Thursday, August 22, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୪୫ଡିଗ୍ରୀ ଉପରେ ସମ୍ବଲପୁରର ତାପମାତ୍ରା: ୭ଜଣ ଅଂଶୁଘାତର ଶିକାର, ଜଳକଷ୍ଟ ଓ ବିଜୁଳିକାଟରେ ଅତିଷ୍ଠ ହେଲେଣି ଲୋକେ

ସମ୍ବଲପୁର୧୧|୫: ସମ୍ବଲପୁରରେ ଗତ କିଛିଦିନ ହେଲା ଅସହ୍ୟ ତାତି। ପାରଦ ୪୫ ଡିଗ୍ରୀ ଉପରେ ରହୁଛି। ସକାଳ ୯ଟା ହେଲେ ରାସ୍ତାଘାଟ ଶୂନସାନ୍‌। ସେହିଭଳି ଗୁରୁତ୍ବପୂର୍ଣ୍ଣ କାମ ନଥିଲେ ଲୋକମାନେ ଘରୁ ବାହାରକୁ ବାହାରିବାକୁ ଡରୁଛନ୍ତି। ବାହାରକୁ ବାହାରିଲେ ମୁହଁରେ ଓଦା ଗାମୁଛା ଘୋଡାଇ ବାହାରିବାକୁ ପଡୁଛି। ସେପଟେ ଗତ ୩ଦିନ ମଧ୍ୟରେ ସମ୍ବଲପୁରରେ ୭ଜଣ ଅଂଶୁଘାତର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି। ହେଲେ ଜିଲ୍ଲାପ୍ରଶାସନ ନା କରିଛି ଅଂଶୁଘାତର ମୁକାବିଲା ନା ପାନୀୟ ଜଳ ବ୍ୟବସ୍ଥା । ହେଲେ ଜିଲ୍ଲାପାଳ କହିଛନ୍ତିର ପାନୀୟ ଜଳ ବ୍ୟବସ୍ଥା କରାଯାଉଛି ଖୁବ୍‌ ଶୀଘ୍ର ତାହା ଲୋକଙ୍କ ନିକଟରେ ପହଞ୍ଚିବ ।

ସମ୍ବଲପୁରରେ ଅସହ୍ୟ ତାତି। ସକାଳ ୯ଟାରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ସୂର୍ଯ୍ୟ ଦେବ ଯେପରି ଅଗ୍ନିବର୍ଷା କରୁଛନ୍ତି। ଅସହ୍ୟ ତାତି ସାଙ୍ଗକୁ ଜଳକଷ୍ଟ ଲୋକମାନଙ୍କୁ ଅତିଷ୍ଠ କରିଦେଇଛି। ପାରଦ ୪୫ଡିଗ୍ରୀ ଉପରେ ରହୁଥିବାରୁ ସାଧାରଣରେ ଲୋକମାନେ ନାହିଁନଥିବା ଅବସ୍ଥା ଭୋଗୁଛନ୍ତି। ସେପଟେ ସହରରେ ଲୋକମାନଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇଛି ପାଣି। ଜନସ୍ବାସ୍ଥ୍ୟ ବିଭାଗ ଦୁଇଦିନରେ ଥରେ ପାଣି ଛାଡୁଥିବା ବେଳେ, ନଳକୂଅରୁ ପାଣି ବାହାରୁନି। ରାସ୍ତାକଡରେ ପ୍ରଶାସନ ଦ୍ବାରା ବର୍ତ୍ତମାନ ମଧ୍ୟ ଜଳଛତ୍ର ଖୋଲାଯାଇନାହିଁ। ଫଳରେ କିଛି ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ଜଳ ଯୋଗାଇ ଦିଆଯାଉଛି।

ଅସମ୍ଭାଳ ଗରମ ସାଙ୍ଗକୁ ତୁହାକୁ ତାହୁ ବିଦ୍ୟୁତ୍‌ କାଟ ଜନଜୀବନକୁ ପ୍ରଭାବିତ କରୁଛି।  ତଳତାତି ଓ ଉପର ତାତିରେ ଲୋକମାନେ ଛଟପଟ ହେଉଥିବା ବେଳେ, ଉତ୍କଟ ଜଳାଭାବ ସମସ୍ୟାକୁ ଦ୍ବିଗୁଣିତ କରିଛି। ଦିନ ୯ଟା ହେଲେ ରାସ୍ତାଘାଟ ଶୁନସାନ୍‌,ବସ୍‌ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହୁଛି। ଅତି ଜରୁରୀ କାମରେ ଘରୁ ବାହାରକୁ ବାହାରିଥିବା ଲୋକମାନେ ମୁହଁରେ ଓଦା ଗାମୁଛା,ମୁଣ୍ଡାରେ ଟୋପି କିମ୍ବା ଛତା ଧରି ବାହାରୁଛନ୍ତି। ସେପଟେ ମେ ମାସ ୧୧ତାରିଖ ହୋଇସାରିଥିଲେ ମଧ୍ୟ, ଏ ପର୍ଯ୍ୟନ୍ତ ସହରରେ ଜଳଛତ୍ର ଖୋଲିନି। ଲୋକମାନେ ଅସହ୍ୟ ତାତିରୁ ରକ୍ଷା ପାଇବା ପାଇଁ ଗଛଛାଇର ଆଶ୍ରୟ ହିଁ ମୁଖ୍ୟ ହୋଇଛି ।

କେବଳ ସମ୍ବଲପୁର ବାସିନ୍ଦା କାହିଁକି। ବାହାର ଜିଲ୍ଲାରୁ ସମ୍ବଲପୁରକୁ କୌଣସି ଦରକାରି କାମରେ ଆସୁଥିବା ଲୋକମାନେ ମଧ୍ୟ ଏହି ଅସହ୍ୟ ତାତି ସେମାନଙ୍କ ପାଇଁ କଷ୍ଟସାଧ୍ୟ ହେଉଛି।  ତାତିରୁ ରକ୍ଷା ପାଇଁ ଲୋକମାନେ ଦୋକାନପିଣ୍ଡା, ଗଛମୂଳରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି। ପ୍ରଶାସନ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନଙ୍କ ବିଶ୍ରାମସ୍ଥଳୀ ଖୋଲାଯାଇନଥିବା ବେଳେ, ଅଂଶୁଘାତରୁ ରକ୍ଷା ପାଇଁ କୌଣସି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇନାହିଁ।

ସେପଟେ ସହରରେ ଏବେ ଉତ୍କଟ ଜଳାଭାବ ଦେଖା ଦେଇଛି।  ଅନ୍ୟପଟେ ସହରର ୪୧ଟି ୱାର୍ଡରୁ ୨୮ଟି ୱାର୍ଡରେ ଜଳଯୋଗାଣ ବ୍ୟବସ୍ଥା ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି।  ଅଧିକାଂଶ ସାହିରେ ଥିବା ନଳକୂପ ଅଚଳ ହୋଇପଡିଥିବା ଦେଖିବାକୁ ମିଳିଛି। ଟ୍ୟାଙ୍କର ମାଧ୍ୟମରେ ଦୁଇ ଦିନରେ ଥରେ ସାହି ଲୋକମାନଙ୍କୁ ଜଳ ଯୋଗାଣ କରାଯାଉଛି। ଟ୍ୟାଙ୍କର ଆସିଲେ ଶହଶହ ଲୋକ ହାଣ୍ଡି ମାଠିଆ ଧରି ଧାଡିବାନ୍ଧି ପାଣି ନେବା ଦୃଶ୍ୟ ଦେଖିଲେ ଏହା, ସମ୍ବଲପୁର ମହାନଗର ନିଗମ ନା କୌଣସି ଗ୍ରାମାଞ୍ଚଳ ତାହା ଜାଣିବା କଷ୍ଟକର। ପାଣିର ଅଭାବ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ହେଲେ ଜିଲ୍ଲାପାଳ କହିଛନ୍ତି ପରିସ୍ଥିତିକୁ ନଜରରେ ରଖି ଅଧିକ ଜଳଛତ୍ର ଖୋଲିବା ସାଙ୍ଗକୁ ଟ୍ୟାଙ୍କର ମାଧ୍ୟମରେ ଜଳଯୋଗାଣ କରାଯିବ ।

ଦିନକୁ ଦିନ ତାତି ବଢିଚାଲିଥିବା ବେଳେ,ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୩ଦିନ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗିରହିବ ବୋଲି,ପୂର୍ବାନୁମାନ ପରେ, ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସେପଟେ ସମ୍ବଲପୁର ଜିଲ୍ଲାପାଳ ଲମ୍ବା ଛୁଟିରେ ଥିବାରୁ ଜଳାଭାବ ପରିସ୍ଥିତିର କିପରି ମୁକାବିଲା କରାଯିବ ସେ ନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରସ୍ତୁତି କରାଯାଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

149 Views

   ସମ୍ବନ୍ଧିତ ଖବର