ସମୀର ୱାନଖେଡେଙ୍କ ପିତାଙ୍କ ବୟାନ-'ମୁଁ ଦଳିତ, ମୋ ପୂର୍ବଜ ହିନ୍ଦୁ...ତାହେଲେ ପୁଅ କେମିତି ମୁସଲମାନ ହେଲା ?'

Published By : Prameya-News7 Bureau | October 27, 2021 IST

ମୁମ୍ବାଇ ୨୭/୧୦ : ଏନସିବି ଅଧିକାରୀ ସମୀର ୱାନଖେଡେଙ୍କ ଧର୍ମକୁ ନେଇ ବୟାନବାଜି ଜାରି ରହିଛି। ପତ୍ନୀଙ୍କ ପରେ ସମୀର ୱାନଖେଡେଙ୍କ ଧର୍ମକୁ ନେଇ ତାଙ୍କ ପିତା ଜ୍ଞାନଦେବ ୱାନଖେଡେ ପ୍ରତିକ୍ରିୟା ରଖିଛନ୍ତି। ବୁଧବାର ଦିନ ସେ କହିଛନ୍ତି ଯେ ତାଙ୍କର ପୂର୍ବଜ ହିନ୍ଦୁ ଥିଲେ, ତ ପୁଅ ମୁସଲମାନ କେମିତି ହେବ ? ସୋମବାର ଦିନ ମଧ୍ୟ ନିଜ ନାଁ କୁ ନେଇ ସଫେଇ ଦେଇଥିଲେ ଓ କହିଥିଲେ ଯେ ତାଙ୍କ ଦାଉଦ ନୁହେଁ। ରାଷ୍ଟ୍ରବାଦୀ କଂଗ୍ରେସ ନେତା ନବାବ ମଲିକ ଦାବି କରିଥିଲେ ଯେ ଏନସିବି ଅଧିକାରୀଙ୍କ ଅସଲି ନାଁ ସମୀର ଦାଉଦ ୱାନଖେଡେ।

ସମାଚାର ଏଜେନ୍ସି ଏଏନଆଇ ସହ କଥା ହୋଇ ସମୀର ୱାନଖେଡେଙ୍କ ପିତା କହିଛନ୍ତି ଯେ, "ମୁଁ ନିଜେ ଦଳିତ...ଆମେ ସମସ୍ତେ, ମୋ ଜେଜେ-ଅଣଜେଜେ ହିନ୍ଦୁ ଥିଲେ...ତାହେଲେ ମୋ ପୁଅ ମୁସଲମାନ କେମିତି ହେବ ? ନବାବ ମଲିକ ଏହା ବୁଝିବା ଦରକାର।" 

ନବାବ ମଲିକ ସମୀର ୱାନଖେଡେଙ୍କ ଉପରେ ସରକାରୀ ଚାକିରୀ ହାସଲ କରିବାକୁ ନକଲି ପ୍ରମାଣପତ୍ର ତିଆରି କରିଥିବା ଆରୋପ ଲଗାଇଛନ୍ତି। ସେ ଭୁଲ ପ୍ରମାଣିତ ହେଲେ ରାଜନୀତି ଛାଡି ଦେବେ ବୋଲି ମଧ୍ୟ କହିଛନ୍ତି।

ସାମ୍ବାଦିକଙ୍କ ସହ କଥା ହୋଇ ସମୀର କହିଥିଲେ ଯେ ସେ ଜନ୍ମରୁ ହିନ୍ଦୁ ଓ ଦଳିତ ପରିବାରରୁ ଆସିଛନ୍ତି। ସେ ଏବେ ବି ହିନ୍ଦୁ। ସେ କେବେ ଧର୍ମନ୍ତରଣ କରିନାହାନ୍ତି। ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଏବଂ ଏଥିପାଇଁ ସେ ଗର୍ବିତ। ତାଙ୍କ ପିତା ହିନ୍ଦୁ ଓ ମାତା ମୁସଲମାନ ଥିଲେ। ମାତା ଚାହୁଁଥିଲେ ମୁସଲମାନ ରୀତିନୀତି ଅନୁସାରେ ତାଙ୍କର ବାହାଘର ହେଉ। ସେହି ମାସରେ ତାଙ୍କ ବିବାହ ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁଯାୟୀ ରେଜିଷ୍ଟ୍ରେସନ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.