ମହାନଦୀ ପୋଲ ତଳୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣା : ମୋବାଇଲ୍ରେ ନାହିଁ ସିମ୍ କାର୍ଡ, ପଥରରେ ନାହିଁ ରକ୍ତ ଛିଟା ; ହତ୍ୟା ନା ଆତ୍ମହତ୍ୟା ?
5/01/2021 at 10:23 AM

ସମ୍ବଲପୁର ୫।୧: ବୁର୍ଲା ସ୍ଥିତ ମହାନଦୀର ପୋଲ ତଳୁ ଯୁବତୀଙ୍କ କ୍ଷତାକ୍ତ ମୃତଦେହ ମିଳିବା ଘଟଣାରେ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଘଟଣାସ୍ଥଳରେ କେହି ପ୍ରତ୍ୟେକ୍ଷଦର୍ଶୀ ନଥିବାବେଳେ ଯୁବତୀ ଜଣଙ୍କ ତଳକୁ ଡେଇଁଥିବା ନେଇ ହେଉଥିବା ଚର୍ଚ୍ଚାକୁ ସହଜରେ ବିଶ୍ବାସକୁ ନେଉନାହାନ୍ତି ଲୋକେ । ତେବେ ପୋଲ ତଳେ ବଡ ବଡ ପଥର ଖଣ୍ଡ ଥିବାବେଳେ ଏତେ ଉଚ୍ଚରୁ ଡେଇଁବା ପରେ ମଧ୍ୟ ପଥର ଖଣ୍ଡଗୁଡିକରେ ରକ୍ତ ନଲାଗିବା ଘଟଣା ଆଶ୍ଚର୍ଯ୍ୟ କରୁଛି । ଯୁବତୀ ଆତ୍ମହତ୍ୟା ଘଟଣାକୁ ସଜହରେ ବିଶ୍ବାସକୁ ନେଉନାହାନ୍ତି ସମ୍ବଲପୁରବାସୀ ।

ସେପଟେ ପୋଲ ତଳୁ ମିଳିଥିବା ମୋବାଇଲ୍ ଫୋନର ସିମ୍ ନମିଳିବା ଘଟଣା ହତ୍ୟା ଆଡକୁ ଇଙ୍ଗିତ କରୁଛି । ଯୁବତୀଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ସନ୍ଦେହ ଘନୀଭୂତ ହେଉଛି । ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଉନି ତ ? ଗତ ୩ ତାରିଖ ସନ୍ଧ୍ୟାରେ ମିଳିଥିଲା ଯୁବତୀଙ୍କ ମୃତଦେହ ।

ଅନ୍ୟପଟେ ଯୁବତୀଙ୍କ ଭ୍ୟାନିଟି ବ୍ୟାଗରୁ ଏକ ବିଲ୍ ମିଳିଛି । ଯୁବତୀ ଜଣଙ୍କ ଘଚଣା ଦିନ ୩ଟା ବେଳେ ସମ୍ବଲପୁର ଏକ ପ୍ରତିଷ୍ଠିତ ସପିଂ ମଲରୁ ସେହି ଭ୍ୟାନିଟିଟି କିଣିଥିଲେ । ସପିଂ ମଲ୍ ର ସିସିଟିଭି ମଧ୍ୟ ଯାଞ୍ଚ କରିଛି ପୋଲିସ । ହେଲେ ଯୁବତୀଙ୍କ ସହ କିଏ ଯାଇଥିଲେ ନା ସେ ଏକା ସପିଂ ମଲକୁ ଯାଇଥିଲେ ସେନେଇ ପୋଲିସ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ।

ତେବେ ଯୁବତୀ ଜଣଙ୍କ ଯଦି ନିଜେ ଡେଇଁଥାନ୍ତେ ଆଉ ପ୍ରମାଣ ନଷ୍ଟ କରିବାକୁ ଚାହିଁଥାନ୍ତେ ତେବେ ସିମ୍ କାର୍ଡ କାହିଁକି ମୋବାଇଲରୁ କାଢିଥାନ୍ତେ ? ଏହା ଏକ ସୁପରିକଳ୍ପିତ ହତ୍ୟା ଆଡକୁ ଇଙ୍ଗିତ କରୁନି ତ ? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନକୁ ଆସୁଛି ।