'ପୋଲିସ ବାବୁ ଶୁଣିଲେନି, ମୋ ସଂସାର ଉଜୁଡିଗଲା...' ; ମିନତୀଙ୍କ ବିନତିର ଜବାବ ଦେବ କିଏ ?

Published By : Prameya-News7 Bureau | October 05, 2020 IST

ଭୁବନେଶ୍ୱର ୦୫।୧୦: ଭୁବନେଶ୍ୱର ମିଠା ଦୋକାନୀଙ୍କ ହତ୍ୟା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ପୂର୍ବରୁ ବାରମ୍ବାର ଦୋକାନକୁ ଆସି ମିଠା ଫିଙ୍ଗାଫୋଫଡା କରୁଥିଲେ। ଅଞ୍ଚଳ ଛାଡି଼ ପଳାଅ, ନହେଲେ ମାରିଦେବୁ ବୋଲି ଧମକାଉଥିଲେ। ଥରେ ନୁହେଁକି ଦୁଇଥର ନୁହେଁ , ବରଂ ଏନେଇ ୫-୬ ଥର ଥାନାରେ ଅଭିଯୋଗ କରିଛୁ। ସୁରକ୍ଷା ମାଗିଛୁ ।ଶେଷରେ ମତେ ଏମିତି ନ୍ୟାୟ ଦେଲ ବାବୁ? ଲୁଚିଛପି ନୁହେଁ, ଖୁଲମ୍‌ଖୁଲା ସେମାନେ ମୋ ସ୍ୱାମୀକୁ ହାଣିଦେଲେ। ମୋ ପିଲାଛୁଆ ସଂସାର ଭାସିଗଲା। ୨ ଛୋଟ ଝିଅଙ୍କୁ ନେଇ ଏବେ କୁଆଡ଼େ ଯିବି? । ପୋଲିସ ବାବୁ ମୋ ଗୁହାରୀ ଶୁଣିଲେନି । ଯାହାଫଳରେ କି ମୋ ସଂସାର ଉଜୁଡିଗଲା । ଏବେ ମିନତୀଙ୍କ କୋକୁଳ ବିନତୀର ଜବାବ ଦେବ କିଏ ?

ରବିବାର ଦିନ ସାମନ୍ତରାପୁର ଛକରେ ହତ୍ୟାର ଶିକାର ହୋଇଥିବା ଶମ୍ଭୁଙ୍କ ସ୍ତ୍ରୀ ମିନତୀର ପୋଲିସକୁ ଏଭଳି କୋହଭରା ଆବେଦନ କରିଛନ୍ତି । ଆରପାରିକୁ ଚାଲିଯାଇଥିବା ଶମ୍ଭୁଙ୍କ ରକ୍ତ ଜୁଡୁବୁଡୁ ମରଶରୀରକୁ କୋଳରେ ଧରି ସେ ଏମିତି ବାହୁନି ହେଉଥିଲେ। ପୋଲିସ୍‌କୁ ନ୍ୟାୟ ମାଗୁଥିଲେ। ମଝିରେ ମଝିରେ ରାସ୍ତାରେ ମୁଣ୍ଡକୁ ପିଟୁଥିଲେ। ଆଉ କାନ୍ଦିକି କହୁଥିଲେ, ମୋ ଧନର କିଛି ହୋଇନି। ସେ ଶୋଇଛି। ମୋ ଧନ ଫେରିକି ଆସିବ।

ଦୁର୍ବୃତ୍ତମାନେ ତାଙ୍କ ବେକକୁ କାତିରେ ହାଣି ପକାଇଥିଲେ। ଦୁର୍ବୃତ୍ତଙ୍କଠାରୁ ବଞ୍ଚିବା ପାଇଁ ଜମ୍ଭୁ ରାସ୍ତାରେ ଇଆଡେ ସିଆଡେ ଧାଇଁଥିଲେ। ୟା ତା’ ପାଖକୁ ଯାଇ ରକ୍ଷା କରିବାକୁ ଗୁହାରି ହୋଇଥିଲେ । କିନ୍ତୁ କେହି ଶୁଣିଲେନି । ଶେଷରେ ରାସ୍ତା ମଝିରେ ଟଳିପଡି଼ଲେ। ଭୁବନେଶ୍ୱର-ପୁରୀ ରାସ୍ତା ମଝିରେ ପଡି଼ଥିଲା ଶମ୍ଭୁଙ୍କ ରକ୍ତାକ୍ତ ମର ଶରୀର । ଶବ ଚାରିପାଖେ ରକ୍ତ ବିଛାଇ ହୋଇଯାଇଥିଲା । ବର୍ଷା ପାଣି ସହ ମିଶି ଯାଇଥିଲା । ଏହି ରାସ୍ତା ଦେଇ ଯିଏ ଯାଉଥିଲା, ଶମ୍ଭୁଙ୍କ ପତ୍ନୀଙ୍କ କୋହଭରା କଣ୍ଠସ୍ୱର ଶୁଣି ଅଟକି ଯାଉଥିଲା । ସ୍ୱାମୀଙ୍କୁ ହରାଇଥିବା ଜଣେ ସ୍ତ୍ରୀର ରାସ୍ତା ମଝିରେ ଏଭଳି କରୁଣ ଦୃଶ୍ୟ ବେଶ୍‌ ହୃଦୟ ବିଦାରକ ଥିଲା। ଶମ୍ଭୁଙ୍କ ଦୁଇ ଝିଅ । ଜଣେ ଅଷ୍ଟମ ଓ ଜଣେ ଦଶମ ଶ୍ରେଣୀରେ ପଢ଼ୁଛନ୍ତି । ଶମ୍ଭୁଙ୍କ ମିଠା ଦୋକାନରୁ ହିଁ ସେମାନଙ୍କ ପରିବାର ଚଳୁଥିଲା । ଶମ୍ଭୁଙ୍କ ହତ୍ୟା ପରେ ଏବେ ସେମାନଙ୍କ ପରିବାର ଭରଣପୋଷଣ ଚିନ୍ତା ବଢ଼ିଛି।

କଣ ଥିଲା ବିବାଦ-

ସାମନ୍ତରାପୁରରେ ଥିବା ଅନ୍ୟ ଏକ ମିଠା ଦୋକାନରେ ଶମ୍ଭୁ ପୂର୍ବରୁ ମିଠା କାରିଗର ଥିଲେ । ଦୀର୍ଘ ଦିନ ଧରି ସେଠାରେ ସେ ମୁଖ୍ୟ ମିଠା କାରିଗର ଭାବେ କାମ କରିଛନ୍ତି । ସୁଆଦିଆ ରସଗୋଲା ତିଆରିରେ ଶମ୍ଭୁ ମାହିର୍‌ ଥିଲେ । ତାଙ୍କ ତିଆରି ମିଠାର ବେଶ୍‌ ଡିମାଣ୍ଡ ଥିଲା । ସେତେବେଳେ ଉକ୍ତ ଦୋକାନରେ ଧୁମ୍‌ ବେପାର ହେଉଥିଲା । କିନ୍ତୁ ଦୁଇବର୍ଷ ତଳେ କୌଣସି କାରଣରୁ ଝଗଡ଼ା ହେବାରୁ ଉକ୍ତ ଦୋକାନ ଛାଡି଼ ଶମ୍ଭୁ ନିଜେ ଗୋଟିଏ ମିଠା ଦୋକାନ କରିଥିଲେ । ସେପଟେ ପୁରୁଣା ମିଠା ଦୋକାନର ବେପାର ଧୀରେ ଧୀରେ ମାନ୍ଦା ହୋଇଥିଲା ।

ଏପଟେ ଶମ୍ଭୁଙ୍କ ବେପାର ଢ଼େର ବଢ଼ିଥିଲା । ଏମିତି ରସଗୋଲା ବେପାରକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଯେଉଁ ଦୋକାନରେ ଶମ୍ଭୁ କାରିଗର ଭାବରେ କାମ କରୁଥିଲେ।  ସେହି ଦୋକାନ ମାଲିକ ବଳରାମ ଓ ତାଙ୍କ ଦୁଇ ପୁଅ ପୂର୍ବରୁ ଶମ୍ଭୁଙ୍କ ସହ ଏକାଧିକ ଥର ଝଗଡା କରିଛନ୍ତି । ଶମ୍ଭୁଙ୍କ ଦୋକାନରେ ଭଙ୍ଗାରୁଜା ବି କରିଛନ୍ତି । ଏନେଇ ଅଭିଯୋଗ ପରେ ପୁଲିସ ଉଭୟଙ୍କ ଝଗଡ଼ାର ଆପୋସ ବୁଝାମଣା କରିଛି । ହତ୍ୟାରେ ବାପା-ପୁଅଙ୍କ ସମ୍ପୃକ୍ତି ଅଭିଯୋଗ ସନ୍ଦେହରେ ପୁଲିସ ବଳାରାମଙ୍କୁ ଉଠାଇ ଆଣିଛି । ସେପଟେ ତାଙ୍କ ଦୁଇ ପୁଅ ଫେରାର୍‌ ଥିବା ପୁଲିସ ସୂଚନା ଦେଇଛି ।

wp:heading {"level":5}
ଘଣ୍ଟାଏ ପୂର୍ବରୁ ଜଗିଥିଲେ ହତ୍ୟାକାରୀ
/wp:heading

ବର୍ଷା ଯୋଗୁଁ ଶମ୍ଭୁ ଦୋକାନ ବିଳମ୍ବରେ ଖୋଲିଥିଲେ । କିନ୍ତୁ ସେ ଦୋକାନକୁ ଆସିବାର ଘଣ୍ଟାଏ ପୂର୍ବରୁ ହତ୍ୟାକାରୀ ସେଠାରେ ପହଞ୍ଚି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ଶମ୍ଭୁଙ୍କ ମିଠା ଦୋକାନଠୁ ୩-୪ଟି ଦୋକାନ ଛାଡି଼ ୨ଜଣ ଅଭିଯୁକ୍ତ ରାସ୍ତା କଡ଼ରେ ଅପେକ୍ଷା କରିଥିଲେ । ନମ୍ବର ବିହୀନ ବାଇକ୍‌ ଯୋଗାଡିଥିଲେ । ସାଙ୍ଗରେ ଗୋଟିଏ ଲମ୍ବା କାତିକୁ ଏକ ଗଛ ପଛରେ ଲୁଚାଇ ରଖିଥିଲେ । ଶମ୍ଭୁ ଦୋକାନ ଖୋଲିବା କ୍ଷଣି ୨ ଜଣ ଉକ୍ତ ନମ୍ବର ବିହୀନ ବାଇକ୍‌ରେ ଆସି ଶମ୍ଭୁଙ୍କୁ ଆକ୍ରମଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.