ଆଜି ସମ୍ବଲପୁର IIMର ନିଜସ୍ୱ କ୍ୟାମ୍ପସ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ, ୨୦୨୨ ସୁଦ୍ଧା ସରିବ କ୍ୟାମ୍ପସ୍ ନିର୍ମାଣ !
2/01/2021 at 7:24 AM

ସମ୍ବଲପୁର ୦୨।୦୧ : ଆଜି ସମ୍ବଲପୁର IIMର ନିଜସ୍ୱ କ୍ୟାମ୍ପସ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଭର୍ଚୁଆଲ ମୋଡ୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପ୍ରମୁଖ ସାମିଲ ହେବେ ।
ସମ୍ବଲପୁର ଗୋଶାଳା ନିକଟସ୍ଥ ବସନ୍ତପୁର ନିକଟରେ IIM କ୍ୟାମ୍ପସ୍ ପାଇଁ ମୋଟ ୪୦୧.୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ୨୦୨୨ ସୁଦ୍ଧା କ୍ୟାମ୍ପସ୍ ନିର୍ମାଣ ଶେଷ ହେବାର ଲକ୍ଷ୍ୟ ରହିଛି । ସମ୍ବଲପୁର IIM ୨୦୧୫ମସିହାରୁ ଆରମ୍ଭ ହୋଇଥିବା ଏବେ ଏହା ବୁର୍ଲା ଜ୍ୟୋତି ବିହାର ୟୁନିଭରସିଟି ସ୍ଥିତ ଅସ୍ଥାୟୀ କ୍ୟାମ୍ପସରେ ଚାଲୁଛି । ନିଜସ୍ୱ କ୍ୟାମ୍ପସ୍ ହେଲେ ଅଧିକ ଛାତ୍ରଛାତ୍ରୀ ଏଠାକୁ ଆସିବେ ବୋଲି ସମ୍ବଲପୁର IIM ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏବେ ଦେଶରେ ୨୦ଟି IIM କଲେଜ୍ ରହିଛି, ଯେଉଁଠି ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ପାଠ୍ୟକ୍ରମ ରହିଛି । ୧୯୬୧ରେ ଅହମଦାବାଦ ଏବଂ କୋଲକାତା IIM ସ୍ଥାପିତ ହୋଇଥିଲା ।