ସମ୍ବଲପୁର ବେଜବରୁଆଙ୍କ ଘରକୁ ନେଇ ଥମୁନି ବାଦ ବିବାଦ

Published By : Prameya-News7 Bureau | September 07, 2018 IST

ସମ୍ବଲପୁର ୭/୯ : ସମ୍ବଲପୁର କଚେରୀ ଛକର ମୁଖ୍ୟ ରାସ୍ତା ଉପରେ ରହିଛି, ବେଜବରୁଆଙ୍କ ଘର। ପୂର୍ବରୁ ଜବତ ଦଖଲ ହୋଇଥିବା ଏହି ଘରଟିର ମାଲିକାନାକୁ ନେଇ ନାନା ବିବାଦ ହେବାପରେ, ରାଜ୍ୟ ସରକାର, ରାସ୍ତା ନିର୍ମାଣ ପାଇଁ ଏହି ଘରକୁ ୨କୋଟି ଟଙ୍କାରେ କିଣିଥିଲେ। ହେଲେ ଏବେ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଏହି ଘରକୁ, ଅହମିୟା କବି ବେଜବରୁଆଙ୍କ ସ୍ମୃତି ବୋଲି କହି, ସଂରକ୍ଷତି କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଜିଲ୍ଲାପ୍ରଶାସନକୁ ପ୍ରଭାବିତ କରି ନିଜର ସ୍ବାର୍ଥସାଧନ ପାଇଁ। ମୁଖ୍ୟ ରାସ୍ତା ମଝିରେ ଏହି ଭଙ୍ଗାଦଦରା ଘରକୁ ସଂରକ୍ଷିତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଯାହାକୁ ସମ୍ବଲପୁର ବାସୀ ତୀବ୍ର ବିରୋଧ କରିବା ସହ, ଏହାକୁ ଭାଙ୍ଗି ରାସ୍ତାକୁ ଚଉଡା କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକମାନେ| ସାଧାରଣ ଲୋକଟିଏ ସରକାରୀ ଜାଗାରେ କୁଡିଆ ଟିଏ କରିଥିଲେ, ପୋଲିସ୍‌ ଲଗାଇ ବର୍ଷାଦିନେ ସେହି ଘରକୁ ଭଙ୍ଗା ଯାଉଛି। ଆଉ ପ୍ରଶାସନ କହୁଛି ଯେ, ସାମୁହିକ ସ୍ବାର୍ଥ ଦୃଷ୍ଟିରୁ ଜବରଦଖଲ ହଟାଯାଉଛି। ହେଲେ ସମ୍ବଲପୁରରେ ଏହାର ବିପରିତ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ଏଠି ଜିଲ୍ଲାପ୍ରଶାସନ କିଛି ନ୍ୟସ୍ତସ୍ବାର୍ଥ ଲୋକଙ୍କୁ ସୁରକ୍ଷା ଦେବାକୁ ଯାଇ, ଆସାମର ଅହମିୟା କବି ଲକ୍ଷ୍ମୀକାନ୍ତ ବେଜବରୁଆଙ୍କ ନାମରେ, ଜବରଦଖଲକୁ ପ୍ରଶୟ ଦେଉଛି। ସହର ସବୁଠାରୁ ଜନଗହଳିପୂର୍ଣ୍ଣ ଅଞ୍ଚଳ, କଚେରୀ ଛକର ଠିକ୍‌ ମଝିରାସ୍ତା ଉପରେ ଏକ ଭଙ୍ଗା ଘର ଠିଆ ହୋଇଛି। ଏହାଦ୍ବାରା ଟ୍ରାଫିକ୍‌ ସମସ୍ୟା ହେବାସହ, ଏହି ସ୍ଥାନଟି ସଂପୂର୍ଣ୍ଣ ଭାବରେ ଜବରଦଖଲ ହୋଇ ରହିଛି। ହେଲେ ଅହମୀୟା କବି ବେଜବରୁଆଙ୍କ ସ୍ମୃତିରକ୍ଷା ଆଳରେ, କିଛି ମୁଷ୍ଟିମେୟ ଲୋକ, ଜିଲ୍ଲାପ୍ରଶାସନ ଉପରେ ଚାପ ପ୍ରୟୋଗ କରି,ଏହି ଘରକୁ ନିଜ ଦଖଲରେ ରଖିଛନ୍ତି। ଏହାକୁ ଭାଙ୍ଗିବାକୁ ନଦେବାସହ, ଏଠାରେ ବେଜବରୁଆ ସ୍ମୃତିଭବନ ନିର୍ମାଣ କରିବାକୁ ଦାବି କରୁଛନ୍ତି। ଯାହାକୁ ନେଇ ସାରା ସମ୍ବଲପୁର ସହରରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ପ୍ରକୃତରେ ବେଜବରୁଆ ସମ୍ବଲପୁରରେ କିଛି ବର୍ଷ ରହି ଏଠାରେ କାଠ ବ୍ୟବସାୟ କରିବା ସହ,କିଛି କବିତା ରଚନା କରିଛନ୍ତି। ଯେଉଁ ଘରେ ସେ ବାସ କରୁଥିଲେ ତାହା, ରାସ୍ତାର ଆରପାଖରେ ରହିଛି। ହେଲେ ରାସ୍ତାମଝିରେ ଭଙ୍ଗା ଘରକୁ ଜବରଦଖଲ କରି ରଖିବା ସହ, ତାକୁ ବେଜବରୁଆଙ୍କ ସହ ଯୋଡି କିଛି ଲୋକ ଫାଇଦା ନେବାକୁ ଉଦ୍ୟମ କରୁଛନ୍ତି। ଯାହାକୁ ଦଳମତ ନିର୍ବିଶେଷରେ ସମସ୍ତ ଜନସାଧାରଣ ତୀବ୍ର ବିରୋଧ କରୁଛନ୍ତି | ଏ ନେଇ ଶହେରୁ ଅଧିକ ସ୍ଥାନୀୟ ବାସିନ୍ଦା, ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସମୟରେ, ପୋଲିସ୍‌ ସେମାନଙ୍କୁ ବାଧା ଦେବାରୁ, ପୋଲିସ୍‌ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଲୋକମାନେ ବଳପୂର୍ବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶି, ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। କାହା ସ୍ବାର୍ଥରେ ଏକ ମିଛର ଆଶ୍ରୟ ନେଇ,କିଛି ଲୋକଙ୍କ ଚାପରେ ଆସି ନିଜେ ଜିଲ୍ଲାପାଳ ଏହି ଜବରଦଖଲ ଘରକୁ ଭାଙ୍ଗୁ ନାହାଁନ୍ତି,ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ନିଜକୁ ଐତିହାସିକ ବୋଲି ପରିଚୟ ଦେଇ, ଜିଲ୍ଲାପାଳଙ୍କ ଉପରେ ଚାପ ପ୍ରୟୋଗ କରି ଏହି ଘରକୁ ନିଜ ଅକ୍ତିଆରରେ ରଖିଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି। ନଚେତ୍‌ ଲୋକମାନେ ଆଇନକୁ ନିଜ ହାତକୁ ନେଇ, ଏହି ଜବତ ଦଖଲ ଘରକୁ ଭାଙ୍ଗିଦେବେ ବୋଲି ଚେତାବନୀ ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.