ଜାଲ ସାର୍ଟିଫିକେଟ୍‌ରେ ଡିଏସ୍‌ପିକୁ ପ୍ରମୋସନ: ପଦାରେ ପଡିଲା ସମ୍ବଲପୁର ଟାଉନ ଆଇଆଇସିଙ୍କ କେଳେଙ୍କାରୀ

Published By : Prameya-News7 Bureau | February 23, 2021 IST

ସମ୍ବଲପୁର ୨୩।୨: ଜାଲିଆତି କରି ପୋଲିସ ଚାକିରୀ ପାଇଥିବା ଅଭିଯୋଗ । ସମ୍ବଲପୁର ଟାଉନ ଥାନା ଆଇଆଇସିଙ୍କ ନାଁରେ ଆସିଛି ଏହି ସାଙ୍ଘାତିକ ଅଭିଯୋଗ | ଏମିତି ସେମିତି ପୋଲିସ ନୁହେଁ ବରଂ ଏବେ ଏବେ ପ୍ରମୋସନ ପାଇଥିବା ଜଣେ ଡିସିପିଙ୍କ ନାଁରେ ଆସିଛି ଜାତି ଜାଲିଆତି ଭଳି ସଙ୍ଗୀନ ଅଭିଯୋଗ । ମୂଳ ଜାତି ତେଲେଙ୍ଗା ଯାହାକି ଓବିସି/ଏସଇବିସିରେ ଆସୁଥିବା ବେଳେ ଚାକିରୀ ସମୟରେ ଦାଖଲ କରିଥିବା ଜାତି ସାର୍ଟିଫିକେଟରେ ନିଜକୁ କଣ୍ଡ ଯାହାକି ଟଫସିଲ ଭୁକ୍ତ ଜନଜାତି ଦର୍ଶାଇଥିବା ଅଭିଯୋଗ ହୋଇଛି।

ସମ୍ବଲପୁର ଟାଉନ ଥାନା ଅଧିକାରୀ ରମେଶ ଦୋରା କିଛି ଦିନ ତଳେ ଡିଏସପି ପଦକୁ ପ୍ରମୋସନ ପାଇଥିଲେ । ଆଉ ତାଙ୍କୁ ଅନ୍ୟ ସ୍ଥାନରେ ପୋଷ୍ଟିଂ ଦିଆଯାଇନଥିବାରୁ ସେ ପୂର୍ବଭଳି ଆଇଆଇସି ଦାୟିତ୍ବରେ ରହିଛନ୍ତି । ଏଭଳି ଏହି ସମୟରେ ଜାତି ଜାଲିଆତି କରି ଚାକିରୀ ହାତେଇଥିବା ଭଳି ଏକ ଲଜ୍ଜାଜନକ ଅଭିଯୋଗ ଆସିଛି ତାଙ୍କ ନାଁରେ । ଏହି ଜାତି ଜାଲିଆତି ଅଭିଯୋଗରେ ହାଇକୋର୍ଟରେ ଦୁଇଟି ମାମଲା ରୁଜୁ ହୋଇଛି । ପୋଲିସ ଡିଜି, ସମ୍ବଲପୁର ଏସପି, ଉତ୍ତରାଞ୍ଚଳ ଆରଡିସି, ଗୃହ ସଚିବ, ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ସହ ଡିଏସପି ଦୋରାଙ୍କୁ ଏହି ଦୁଇ ମାମଲାରେ ପକ୍ଷଭୁକ୍ତ କରାଯାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସମ୍ବଲପୁର ଏସପି ଏହାର ତଦନ୍ତ ଦାୟିତ୍ବ ସଦର ଏସଡିପିଓଙ୍କୁ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.