ସମଲିଙ୍ଗୀ ସଂପର୍କରେ ଆଜି ସୁପ୍ରିମକୋର୍ଟ ପ୍ରକାଶ କରିବେ ରାୟ

Published By : Prameya-News7 Bureau | September 06, 2018 IST

ନୂଆଦିଲ୍ଲୀ ୬|୯: ଆଜି ଆସିବ ଧାରା ୩୭୭ ଉପରେ ରାୟ । ସମ୍ମତି ଭିତ୍ତିରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧଭୁକ୍ତ କରୁଥିବା ଭାରତୀୟ ପିଙ୍ଗଳ କୋଡ୍ ଧାରା ୩୭୭ ସମ୍ବନ୍ଧୀୟ ମାମଲା ଉପରେ ଆଜି ସର୍ବୋଚ୍ଚ ଅଦାଲତ ଚୂଡାନ୍ତ ରାୟ ପ୍ରକାଶ କରିବେ । ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଜୁଲାଇ ୧୭ରେ ଏହି ମାମଲାର ଅନ୍ତିମ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ଦୁଇ ଜଣ ପ୍ରାପ୍ତ ବୟସ୍କ ସମଲିଙ୍ଗୀଙ୍କ ମଧ୍ୟରେ ସହମତି ଭିତ୍ତିରେ ଅପ୍ରାକୃତିକ ଶାରୀରିକ ସମ୍ପର୍କକୁ ଆଇନ ଦୃଷ୍ଟିକୋଣରୁ ଅପରାଧ ଘୋଷଣା କରିବା ସମ୍ବନ୍ଧୀୟ ସମସ୍ତ ନିଷ୍ପତ୍ତି କେନ୍ଦ୍ର ସରକାର କୋର୍ଟଙ୍କ ଉପରେ ଛାଡ଼ି ଦେଇଛନ୍ତି । ପ୍ରଚଳିତ ଆଇନ ଅନୁସାରେ କୌଣସି ପୁରୁଷ, ମହିଳା କିମ୍ବା ପଶୁଙ୍କ ସହିତ ଅପ୍ରାକୃତିକ ଶାରୀରିକ ସମ୍ପର୍କ ସ୍ଥାପନ ଏକ ଅପରାଧ । ଧାରା ୩୭୭ ଅନୁସାରେ ଏହି ଅପରାଧ ପାଇଁ ଦୋଷୀଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡାଦେଶ ଦେବାର ବ୍ୟବସ୍ଥା ରହିଛି । କିନ୍ତୁ ଏହି ଧାରା ବିରୋଧରେ ସ୍ବେଚ୍ଛାସେବୀ ସଂଗଠନ ନାଜ୍ ଫାଉଣ୍ଡେସନ୍ ପ୍ରଥମଥର ଲାଗି ସ୍ବର ଉଠାଇ ୨୦୦୧ ମସିହାରେ କୋର୍ଟଙ୍କ ଆଶ୍ରୟ ନେଇଥିଲା। ପରେ ମାମଲା ଦିଲ୍ଲୀ ହାଇକୋର୍ଟକୁ ଯାଇଥିଲା । ଧାରା ୩୭୭କୁ ଅପରାଧମୁକ୍ତ କରିବା ସପକ୍ଷରେ ୨୦୦୯ମସିହାରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ଏହି ରାୟକୁ ଖାରଜ କରିଦେଇଥିଲେ । ଚଳିତ ବର୍ଷ ମେ ମାସରେ ଆଇଆଇଟିର ଏଲଜିବିଟି (ଲେସବିଆନ, ଗେ, ବାଇ-ସେକ୍ସୁଆଲ ଏବଂ ଟ୍ରାନ୍ସଜେଣ୍ଡର ) ସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । କୋର୍ଟ ଏହାକୁ ବିଚାର ପାଇଁ ଗ୍ରହଣ କରି ଜୁଲାଇ ୧୭ତାରିଖରେ ମାମଲାର ରାୟକୁ ସଂରକ୍ଷିତ ରଖିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.