୍ତଙ୍କୁ କୌଣସି ନା କୌଣସି ବାହାନାରେ ଫସେଇ ନେଇ ନିଜ କାର୍‌ ଭିତରେ ମାରିଥିବା କହୁଛି ସାମୁଏଲ । ତଦନ୍ତକାରୀ ପୋଲିସ ଅଫିସରମାନେ ସାମୁଏଲର ଏହି କଥା ଉପରେ ଛାନଭିନ୍‌ କରୁଛନ୍ତି ।

ଡାଏବେଟିସ ସହ ରକ୍ତଚାପ ଆଉ ବାର୍ଦ୍ଧକ୍ୟଜନିତ ବିଭିନ୍ନ ରୋଗରେ ଭୀଷଣଭାବେ ପୀଡିତ  ସାମୁଏଲ ଲିଟିଲ ମନେ ପକାଇ ବିଭିନ୍ନ ହତ୍ୟା ଘଟଣାର କଥା ଓ ସ୍ଥାନ କହୁଛି । ବିଭିନ୍ନ ନାଇଟ କ୍ଲବ, ବାର୍, ମାର୍କେଟ ଏବଂ ରାସ୍ତାରେ ଏକା ଯାଉଥିବା ମହିଳାଙ୍କୁ ଟାର୍ଗେଟ କରୁଥିଲା ସାମୁଏଲ । ବିଭିନ୍ନ ପ୍ରକାର ଉପାୟରେ ସେମାନଙ୍କୁ ପ୍ରଭାବିତ କରୁଥିଲା । କାହାକୁ ନିଶାଗ୍ରସ୍ତ କରି ତ କାହାକୁ ନିଜ ବ୍ୟବହାରରେ ପଟେଇ ସେ ସାଙ୍ଗରେ ଆଣୁଥିଲା । ଆଉ ଉପଭୋଗ ପରେ କାର୍ ପଛ ସିଟ୍‌ରେ ସେମାନଙ୍କୁ ହତ୍ୟା କରୁଥିଲା । ସାଧାରଣତଃ ନିଶାଗ୍ରସ୍ତ ଓ ଗରିବ ମହିଳା ମାନେ ସାମୁଏଲର ଟାର୍ଗେଟ ହେଉଥିଲେ ।

ତଦନ୍ତକାରୀ ଅଧିକାରୀ ମାନେ ସାମୁଏଲର ସ୍ବୀକାରୋକ୍ତିରୁ ବର୍ତ୍ତମାନ ସୁଦ୍ଧା ୩୦ ଟି ହତ୍ୟା ସହ ତାର ସଂପୃକ୍ତିର ସୁରାକ ପାଇଥିବା ସୂଚନା ଦେଇଛନ୍ତି । କିନ୍ତୁ ୯୦ ଟି ହତ୍ୟାର ସତ୍ୟତା ନେଇ ତଦନ୍ତ କଷ୍ଟକର ହେବ ବୋଲି ଜଣାପଡୁଛି । ତେବେ ସାମୁଏଲ ୧୪ ଟି ରାଜ୍ୟରେ ତାର ଅପରାଧ ସବୁ ଘଟାଇଥିବା ପ୍ରମାଣ ମିଳିଛି । ୧୯୮୦ ଦଶକରେ ଲସଏଞ୍ଜଲ୍ସରେ ୩ ଜଣ ମିହିଳାଙ୍କୁ ହତ୍ୟା କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ତିନିଟି ଆଜୀବନ ଜେଲଦଣ୍ଡ ଭୋଗୁଛି ସାମୁଏଲ ।

ତାର ସ୍ବୀକାରୋକ୍ତି ଏବଂ ହତ୍ୟା ତରିକାରୁ ସେ ଆମେରିକାର ସବୁଠୁ ଜଘନ୍ୟ ହତ୍ୟାକାରୀ ବୋଲି ମନେ କରାଯାଉଛି । ତେବେ ୪୯ ଜଣଙ୍କୁ  ହତ୍ୟା  କରିଥିବା ଗ୍ୟାରି ରିଗ୍‌ୱେକୁ ଆମେରିକାର ସବୁଠୁ ଭୟଙ୍କର ସିରିଏଲ କିଲର ଆଖ୍ୟା ଦିଆଯାଏ । ଗ୍ରିନ୍‌ରିଭର କିଲର ଭାବେ ପରିଚିତ ଗ୍ୟାରି ୧୯୮୦ରୁ ୧୯୯୦ ମଧ୍ୟରେ ୱାଶିଂଟନ୍‌ରେ ୪୯ ଜଣଙ୍କୁ ହତ୍ୟା କରିଥିଲା ।

   Related Posts