ସମ୍ବଲପୁରରେ କନେଷ୍ଟବଳ ଚୟନ ଓ ନିଯୁକ୍ତି ପକ୍ରିୟାରେ ବ୍ୟାପକ ଦୁର୍ନିତୀ ଅଭିଯୋଗ
18/09/2018 at 7:09 PM

ସମ୍ବଲପୁର ୧୮/୯ : ସମ୍ବଲପୁର ଜିଲ୍ଲା ପୋଲିସରେ କନେଷ୍ଟବଳ ନିଯୁକ୍ତିରେ ବ୍ୟାପକ ଦୁର୍ନିତୀ ହୋଇଥିବା ଅଭିଯୋଗ କରିଛନ୍ତି ପ୍ରାର୍ଥୀମାନେ। ଏମାନେ ସେହି ପ୍ରାର୍ଥୀ ଯେଉଁମାନେ କି, ପ୍ରଥମେ ଚୟନ ହେଲେ ବୋଲି ନୋଟିସ୍ ବୋର୍ଡରେ ସେମାନଙ୍କ ନାମ ଦେଖିଥିଲେ। ପରେ ନିଯୁକ୍ତି ପ୍ରକ୍ରିୟାରେ ଫେଲ୍ ହୋଇଥିବା କିଛି ପ୍ରାର୍ଥୀଙ୍କୁ ନେଇ ପୁଣି ଦ୍ବିତୀୟ ଚୟନ ତାଲିକା ପ୍ରସ୍ତୁତ କରାଗଲା। ଏହାପରେ ଆଉ କିଛି ଫେଲ୍ ପିଲାଙ୍କୁ ନେଇ ତୃତିୟ ଚୟନ ତାଲିକା ମଧ୍ୟ ନୋଟିସ୍ ବୋର୍ଡରେ ଦେଖିବାକୁ ମିଳିଲା। ହେଲେ ପ୍ରଥମ ତାଲିକାରେ କୃତକାର୍ଯ୍ୟ ହୋଇଥିବା ଅନେକ ପ୍ରାର୍ଥୀଙ୍କ ନାମ, ଦ୍ବିତୀୟ ତାଲିକାରେ ନଥିଲା। ସେହିପରି ଦ୍ବିତୀୟ କୃତକାର୍ଯ୍ୟ ତାଲିକାରେ ଥିବା ଅନେକ ପ୍ରାର୍ଥୀଙ୍କ ନାମ ତୃତିୟ ତାଲିକାରେ ନଥିବା ଦେଖି,ଉତ୍ତେଜନା ପ୍ରକାଶ ପାଇଥିଲା। ପୁର୍ବରୁ ବିଭିନ୍ନ ମାମଲାରେ ସସ୍ପେଣ୍ଡ ହୋଇଥିବା ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ ଓ ଟାଉନଥାନାରୁ ବଦଳି ହୋଇଥିଲେ ମଧ୍ୟ, ନିଜ ନୂଆସ୍ଥାନରେ ଯୋଗନଦେଇ, ସମ୍ବଲପୁରରେ ଡେରା ପକାଇଥିବା ଜଣେ ଡିଏସ୍ପି ପ୍ୟାହାର ଅଧିକାରୀ, ଏହି କନେଷ୍ଟବଳ ଚୟନରେ କିଛି ପ୍ରାର୍ଥୀଙ୍କୁ କୃତକାର୍ଯ୍ୟ କରାଇଦେବା ପାଇଁ, ୮ରୁ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଇଥିବା ଜଣାପଡିଛି। ପ୍ରଥମ ଓ ଦ୍ବିତୀୟ ଚୟନ ଓ କୃତକାର୍ଯ୍ୟ ତାଲିକାରେ ନାମଥିବା କିଛି ଏସ୍ସି,ଏସ୍ଟି ଓ ଓବିସି ପ୍ରାର୍ଥୀଙ୍କ ନାମ, ତୃତିୟ ତାଲିକାରେ ନଥିବାରୁ, ଏହି ଚୟନ ପକ୍ରିୟାରେ ବ୍ୟାପକ ଦୁର୍ନିତୀ ହୋଇଥିବା ପଦାକୁ ଆସିଥିଲା। ଏପରିକି ଏସ୍ପିଙ୍କୁ ଏ ସଂପର୍କରେ ଅଭିଯୋଗ କରିବାକୁ ଆସିଥିବା ପ୍ରାର୍ଥୀମାନଙ୍କୁ ପୋଲିସ୍ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ, ଠେଲାପେଲା କରିବା ଓ ଅଭିଯୋଗ କଲେ ମିଥ୍ୟ ମକଦ୍ଦମାରେ ଫସାଇ ଦେବାକୁ ମଧ୍ୟ ପୋଲିସ୍ ଅଧିକାରୀ ମାନେ ଧମକ ଦେଉଥିବା ଦେଖିବାକୁ ମିଳିଥିଲା….
ସମ୍ବଲପୁର ପୋଲିସ୍ଜିଲ୍ଲା ପାଇଁ ୬୧ଟି କନେଷ୍ଟବଳ ପଦବି ପାଇଁ ଗତ ଜୁଲାଇ ୬ତାରିଖରୁ ସେପ୍ଟେମ୍ବର ୯ତାରିଖ ଯାଏଁ ବିଭିନ୍ନ ପର୍ଯ୍ୟାୟରେ ଶାରୀରିକ ଓ ମାନସିକ ଦକ୍ଷତା ପରୀକ୍ଷା ହୋଇଥିଲା। ଗତ ୧୩ତାରିଖରେ ଏହି ପରୀକ୍ଷାର ଫଳାଫଳ ବାହାରିଥିଲା। ଏହାର ପରଦିନ ଦ୍ବିତୀୟ ଓ ଗତକାଲି ଏହାର ତୃତିୟ ସଂଶୋଧିତ ତାଲିକା ପ୍ରକାଶ ପାଇଥିଲା। ଅଭିଯୋଗ ଅନୁସାରେ ପ୍ରଥମ ତାଲିକାରେ ଥିବା ୮ଜଣ ପ୍ରାର୍ଥୀଙ୍କ ନାମ, ଦ୍ବିତୀୟ ତାଲିକାରେ ନଥିବା ବେଳେ, ତୃତିୟ ତାଲିକାରେ ପ୍ରଥମ ଓ ଦ୍ବିତୀୟ ତାଲିକାରେ ଥିବା ୧୨ଜଣଙ୍କ ନାମ ତୃତିୟ ତାଲିକାରେ ନାହିଁ। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଏହି କନେଷ୍ଟବଳ ଚୟନ ପକ୍ରିୟାରେ ବ୍ୟାପକ ଟଙ୍କା କାରବାର ହୋଇଛି। ସମ୍ବଲପୁର ଏସ୍ପିଙ୍କ ଅତି ନିକଟତର କିଛି ଅସାଧୁ ପୋଲିସ୍ କର୍ମଚାରୀ, ନିକଟରେ ଚାକିରୀରୁ ନିଲମ୍ବନ ହୋଇ ପୁଣି ନିଯୁକ୍ତି ପାଇଥିବା ଓ ଟାଉନ୍ଥାନାରୁ ବଦଳି ହୋଇମଧ୍ୟ ନିଜ ନୂଆ କର୍ମକ୍ଷେତ୍ରକୁ ନଯାଇ, ସମ୍ବଲପୁରରେ ଡେରା ପକାଇଥିବା ଜଣେ ଡିଏସ୍ପି ପ୍ୟାହାର ଅଧିକାରୀ ଏହି ଲାଞ୍ଚ କାରବାରରେ ସଂପୃକ୍ତ ଥିବା, ଜଣେ ପୋଲିସ୍ ଅଧିକାରୀ ସୂଚନା ଦେଇଛନ୍ତି। ହେଲେ ସମ୍ବଲପୁର ଏସ୍ପି ଏହି କଥାକୁ ପରୋକ୍ଷରେ ସ୍ବୀକାର କଲେ ମଧ୍ୟ, ଯାହା କରାଯାଇଛି ତାହା ସ୍ବଛ ଆକାରରେ କରାଯାଇଛି ବୋଲି କହିଛନ୍ତି….