ପୁରୀ ଲୋକସଭା ଆସନରେ ବିଜେପିରୁ ସମ୍ବିତ ପାତ୍ର ଲଢିବେ ନିର୍ବାଚନ

Published By : Prameya-News7 Bureau | March 23, 2019 IST

ନୂଆଦିଲ୍ଲୀ ୨୩।୩: ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି । ଦ୍ଵିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଓ ୨୨ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ଭାରତୀୟ ଜନତା ପାର୍ଟି ।

ତେବେ ଆଗାମୀ ନିର୍ବାଚନରେ ପୁରୀ ଆସନରୁ ଲଢିବେ ସମ୍ବିତ ପାତ୍ର । ପୂର୍ବରୁ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ତେବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ସମ୍ବିତ ପାତ୍ରଙ୍କୁ ବିଜେପି ପୁରୀରୁ ପ୍ରାର୍ଥୀ କରିଛି । ପ୍ରଥମ ଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଥିବା ସମ୍ବିତ ପାତ୍ର ୨୦୧୯ରେ ପୁରୀରୁ ନିଜ ଭାଗ୍ୟ ପରୀକ୍ଷା କରିବେ ।

ଦୀର୍ଘ ବର୍ଷ ଧରି ଏହି ଆସନରେ ବିଜେଡି ନିଜର ଦବଦବା ଦେଖାଇ ଆସିଛି । ପିନାକୀ ମିଶ୍ର ଲଗାତର ଭାବେ ଏହି ଆସନରୁ ଜିତିଛନ୍ତି । ଏହା ଅନ୍ତର୍ଗତ ବିଧାନସଭା ଆସନରେ କେବଳ ଚିଲିକାକୁ ଛାଡିଦେଲେ ବିଜେପି ଅନ୍ୟ କୈାଣସି ଆସନରେ ମଧ୍ୟ ଜିତି ପାରିନାହିଁ ।

ପ୍ରଥମ ଥର ପୁରୀ ଲୋକସଭା ଆସନରୁ ସେ ନିର୍ବାଚନ ଲଢୁଥିବାରୁ ବହୁତ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି ସମ୍ବିତ ପାତ୍ର । ଓଡିଶାରେ ଜନ୍ମ ହୋଇଥିଲେ ମଧ୍ୟ ପୁରୀ ପାଇଁ ସେ ସଂପୂର୍ଣ୍ଣ ନୂଆ । ପୁରୀରୁ ନିର୍ବାଚନ ଲଢିବାକୁ ନେଇ ତାଙ୍କ ଏଜେଣ୍ଡା ରହିଛି ପୁରୀକୁ ସାରା ବିଶ୍ବ ଦରବାରରେ ଉର୍ଦ୍ଧ୍ବରେ ରଖିବା । ପୁରୀର ବିକାଶ ପ୍ରସଙ୍ଗ ସବୁକୁ କିଭଳି ସଂସଦରେ ଉପସ୍ଥାପନ କରିହେବ ତା ଉପରେ ସେ ଫୋକସ୍ କରିବେ । ତେବେ ସେ ମୋଦିଙ୍କ ଡାକିଆ ହୋଇ ପୁରୀକୁ ଯାଇଥିବା କହିଛନ୍ତି । ପୁରା ଲୋକଙ୍କ ଚିଠି ନେଇ ମୋଦିଙ୍କ ପାଖକୁ ଯିବେ ଏବଂ ମୋଦି ଯାହା ଟଙ୍କା ଦେବେ ତାକୁ ପୁରୀରେ ପହଞ୍ଚାଇଦେବା କାମ କରିବେ ବୋଲି ସମ୍ବିତ କହିଛନ୍ତି । ପୁରୀର ପ୍ରତ୍ୟେକ ଲୋକଙ୍କ ସମସ୍ୟା ନେଇ ମୋଦିଙ୍କ ପହଞ୍ଚାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି । ପୁରୀରେ ଗୋଟିଏ ମେଡିକାଲ କଲେଜ ହେବା କଥା ବୋଲି ସେ କହିଛନ୍ତି । ପୁରୀରେ ରେଲଓ୍ବେ ସର୍ଭିସ୍, ମତ୍ସ୍ୟ ଯୋଜନାକୁ ଆଗକୁ ବଢାଇବା, ନୟାଗଡରେ ବନ୍ଦ ଥିବା ଚିନି କାରଖାନାକୁ ଚାଲୁ କରିବା ଆଦି ଉପରେ ନିଷ୍ପତ୍ତି ନେବେ ବୋଲି ସେ ପ୍ରକାଶ କରିଛନ୍ତି । ଚଳିତ ଥର ଲୋକସଭା ପାଇଁ ୨୧ଟି ପଦ୍ମ ଫୁଟିବାକୁ ଆଶା ରଖିଛନ୍ତି ସମ୍ବିତ ପାତ୍ର ।

ପୁରୀ ଲୋକସଭା ଆସରୁ ପ୍ରାର୍ଥୀ ଘୋଷଣା ହେବା ପରେ ଆସନ୍ତାକାଲି ଓଡିଶା ଗସ୍ତରେ ଯିବେ ସମ୍ବିତ ପାତ୍ର । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀଷ ଭିକ୍ଷା କରିବେ ।

ସୂଚନାଯୋଗ୍ୟ ଯେ, ତୃତୀୟ ପର୍ଯ୍ୟାୟରେ ପୁରୀ ଲୋକସଭା ଆସନ ପାଇଁ ନିର୍ବାଚନ ହେବ । ମାତ୍ର ଏହି ଆସନ ପାଇଁ ଏଯାଏଁ ବିଜେଡି କିମ୍ବା କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି ।

wp:core-embed/youtube {"url":"https://www.youtube.com/watch?v=WxvEfy26Ldw","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=WxvEfy26Ldw
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.