ପାଟନା ୧୮।୯: ବିହାର ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଜୋର ଧରିଲାଣି। ବିଜେପି ଲାଗି ଦଳର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ରାଜଧାନୀ ପାଟନାରେ ସାଧାରଣ ସଭାକୁ ଶୁକ୍ରବାର ସମ୍ବୋଧିତ କରିଥିବା ବେଳେ ଲାଲୁଙ୍କ ରାଷ୍ଟ୍ରୀୟ ଜନତା ଦଳ( ଆରଜେଡି) ଓ ଲାଲୁଙ୍କ ପରିବାରକୁ ସିଧାଶଳକ ଆକ୍ଷେପ କରିଛନ୍ତି।
ଆରଜେଡିର ନିର୍ବାଚନୀ ଚିହ୍ନ ଲଣ୍ଠନରେ ଆଉ ତେଜ ନଥିବା କହିଛନ୍ତି ସମ୍ବିତ ପାତ୍ର । ସେହିପରି ପ୍ରତାପ କେବଳ ନାମକୁ ମାତ୍ର ବୋଲି କହିବା ନିର୍ବାଚନୀ ସଭାରେ ହାସ୍ୟରୋଳ ସୃଷ୍ଟି କରିଥିଲା। ବିଜେପି ମୁଖପାତ୍ର କେବଳ ଲାଲୁ, ତାଙ୍କ ପରିବାର ଅଥବା ଦଳ ନୁହେଁ କଂଗ୍ରେସକୁ ମଧ୍ୟ ଭାଷଣରେ ଟାର୍ଗେଟ କରିଥିଲେ। ବିହାରରେ ଭାଇ-ଭାଇ ଲଢେଇ ସେପଟେ ଦିଲ୍ଲୀରେ ଭାଇ-ଭଉଣୀ ଲଢେଇ ବୋଲି କହିଥିଲେ ପାତ୍ର।
ଗୋଟିଏପଟେ ପରିବାର ବାଦ ଓ ଅନ୍ୟପଟେ ନିଷ୍ପତ୍ତି ନେବାର କ୍ଷମତା ଏଥିରୁ ଭୋଟର ଯାହାକୁ ବାଛିବେ ବୋଲି କହିଛନ୍ତି ପାତ୍ର। ନିକଟରେ ଆରଜେଡି ନେତା ତେଜ ପ୍ରତାପ ବିଜେପିର ପ୍ରଚାର ଅଭିଯାନ ଆତ୍ମ ନିର୍ଭର ବିହାରକୁ କଟାକ୍ଷ କରିଥିଲେ। ଏଥିରେ ବିଜେପି ଆଗ ରାଜ୍ୟରେ ନିଜେ ଆତ୍ମ ନିର୍ଭର ହେଉ ପରେ ବିହାର କଥା ଚିନ୍ତା କରିବ ବୋଲି କହିଥିଲେ। ଯାହାକୁ ପାତ୍ର ଶୁକ୍ରବାର ସଭାରେ ସୁଝାଇଛନ୍ତି।