ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ୨ ଦିନ ପରେ ବି ଆକ୍ସନକୁ ଆସିନି ପୋଲିସ

Published By : Prameya-News7 Bureau | June 27, 2021 IST

ନୟାଗଡ଼ ୨୭।୦୬:  ନ୍ୟୁଜ୍ ସେଭେନ୍ ପ୍ରତିନିଧିଙ୍କୁ ନୟାଗଡ଼ ଅବକାରୀ ସବଇନ୍ସପେକ୍ଟରଙ୍କ ମାଡ଼ ଘଟଣାକୁ ବିତିଲାଣି ୨ ଦିନ । ଏଯାଏଁ ଆକ୍ସନକୁ ଆସିନି ପୋଲିସ୍ । ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ। ନ୍ୟାୟ ପାଇଁ ନୟାଗଡ ଟାଉନ ଥାନା ଆଗରେ ଧାରଣାରେ ବସିଛନ୍ତି ଜିଲ୍ଲାର ବହୁ ସାମ୍ବାଦିକ। ଅଭିଯୁକ୍ତ ଅବକାରୀ ସବ ଇନ୍ସପେକ୍ଟର ଧନଞ୍ଜୟ ପାତ୍ରଙ୍କୁ ପୋଲିସ କେବଳ ଔପଚାରିକ ଭାବେ ପଚରାଉଚରା କରି ପଛଗେଟ ଦେଇ ବିଦାକରି ଚୁପଚାପ ବସିଯାଇଛି। ତେବେ ଆକ୍ରମଣ କରିଥିବା ଅବକାରୀ ସବଇନ୍ସପେକ୍ଟରଙ୍କ ଉପରେ କଣ ପାଇଁ କାର୍ଯ୍ୟାନୁଷ୍ଠାନ ହେଉନି, କାହା ଇଙ୍ଗିତରେ ପୋଲିସ ଚୁପ୍ ରହିଛି, ସ୍ଥାନୀୟ ପୋଲିସ କାହା ଇଙ୍ଗିତରେ ଏହି ବାହୁବଳୀ ଅବକାରୀ ସବଇନ୍ସପେକ୍ଟରଙ୍କୁ ସୁରକ୍ଷା ଦେଉଛି, ତାକୁ ନେଇ ଉଠିଛି ପ୍ରଶ୍ନ ।

ଖବର ଅନୁଯାୟୀ, ଶୁକ୍ରବାର ଅବକାରୀ ବିଭାଗ ନକଲି ମଦ ସିଜ କରିଥିଲା। ଏହାର ଫଟୋ ଉଠାଉଥିବା ବେଳେ ନ୍ୟୁଜ-୭ ପ୍ରତିନିଧି ଏବଂ ଦୈନିକ ଖବରକାଗଜ ଧରିତ୍ରୀ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିଲେ ଅବକାରୀ ସବଇନ୍ସପେକ୍ଟର ଧନଞ୍ଜୟ ପାତ୍ର। ଏନେଇ ନୟାଗଡ ଟାଉନ ଥାନାରେ ଏତଲା ହୋଇଛି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ସନ୍ଦେହ ବଢିଛି। ଏଭଳି କାର୍ଯ୍ୟକୁ ତୀବ୍ର ନିନ୍ଦା କରିବା ସହ ତୁରନ୍ତ ଅଭିଯୁକ୍ତ ଅବକାରୀ ସବଇନସ୍ପେକ୍ଟରଙ୍କୁ ନିଲମ୍ବନ ସହ ଗିରଫ ପାଇଁ ଦାବି କରିଛି ସାମ୍ବାଦିକ ସଂଘ। ନଚେତ ରାଜ୍ୟବ୍ୟାପି ଆନ୍ଦାେଳନର ଚେତାବନୀ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.