ରୋଗୀଙ୍କ ସଂପର୍କୀୟଙ୍କୁ ଡାକ୍ତରଙ୍କ ଆକ୍ରମଣ ଘଟଣା : ସିସିଟିଭି ଫୁଟେଜ୍ ଜବତ, ତଦନ୍ତ କରିବେ ଏସ୍ପି
22/10/2019 at 2:31 PM

ସମ୍ବଲପୁର ୨୨।୧୦: ବୁର୍ଲା ଭୀମସାରରେ ରୋଗୀଙ୍କ ସଂପର୍କୀୟଙ୍କୁ ଡାକ୍ତରଙ୍କ ଆକ୍ରମଣ ଘଟଣାରେ ନିଜେ ତଦନ୍ତ କରିବେ ସମ୍ବଲପୁର ଏସପି କନଓ୍ବର ବିଶାଲ ସିଂ । ଘଟଣାକୁ ନେଇ ଉତ୍ତରାଞ୍ଚଳ ଡିଆଇଜିଙ୍କ ସମୀକ୍ଷା ପରେ ସମ୍ବଲପୁର ଏସପି ଏହି ସୂଚନା ଦେଇଛନ୍ତି । ଉଭୟ ବୁର୍ଲା ମେଡିକାଲ ଏବଂ ନର୍ସିଂହୋମରୁ ଜବତ ହୋଇଛି ସିସିଟିଭି ଫୁଟେଜ ।
ଅନ୍ୟପଟେ ବୁର୍ଲା ମେଡିକାଲ ଡାକ୍ତରଙ୍କ ଭିଡିଓ ଭାଇରାଲ୍ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ସେ କହିଛନ୍ତି ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଏହି ଘଟଣାର ତଦନ୍ତ କରୁଛି । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ବୁର୍ଲା ମେଡିକାଲ ଯାଇଛନ୍ତି । ରିପୋର୍ଟ ଆସିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
ସେପଟେ ଏନେଇ ବୁର୍ଲା ଭୀମସାରରେ ଏକ ତଦନ୍ତ କମିଟି ଗଠନ କରାଯାଇଛି । ଏହି କମିଟିରେ ୨ ଜଣ ପ୍ରଫେସର ଏବଂ ଜଣେ ପ୍ରଶାସନିକ ଅଧିକାରୀ ଅଛନ୍ତି । ଅନ୍ୟପଟେ ଘଟଣାରେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ବୁର୍ଲା ଥାନାରେ ମାମଲା ଦାଏର ହୋଇଛି । ଆଇପିସି-୫୦୬, ୩୨୩, ୩୪୧ ଓ ୩୪ ଧାରାରେ ମାମଲା ରୁଜୁ ହୋଇଛି ।