ଚୀନକୁ ଲାଗିବ ଜୋରଦାର ଝଟକା ! ସାମସଙ୍ଗ୍ ଭାରତରେ ସ୍ଥାପନ କରିବ ମୋବାଇଲ ଡିସପ୍ଲେ ୟୁନିଟ୍, ନିବେଶ କରିବ ୪୮୨୫ କୋଟି
12/12/2020 at 4:00 PM

ନୂଆଦିଲ୍ଲୀ ୧୨।୧୨: ଦକ୍ଷିଣ କୋରିଆର ବୃହତ ଇଲେକ୍ଟ୍ରୋନିକ୍ସ କମ୍ପାନୀ ସାମସଙ୍ଗ ଭାରତରେ ଓଏଲଇଡି ମୋବାଇଲ୍ ଡିସପ୍ଲେ ୟୁନିଟ୍ ପ୍ରତିଷ୍ଠା କରିବାକୁ ଯାଉଛି। ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଦେଶରେ ସାମସଙ୍ଗର ଓଏଲଇଡି ଡିସପ୍ଲେ ୟୁନିଟ୍ ସ୍ଥାପନା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏହି ୟୁନିଟ୍ ଲଗାଇବା ଲାଗି ସାମସଙ୍ଗ ଭାରତରେ ୪୮୨୫ କୋଟି ଟଙ୍କାର ନିବେଶ କରିବାକୁ ନିଷ୍ପତ୍ତି ନେଇଛି। ଏହି ୟୁନିଟ୍ ପ୍ରଥମେ ଚୀନରେ ଥିଲା। ମାତ୍ର କମ୍ପାନୀ ଚୀନରୁ ନିଜର କାରବାର ପ୍ରତ୍ୟାହାର କରି ଭାରତର ଉତ୍ତର ପ୍ରଦେଶରେ ନିବେଶ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଚୀନକୁ ଏଥିରେ ଜୋରଦାର ଝଟକା ଲାଗିବ।
କମ୍ପାନୀ ଉତ୍ତର ପ୍ରଦେଶର ନୋଏଡାରେ ମୋବାଇଲ୍ ଓ ଡିସପ୍ଲେ ତିଆରି ୟୁନିଟ୍ ସ୍ଥାପନା କରିବ। ନୋଏଡାରେ ଏହି ୟୁନିଟ୍ ପ୍ରତିଷ୍ଠା ହେଲେ ଭାରତ ସରକାରଙ୍କୁ ଏସପିଇଏସ ଆଧାରରେ ୪୬୦ କୋଟି ଟଙ୍କାର ବିତ୍ତୀୟ ପ୍ରୋତ୍ସାହନ ମିଳିବ।
କେବଳ ଏତିକି ନୁହେଁ ଓଏଲଇଡି ପ୍ରଯୁକ୍ତିବିଦ୍ୟାରେ ନିର୍ମିତ ମୋବାଇଲ ଡିସପ୍ଲେ ମ୍ୟାନୁଫେକଚରିଂ କରୁଥିବା ତୃତୀୟ ଦେଶରେ ପରିଣତ ହେବ ଭାରତ। ଭିଏତନାମ ଓ ଦକ୍ଷିଣ କୋରିଆ ପରେ ନୋଏଡାରେ କମ୍ପାନୀର ଏହା ତୃତୀୟ ୟୁନିଟ୍ ହେବ। ଚୀନରେ ନିଜର ଡିସପ୍ଲେ ୟୁନିଟ୍ ବନ୍ଦ ହେବା ପରେ ସାମସଙ୍ଗ ଏହାକୁ ଭାରତରେ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି।
ଲୋକଙ୍କୁ ମିଳିବ ରୋଜଗାର
ଉତ୍ତର ପ୍ରଦେଶର ନିବେଶ ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହ କହିଛନ୍ତି, ନିବେଶ ଓ ଅଦୌଗିକି ବିକାଶକୁ ଦୃଷ୍ଟିରେ ରଖି ସରକାର ସାମସଙ୍ଗର ଏହି ପ୍ରକଳ୍ପକୁ ବିଶେଷ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକଳ୍ପର ସ୍ଥାପନା ନୋଏଡାରେ ହେବାରୁ ୧୫୧୦ ଲୋକଙ୍କୁ ପ୍ରତ୍ୟେକ୍ଷ ରୋଜଗାର ମିଳିବ। ସେହିପରି ବଡ ସଂଖ୍ୟାରେ ଲୋକଙ୍କ ପରୋକ୍ଷ ରୋଜଗାର ମିଳିବ। ଏହି ପ୍ରକଳ୍ପ ପୂରା ହେଲେ ୟୁପିକୁ ଦୁନିଆରେ ଏକ ଭିନ୍ନ ପରିଚୟ ମିଳିବ।