ଜିଲ୍ଲା ରେଙ୍ଗାଲି ସମବାୟ ସମିତିରେ ଗୋଟାଲା ପରେ ଘୋଟାଲା: ତଥାପି ଚାଲିଛି ମଦ ମାଂସର ଆସର

Published By : Prameya-News7 Bureau | September 29, 2018 IST

ସମ୍ବଲପୁର ୨୯|୯: କିଛି ଲୋକଙ୍କ ପାଇଁ ସମବାୟ ସମିତି ଅଏସ ଆରାମର ମାଧ୍ୟମ ପାଲଟିଯାଇଛି । ଚାଷୀଙ୍କ ପାଇଁ ସରକାରୀ ଖଜାନାରୁ ଆସୁଥିବା କୋଟି କୋଟି ଟଙ୍କାକୁ ବେଧଡ଼କ ଭାବେ ଲୁଟ୍‌ କରି ନିଜ ଖଜାନା ବଢ଼ାଉଥିବା ସମିତିର ସଭାପତି ସମ୍ପାଦକମାନେ ଏଇ ଟଙ୍କାରେ ମଦମାଂସର ଆସର ଜମାଇବାକୁ ମଧ୍ୟ ପଛାଉନାହାନ୍ତି । ଲୁଟ୍‌ କରୁଥିବା ଲୋକଙ୍କୁ କୋଉଠି ପୁଣି ବୋର୍ଡ଼ରେ ଅବସ୍ଥାପିତ କରାଯାଉଛି ତ ଆଉ କୋଉଠି ତଦନ୍ତ ଆଉ ଅଡିଟ୍‌ ନାଁରେ ବର୍ଷ ବର୍ଷ ଧରି ହେଉନି କାର୍ଯ୍ୟାନୁଷ୍ଠାନ । ଏମିତି ଗୋଟେ ଚିତ୍ର ସାମ୍ନାକୁ ଆସିଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସମବାୟ ସମିତିରେ । କ’ଣ ରହିଛି ପୂରା ଘଟଣା ଚାଲନ୍ତୁ ଦେଖିବା । ….. ଆସର ଖୁବ୍‌ ଜମିଛି । ମଝିରେ ଥୁଆ ହୋଇଛି ମଦ ଭର୍ତ୍ତି ଗ୍ଲାସ । ଆଉ ପାଖରେ ଚାଖଣା ବି ଥୁଆ ହୋଇଛି । ହେଲେ ଚାରି ପଟେ ଏମିତି ଘେରି ବସିଥିବା ଏଇ ବାବୁମାନେ କିଏ ?  ୟାଙ୍କ ସହିତ ଆମେ ଆପଣଙ୍କୁ ପରିଚୟ କରାଇଦେଉଛୁ । ଏ ବାବୁ ଜଣକ ହେଉଛନ୍ତି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସମବାୟ ସମିତର ସଭାପତି  ଦୁର୍ଲଭ ଓରାମ ମହାଶୟ । ଆଉ ତାଙ୍କ ସହିତ ଏ ବାବୁ ଜଣକ ହେଲେ ସମବାୟ ସମିତିରେ ପୂର୍ବତନ ସହ ସମ୍ପାଦକ ରମେଶ ମହାନା । ଯିଏ କିଛି ଦିନ ତଳେ ଘୋଟାଲା କରି ସସ୍‌ପେଣ୍ଡ ହେବା ପରେ ଜେଲ ଯାଇଥିଲେ । ଆଉ ଏଠି ଜିମିଛି ଘୋଟାଲାବାଜ୍‌ଙ୍କ ମଦମାଂସର ଆସର । ଅବଶ୍ୟ ଏସବୁ କିଛି ଖୁସିରେ ଚାଲିଛି ।  କୋଉ ଖୁସିରେ ସେକଥା ଏମାନଙ୍କ ମୁହଁରୁ ଶୁଣିବା । …. ଅବଶ୍ୟ ଖୁସିର ମେନ୍‌ କାରଣ କ’ଣ ସେକଥା ଏମାନଙ୍କ ପାଟିରୁ ବାହାରୁନି । ହେଲେ ଆମେ କିନ୍ତୁ ପୂରା ପତ୍ତା ଲଗାଇସାରିଛୁ । ଏମାନେ ଏଇଥି ପାଇଁ ଖୁସି ଯେ, ଚାଷୀ ଋଣରେ କୋଟି କୋଟି ଟଙ୍କା ଘୋଟାଲା କରି ନିକଟରେ ଜେଲ ଯାଇଥିବା ପୂର୍ବତନ ସମିତି ସମ୍ପାଦକ ଶୁକଦେବ ବିଶ୍ବାଳଙ୍କୁ  ପୁଣି ଥରେ ନିଯୁକ୍ତି ଦିଆଯାଇଛି । ତାହା ପୁଣି ଜିଲ୍ଲାପାଳ ଓ କୋଅପରେଟିଭ୍‌ ସୋସାଇଟିର ଡେପ୍ୟୁଟି ରେଜିଷ୍ଟ୍ରାରଙ୍କ ବିନା ଅନୁମତିରେ । ଆଉ ଏଠି ସର୍ବେସର୍ବା ସାଜି  ଶୁକଦେବ ବିଶ୍ବାଳଙ୍କୁ ପୁନଃ ନିଯୁକ୍ତି ଦେଇଛନ୍ତି ଖୋଦ୍‌ ରେଙ୍ଗାଲି ସମବାୟ ସମିତିର ସଭାପତି ଦୁର୍ଲଭ ଓରାମ୍‌ । ଚାଷୀଙ୍କ ଟଙ୍କାରେ ମଉଜ୍‌ କରୁଛନ୍ତି ସମବାୟ ସମିତିର ହର୍ତ୍ତା କର୍ତ୍ତା ଦଇବ ବିଧାତା ସାଜିଥିବା ବୋର୍ଡ଼ର ସଭାପତି, ସମ୍ପାଦକଙ୍କ ଠାରୁ ଆରମ୍ଭ କରି କିଛି ଅସାଧୁ ସଦସ୍ୟ । ସରକାରୀ ଅର୍ଥକୁ ମିଳିମିଶି  ହରିଲୁଟ୍‌ କରୁଛନ୍ତି । ୪କୋଟିରୁ ଅଧିକ ଟଙ୍କାର ଚାଷୀଋଣ ଘୋଟାଲା କରି ରେଙ୍ଗାଲି ସମବାୟ ସମିତିର ପୂର୍ବତନ ସମ୍ପାଦକ ଓ ସହ-ସମ୍ପାଦକ ଜେଲ ଯାଇ ଫେରିଛନ୍ତି । ଆଉ ବର୍ତ୍ତମାନର ସଭାପତିଙ୍କ ସମେତ ମୋଟ ୧୨ଜଣ ସଦସ୍ୟ ବ୍ୟାଙ୍କରୁ ଋଣ ନେଇ ସୁଝୁନଥିବାରୁ ସେମାନଙ୍କ ନାଁରେ ଡିଫଲଟର ନୋଟିସ୍‌ ଗଡ଼ୁଛି । ଏମିତିରେ ସମବାୟ ସମିତିରେ ଚାଲିଥିବା ଘୋଟାଲାବାଜିର ବଡ଼ ପ୍ରମାଣ ଆଉ କ’ଣ ହୋଇପାରେ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.