ମଦଦୋକାନ ପାଇଁ ଲାଇସେନ୍ସ ଦେବାରେ ଦାମ ଅନିୟମିତତା କରିଥିଲେ : ସମୀର

Published By : Prameya-News7 Bureau | September 17, 2018 IST

ଭୁବନେଶ୍ୱର ୧୭/୯ : ଅତୀତରେ ଦାମ ଉଠାଇଥିବା ଚାରା ଦୁର୍ନୀତି ପ୍ରସଙ୍ଗକୁ ବିରୋଧୀ ମୁଖ୍ୟ ଅସ୍ତ୍ର କରିଛନ୍ତି | ଏହି ଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ଆଜି ପ୍ରଶ୍ନକାଳକୁ ସମ୍ପୂର୍ଣ ଅଚଳ କରିଦେଇଥିଲେ ବିରୋଧୀ ଦଳର ବିଧାୟକ | ଏପରିକି ଶୁନ୍ୟକାଳରେ ମଧ୍ୟ ସମାନ ପ୍ରସଙ୍ଗ ପ୍ରମୁଖ ବିଷୟ ପାଲଟିଥିଲା | କଂଗ୍ରେସ ଓ ବିଜେପି ଉଭୟ ଅଲଗା ଅଲଗା ଏହି ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରିଥିଲେ | ତେବେ ଏ ପ୍ରସଙ୍ଗରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଗୃହରେ ବିବୃତି ରଖିବେ ବୋଲି କହିବା ପରେ ଗୃହକୁ ପୁଣି ମୁଲତବୀ କରାଯାଇଥିଲା | ତେବେ ଶୁନ୍ୟକାଳରେ ହିଁ ବିଜେଡି ବିଧାୟକ ସମୀର ଦାସଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ | ଡାକ୍ତର ଦାମୋଦର ରାଉତ ୨୦୧୪ ମସିହାରେ ଅବକାରୀ ମନ୍ତ୍ରୀ ଥିବାବେଳେ ମଦ ଦୋକାନ ପାଇଁ ଲାଇସେନ୍ସ ପ୍ରଦାନ କ୍ଷେତ୍ରରେ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ | ଦାମ ବାବୁ ମନ୍ତ୍ରୀ ହେଲାବେଳକୁ ରାଜ୍ୟରେ ୬୪୭ଟି ମଦ ଦୋକାନ ଥିଲା | ଦାମ ବାବୁ ତାଙ୍କ ସ୍ୱଳ୍ପ କାଳ ରହଣି ମଧ୍ୟରେ ୯୩ଟି ନୂଆ ଲାଇସେନ୍ସ ଦେଇଥିଲେ | ଏହି ସବୁ ଲାଇସେନ୍ସ ପ୍ରଦାନରେ ଦୁର୍ନୀତି ହୋଇଥିବା ସମୀର କହିଥିଲେ | ଏହି ୯୩ଟି ନୂଆ ଲାଇସେନ୍ସ ମଧ୍ୟରୁ କେବଳ ଜଗତସିଂହପୁର ଜିଲ୍ଲାରେ ୧୧ଟି ଲାଇସେନ୍ସ ଦିଆଯାଇଥିଲା | ସେଥିରୁ ଜଗତସିଂହପୁରରେ ୮ଟି ଓ ପାରାଦୀପରେ ୩ଟି ଲାଇସେନ୍ସ ପ୍ରଦାନ କରାଯାଇଥିଲା | ତେବେ ବିରୋଧୀଙ୍କ ହୋହାଲ୍ଲା ଏବଂ ଚାରା ଦୁର୍ନୀତିର ସିବିଆଇ ତଦନ୍ତ ଦାବି ମଧ୍ୟରେ ସମୀରଙ୍କ ଅଭିଯୋଗ ଲୁଚିଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.