ଭୁବନେଶ୍ବର ୨୪|୩ : ରାଜ୍ୟ ବିଜେପି ଉପସଭାପତି ରାଜକିଶୋର ଦାସ ଇସ୍ତଫା ଦେବା ନେଇ ପ୍ରତିକ୍ରିୟାଶୀଳ ହୋଇଛି ବିଜେପି । ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ଅଙ୍ଗୁର ଖାଇ ନପାରିଲେ ଖଟା ପରି ରାଜକିଶୋରଙ୍କ ଅବସ୍ଥା । ୨ ମାସ ହେଲା ବିଜେଡି ସମ୍ପର୍କରେ ଅଛନ୍ତି , ତାଙ୍କ ବିରୋଧରେ କର୍ମୀ ମଧ୍ୟ ଅଭିଯୋଗ କରିଥିଲେ । ଯାହା ଏବେ ପ୍ରମାଣିତ ହୋଇଛି । ଏହା ସହିତ ରାଜକିଶୋରଙ୍କୁ ପାଲଟା ପ୍ରଶ୍ନ ପଚାରିଛନ୍ତି ସମୀର ମହାନ୍ତି । ସେ କହିଛନ୍ତି ମୋରଡ଼ା ପାଇଁ ଟିକେଟ ଘୋଷଣା ହୋଇନି ସେ କିପରି ଜାଣିଲେ ତାଙ୍କୁ ଟିକେଟ ମିଳିବ କି ନାହିଁ ବୋଲି ।
ସୂଚନାଯୋଗ୍ୟ ଯେ, ବିଜେପିର ରାଜ୍ୟ ଉପ-ସଭାପତି ରାଜକିଶୋର ଦାସ ବିଜେପିରୁ ଇସ୍ତଫା ଦେଇଛନ୍ତି । ମୋରଡା ବିଧାନସଭା ଆସନ ପାଇଁ ଆଶାୟୀ ଥିଲେ ରାଜକିଶୋର। ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ତାଙ୍କୁ ଟିକେଟ୍ ନମିଳିବାରୁ ସେ ବିଜେପି ଛାଡିଛନ୍ତି ।
ତେବେ ସେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଛି। ଦୀର୍ଘ ଦିନ ଦଳରେ ଥାଇ ପୁରା ମୟୁରଭଞ୍ଜ ଜିଲ୍ଲାରେ ବିଜେପିକୁ ସେ ସୁଦୃଢ କରିଥିଲେ। ଦଳ ତାଙ୍କ ପ୍ରତି ଘୋର ଅନ୍ୟାୟ କରିଥିବାରୁ ସେ ବିଜେପି ଛାଡୁଥିବା ରାଜକିଶୋର କହିଛନ୍ତି । ରାଜକିଶୋର ଦଳ ଛାଡିବା ପରେ ସାରା ମୟୁରଭଞ୍ଜ ଜିଲ୍ଲାରେ ବିଜେପି ପ୍ରତି ବଡ ବୁମେଂରା ହେବ ବୋଲି ଚର୍ଚ୍ଚା ହେଉଛି।