ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଂଗ: କାଲି ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଖୋଲିବାକୁ ପ୍ରଶାସନିକ ମସୁଧା, ପରିସ୍ଥିତି ଖରାପ ହେବ ବୋଲି ଓକିଲ ସଂଘର ଚେତାବନୀ
15/01/2019 at 6:22 PM
ସମ୍ବଲପୁର ୧୫|୧: ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲମାନଙ୍କ ଆନ୍ଦୋଳନକୁ ୫ମାସ ପୁରିବାକୁ ଯାଉଛି । ଉଭୟ ପ୍ରଶାସନିକ ଓ ବିଚାରବିଭାଗୀୟ କାର୍ଯ୍ୟାଳୟ ବନ୍ଦ । ତେଣୁ ଆନ୍ଦୋଳନକାରୀ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାକୁ ବସିଲାଣି । କାଲି ଜିଲ୍ଲାପାଳ ପୋଲିସ୍ ଲଗାଇ କାର୍ଯ୍ୟାଳୟ ଖୋଲିବାକୁ ଯାଉଥିବା ବେଳେ, ଓକିଲସଂଘ ଏହାର ତୀବ୍ର ବିରୋଧ କରିବ ବୋଲି କହିଛି । ସେପଟେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏସ୍ପି ।

କାଲି ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଖୋଲିବ । ଯେକୌଣସି ପରିସ୍ଥିତିରେ ବି ପୋଲିସ ଲଗାଇ କାର୍ଯ୍ୟାଳୟ ଖୋଲାଯିବ । ଜିଲ୍ଲାପାଳ ପୋଲିସ ସୁରକ୍ଷା ବଳୟ ଭିତରେ ଅଫିସ ଯିବେ । ଏସପିଙ୍କ ସହ ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି । ବ୍ୟାପକ ପୋଲିସ୍ ମୁତ୍ତୟନ କରି, ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ପରେ ଅନ୍ୟାନ ଅଫିସ ଖୋଲିବାକୁ ଗୋପନ ନିଷ୍ପତ୍ତି ନେଇଛି ଜିଲ୍ଲାପ୍ରଶାସନ । ତେବେ ଏଭଳି କଲେ, ଅହିସାଂ ଆନ୍ଦୋଳନର ରୂପରେଖ ପରିବର୍ତ୍ତନ କରାଯିବ ବୋଲି ସିଏସି କହିଛି । ପ୍ରଶାସନ ଯଦି କାର୍ଯ୍ୟାଳୟ ଖୋଲିବାକୁ ସାହସ କରେ, ତେବେ ତାର ପରିଣତି ଭୋଗିବ ବୋଲି କହିଛନ୍ତି ସିଏସି ସଂପାଦକ ଓ ମୁଖପାତ୍ର । ପରୀକ୍ଷା ପାଇଁ ବୋର୍ଡ କାର୍ଯ୍ୟାଳୟ ଖୋଲିବା ପରେ ଯାହା ହେଲା ସମସ୍ତେ ଦେଖିଲେ । ତେଣୁ ଏହାକୁ ନଜରରେ ରଖି ପ୍ରଶାସନ ଯେମିତି କିଛି ପଦକ୍ଷେପ ନନିଏ ସେଥିପାଇଁ ତାଗିଦ୍ କରିଛି ସିଏସି ।

ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ୫ ମାସ ହେଲା ଚାଲିଛି ଆନ୍ଦୋଳନ । ସମ୍ବଲପୁର ସମେତ ୯ଟି ଜିଲ୍ଲାରେ ରାଜସ୍ବ ବିଭାଗ ଓ ବିଚାରବିଭାଗ ସଂପୂର୍ଣ୍ଣ ଅଚଳ । ସରକାରଙ୍କ ରାଜସ୍ବ ଆଦାୟ ଓ ନିର୍ବାଚନ ପାଇଁ ପ୍ରସ୍ତୁତି କାର୍ଯ୍ୟ ସଂପୂର୍ଣ୍ଣ ଭାବରେ ଠପ୍ । ସେପଟେ କେନ୍ଦ୍ର-ରାଜ୍ୟ ମଧ୍ୟରେ ଚାଲିଛି କେବଳ ଚିଠି ଲେଖା । କେଉଁଠି ବେଞ୍ଚ ପ୍ରତିଷ୍ଠା ହେବ ସେ ନେଇ ସ୍ଥାନ ଘୋଷଣା କରୁନାହାଁନ୍ତି ସରକାର ।

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ବାଟ ଫିଟୁନି। ସେପଟେ ୫ମାସର କାର୍ଯ୍ୟବନ୍ଦ ଆନ୍ଦୋଳନ ସହ, ୪୮ଘଣ୍ଟିଆ ମହାବନ୍ଦ,ତିନିଦିନିଆ ଅର୍ଥନୈତିକ ଅବରୋଧ ବି ହେଇସାରିଛି । ଯଦି ଜିଲ୍ଲାପାଳ ଦାବି ପୁରଣ ପୂର୍ବରୁ, ପୋଲିସ୍ ସହାୟତାରେ, ସମସ୍ତ କାର୍ଯ୍ୟାଳୟ ଖୋଲିବାକୁ ଉଦ୍ୟମ କରନ୍ତି, ତେବେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହେବା ନିଶ୍ଚିତ ।