ଆଇଆଇଏମ୍ ପ୍ରତିଷ୍ଠା ହେବାର ୩ ବର୍ଷ ପରେ ମଧ୍ୟ ନିର୍ମାଣ ହୋଇପାରିଲାନି ସ୍ଥାୟୀ କ୍ୟାମ୍ପସ୍
7/09/2018 at 6:37 PM

ସମ୍ବଲପୁର ୭/୯ : ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ହେବାର ତିନିବର୍ଷ ବିତିଗଲାଣି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସ୍ଥାୟୀ କ୍ୟାମ୍ପସ୍ ନିର୍ମାଣ କରାଯାଇ ପାରିନାହିଁ। ଏହାର ମୁଖ୍ୟ କାରଣ ହେଲା, ରାଜ୍ୟ ସରକାର ପୂର୍ବ ପ୍ରତିଶୃତି ଅନୁଯାୟୀ ୨ଶହ ଏକର ଜମି ପ୍ରଦାନ କରିବାକୁ ଘୋଷଣା କରିଥିଲେ ମଧ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଇଞ୍ଚ୍ ଜମି ପ୍ରଦାନ କରିନାହାଁନ୍ତି। ସେପଟେ କେନ୍ଦ୍ର ସରକାର ୪ଶହ କୋଟି ଟଙ୍କା,ଆଇଆଇଏମ୍ର ସ୍ଥାୟୀ କୋଠା ନିର୍ମାଣ ପାଇଁ ଦେଇଥିଲେ ମଧ୍ୟ, ତାହା ଖର୍ଚ୍ଚ କରାଯାଇପାରୁନାହିଁ। ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ କୁହାଯାଇଛି ଯେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି, ଆଇଆଇଏମ୍କୁ ସ୍ଥାୟୀ ଜମି ପଟ୍ଟା ବଦଳରେ, ୯୯ବର୍ଷ ପାଇଁ ଜମି ଲିଜ୍ ଦିଆଯିବ। ହେଲେ କେନ୍ଦ୍ର ସରକାରଙ୍କ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟର ଗାଇଡ୍ ଲାଇନ୍ ଅନୁସାରେ, ସ୍ଥାୟୀ ଜମିପଟ୍ଟା ନଥିଲେ, ଆଇଆଇଏମ୍ର ସ୍ଥାୟୀ କୋଠା ନିର୍ମାଣ କରାଯାଇପାରିବ ନାହିଁ କି, କେନ୍ଦ୍ର ସରକାରଙ୍କ ୪ଶହ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଇପାରିବ ନାହିଁ। ତେଣୁ ସମ୍ବଲପୁର ଆଇଆଇଏମ୍ ପାଇଁ ସ୍ଥାୟୀ ଜମି ପଟ୍ଟା ଦାବି କରି, ପଶ୍ଚିମାଞ୍ଚଳ ଏକତା ମଞ୍ଚ ସମେତ ବହୁ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଆଜି ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି।