ଦାମ ଖୁସୀ ହେବେ ନା ଦୁଃଖ କରିବେ ? ନିଜେ ହାରିଲେ, କିନ୍ତୁ ପୁଅ ଜିତିଲା

Published By : Prameya-News7 Bureau | May 24, 2019 IST

ଭୁବନେଶ୍ବର ୨୪।୫: ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଡାକ୍ତର ଦାମୋଦର ରାଉତଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରୁ ଚଳିତ ଥର ନିର୍ବାଚନ ହାରିଛନ୍ତି ଦାମ । ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ ଦାମଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳିରୁ ବରିଷ୍ଠ ବିଜେପି ନେତା ଦାମୋଦର ରାଉତ ୩୭୬୧୧ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ ୧୦୩୮୧୪ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ ।ଅର୍ଥାତ ଦାମଙ୍କୁ ରଘୁନନ୍ଦନ ୬୬ହଜାର୨୦୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଏତେବଡ ବ୍ୟବଧାନରେ ଦାମ ପରାସ୍ତ ହେବା ତାଙ୍କ ବ୍ୟକ୍ତିଗତ ଭାବନୂର୍ତ୍ତି ଓ ଜନସମ୍ପର୍କ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।  ଏଠାରେ କଂଗ୍ରେସ ଲଲାଟେନ୍ଦୁ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିଲା ।

ବାଲିକୁଦା-ଏରସମାରୁ ଦାମ ରାଉତଙ୍କୁ ଜନତା ପ୍ରତ୍ୟାଖ୍ୟାନ କରିଥିବାବେଳେ ପାରାଦୀପରୁ ବିଧାୟକ ପ୍ରାର୍ଥୀ ହୋଇଥିବା ସମ୍ବିତଙ୍କୁ ଜନତା ବିଧାନସଭା ପଠାଇଛନ୍ତି । ପାରାଦୀପ ବିଧାନସଭା ଆସନରୁ ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟ ବିଜୟୀ ହୋଇଛନ୍ତି । ପ୍ରଥମଥର ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ସମ୍ବିତ ୬୯୮୭୧ ଖଣ୍ଡ ଭୋଟ୍ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅରିନ୍ଦମ ସର୍କେଲଙ୍କୁ ୪୮୮୭୯ ଖଣ୍ଡ ଭୋଟ୍ ମିଳିଛି । ଅର୍ଥାତ ସର୍କେଲଙ୍କୁ ସମ୍ବିତ ୨୦ ହଜାର ୯୯୨ଖଣ୍ଡ ଭୋଟରେ ପରାସ୍ତ କରଛନ୍ତି । ସେହିଭଳି ଏଠାରେ ବିଜେପି ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କୁ ପ୍ରାର୍ଥୀ କରିଥିଲା । ତେବେ ସମ୍ବଦ ୩୫୦୩୭ ଖଣ୍ଡ ଭୋଟ୍ ପାଇଛନ୍ତି ।

ଦାମ ଦୀର୍ଘ ଦିନ ଧରି ପାରାଦୀପ ଆସନରେ ବିଜେଡି ଟିକେଟ୍ ରୁ ନିର୍ବାଚନ ଲଢୁଥିଲେ । ଦାମ ବିଜେଡି ଦଳ ଛାଡି ବିଜେପିରେ ଯୋଗଦେବା ପରେ ପାରାଦୀପ ଆସନରୁ ତାଙ୍କ ପୁଅ ସମ୍ବିତ ରାଉତଙ୍କୁ ଦଳ ଟିକେଟ୍ ଦେଇଥିଲା । ବିଜେପି କିନ୍ତୁ ଦାମଙ୍କୁ ପାରାଦୀପରୁ ଟିକେଟ୍ ନଦେଇ ବାଲିକୁଦା-ଏରସମା ଆସନରୁ ନିର୍ବାଚନ ଲଢିବା ଲାଗି ଟିକେଟ୍ ଦେଇଥିଲା । ଦାମ ରାଉତ ଏଠାରୁ ନିର୍ବାଚନ ହାରିଥିବାବେଳେ ସମ୍ବିତ ରାଉତରାୟ ବିଜୟୀ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.