ସାମିଙ୍କ ହାତରେ ଲାଗିଛି ଫ୍ୟାକ୍ଚର, ଗାଭାସ୍କର କହିଲେ- ଏହି ବୋଲରଙ୍କୁ ତୁରନ୍ତ ଅଷ୍ଟ୍ରେଲିଆ ପଠାଯାଉ
20/12/2020 at 4:09 PM

ନୂଆଦିଲ୍ଲୀ ୨୦।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଦ୍ଵିତୀୟ ଇନିଂସରେ ଭାରତ ୩୬ ରନରେ ଅଲଆଉଟ୍ ହୋଇ ୮ ଓ୍ଵିକେଟ୍ର ଶୋଚନୀୟ ପରାଜୟ ଭୋଗିଛି। ଏଥିସହ ଟେଷ୍ଟ ସିରିଜ୍ରେ ଭାରତ ୦-୧ରେ ପଛୁଆ ରହିଛି। ଅନ୍ୟପଟେ ଭାରତୀୟ ଦଳକୁ ସେଥିରୁ ବି ବଡ ଝଟକା ଲାଗିଛି।
ଦ୍ରୁତ ବୋଲର ମହମ୍ମଦ ସାମି ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ବାକି ତିନୋଟି ମ୍ୟାଚ୍ରୁ ବାହାରି ପାରନ୍ତି। ଆଡିଲେଡ୍ ଟେଷ୍ଟରେ ପାଟ କମିନ୍ସଙ୍କ ଏକ ବାଉନ୍ସ ବଲ୍ ହାତରେ ବାଜିବାରୁ ସାମିଙ୍କୁ ପଡିଆ ଛାଡିବାକୁ ପଡିଥିଲା। ଫଳରେ ଭାରତୀୟ ଇନିଂସ ୨୧.୨ ଓଭରରେ ମାତ୍ର ୩୬ ରନରେ ସୀମିତ ରହିଥିଲା। ଟେଷ୍ଟ ଇତିହାସରେ ଏହା ଭାରତର ସର୍ବନିମ୍ନ ସ୍କୋର। ଏହା ପରେ ହସ୍ପିଟାଲରେ ସାମିଙ୍କ ସ୍କାନ କରାଯାଇଛି। ହାତରେ ଫ୍ୟାକଚର ଲାଗିଥିବା ଜଣା ପଡିଛି। ସାମି ଯନ୍ତ୍ରଣା କାରଣରୁ ହାତ ଉଠାଇ ପାରୁନଥିଲେ ଏବଂ ଏହି କାରଣରୁ ତାଙ୍କୁ ପଡିଆ ଛାଡିବାକୁ ପଡିଥିଲା। ଏହା ପରେ ସେ ବୋଲିଂ ମଧ୍ୟ କରିନଥିଲେ।

ସୂତ୍ର ଅନୁଯାୟୀ ସାମି ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ବାକି ତିନି ମୁକାବିଲାରୁ ବାହାରି ପାରନ୍ତି। ହେଲେ ବିସିସିଆଇ ସାମିଙ୍କୁ ନେଇ ଏ ପର୍ଯ୍ୟନ୍ତ କୌଣସି ସୂଚନା ଦେଇ ନାହିଁ। ଯଦି ସାମି ସିରିଜ୍ରୁ ବାହାର ହୁଅନ୍ତି ତେବେ ଭାରତ ପାଇଁ ବହୁତ ବଡ ଝଟକା ହେବ।
ଏହା ମଧ୍ୟରେ ଭାରତର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ବଡ ବୟାନ ଦେଇଛନ୍ତି। ଗାଭାସ୍କରଙ୍କ ମତରେ ଯଦି ଇଶାନ୍ତ ଶର୍ମା କିଛିଟା ଫିଟ୍ ଥାଆନ୍ତି ତେବେ ତୁରନ୍ତ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ପଠାଯାଉ। ଭାରତୀୟ ଦଳଲୁ ଇଶାନ୍ତ ଶର୍ମାଙ୍କ ପରି ବୋଲରଙ୍କ ଅତି ଆବଶ୍ୟକ ରହିଛି।

ସୁନିଲ ଗାଭାସ୍କର କହିଛନ୍ତି, ମହମ୍ମଦ ସାମି ଆହତ ହେବା ଭାରତୀୟ ଦଳ ପାଇଁ ବଡ ଝଟକା। ଏମିତି ସ୍ଥିତିରେ ଇଶାନ୍ତ ଶର୍ମାଙ୍କୁ ପ୍ରଥମ ଫ୍ଲାଇଟ୍ରେ ଅଷ୍ଟ୍ରେଲିଆ ପଠାଇ ଦେବା ଉଚିତ୍। ଯଦି ଇଶାନ୍ତ ଶର୍ମା ଅନଫିଟ୍ ଥାନ୍ତି ତେବେ ମଧ୍ୟ ରିସ୍କ ଉଠାଯାଉ। କାରଣ ଦଳରେ ଆଉ ସେମିତି କୌଣସି ବୋଲର ନାହାନ୍ତି ଯିଏ ସାମିଙ୍କ ବଦଳ ଖେଳାଳି ହୋଇ ପାରିବେ।
ଭାରତୀୟ ଦଳ ପାଖରେ ଏବେ ନବଦୀପ ସାଇନି ଓ ମହମ୍ମଦ ସିରାଜଙ୍କ ପରି ବୋଲର ଅଛନ୍ତି। ମାତ୍ର ସେମାନଙ୍କ ବୋଲିଂରେ ସାମିଙ୍କ ପରି ଧାର ନାହିଁ ଯିଏ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନଙ୍କୁ ପାଣି ପିଆଇ ପାରିବେ। ସାମିଙ୍କ ପାଖରେ ଓ୍ଵିକେଟ୍ ନେବାର କ୍ଷମତା ରହିଛି। ସେ ବାଉନ୍ସ ଓ ୟର୍କରରେ ବ୍ୟାଟସମ୍ୟାନଙ୍କୁ ବହୁତ ହଇରାଣରେ ପକାନ୍ତି। ଯଦି ସେ ଖେଳିବେ ନାହିଁ ତେବେ ଦଳ ପାଇଁ ଦଳର ସ୍ଥିତି ବହୁତ ମୁସ୍କିଲ ହେବ ବୋଲି ଗାଭାସ୍କର କହିଛନ୍ତି।
ଗାଭାସ୍କର କହିଛନ୍ତି, ନବଦୀପ ସାଇନି ଭଲ ବୋଲିଂ କରନ୍ତି ମାତ୍ର ସେ ଦୁଇଟି ଅଭ୍ୟାସ୍ ମ୍ୟାଚ୍ରେ ଯେଉଁଭଳି ପ୍ରଦର୍ଶନ କଲେ ସେଥିରେ ସେ ଓ୍ଵିକେଟ୍ ନେଇ ପାରିନଥିଲେ। ଦୁଇ ଦଳ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ଡିସେମ୍ବର ୨୬ରେ ମେଲବର୍ଣ୍ଣରେ ଆରମ୍ଭ ହେବ।