ଆଇନ୍ ଦେଲା ଯୁବତୀଙ୍କୁ ସୁରକ୍ଷା, ପୋଲିସ ସହାୟତାରେ ହେବ ଏବେ ସମଲିଙ୍ଗୀ ବାନ୍ଧବୀଙ୍କ ମିଳନ !

Published By : Prameya-News7 Bureau | August 25, 2020 IST

କଟକ ୨୫।୦୮: ହାଇକୋର୍ଟଙ୍କ ହସ୍ତକ୍ଷେପ ଫଳରେ ଶେଷରେ ଜଣେ ଯୁବତୀ ତାଙ୍କ ସମଲିଙ୍ଗୀ ସାଥୀଙ୍କ ପାଖକୁ ଫେରିବାର ବାଟ ଫିଟିଛି । ଯୁବତୀଙ୍କୁ ପୁଲିସ୍‌ ଆଣି ଭୁବନେଶ୍ୱରରେ ରହୁଥିବା ତାଙ୍କ ସମଲିଙ୍ଗୀ ସାଥୀଙ୍କ ନିକଟରେ ସୁରକ୍ଷିତ ଭାବେ ଛାଡିବ। ତେବେ ସମଲିଙ୍ଗୀ ସାଥୀ ତାଙ୍କୁ ଯେପରି କୌଣସି ପ୍ରକାର ନିର୍ଯାତନା ନଦିଅନ୍ତି, ତାଙ୍କ ପରିବାର ସହ କଥା ହେବାର ସୁଯୋଗ ଦିଅନ୍ତି ଏ ନେଇ ସେ ଖଣ୍ଡଗିରି ଥାନାରେ ଏକ ଅଣ୍ଡରଟେକିଂ ପ୍ରଦାନ କରିବାକୁ ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି ।

ଆବେଦନକାରିଣୀ ଯୁବତୀ ଚିନ୍ମୟୀ ଜେନା ଓରଫ ସୋନୁ କ୍ରିଷ୍ଣା ଜେନାଙ୍କ ପକ୍ଷରୁ ରୁଜୁ ହେବିଅସ୍‌ କର୍ପସ ମାମଲାର ରାୟ ପ୍ରକାଶ କରି ସୋମବାର ଦିନ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌.କେ. ମିଶ୍ର ଏବଂ ବିଚାରପତି ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଯୁବତୀ ଦ୍ୱୟ ସାବାଳିକା । ସୁପ୍ରିମ୍‌କୋର୍ଟଙ୍କ ରାୟ ଅନୁଯାୟୀ ସେମାନଙ୍କର ନିଷ୍ପତ୍ତି ନେବାର କ୍ଷମତା ରହିଛି । ପୀଡିତା ଯୁବତୀ ତାଙ୍କ ସମଲିଙ୍ଗୀ ସାଥୀଙ୍କ ନିକଟକୁ ଫେରିବା ପାଇଁ ସ୍ପଷ୍ଟ ମତ ରଖି ସାରିଛନ୍ତି । ଏହି ଆଧାରରେ ଯୁବତୀଙ୍କୁ ତାଙ୍କ ସମଲିଙ୍ଗୀ ସାଥୀଙ୍କ ନିକଟକୁ ଫେରିବା ପାଇଁ ଅଦାଲତ ଅନୁମତି ପ୍ରଦାନ କରିଛନ୍ତି ବୋଲି ରାୟରେ ଉଲ୍ଲେଖ କରିଛନ୍ତି ।

ଆବେଦନକାରିଣୀ ଯୁବତୀ ଚିନ୍ମୟୀ ଜେନା ଓରଫ ସୋନୁ କ୍ରିଷ୍ଣା ଜେନା ଏବଂ ପୀଡିତା ଯୁବତୀଙ୍କ ମଧ୍ୟରେ ଦୀର୍ଘବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା । କିନ୍ତୁ ତାଙ୍କ ଯୁବତୀ ସାଥୀଙ୍କୁ ତାଙ୍କ ମା’ ଏବଂ ମାମୁ ଜବରଦସ୍ତ ଉଠାଇ ନେବାରୁ ସେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ସାଥୀଙ୍କୁ ଉଦ୍ଧାର ପାଇଁ ପୁଲିସ୍‌ ପଦକ୍ଷେପ ନ ନେବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଯାଜପୁର ଏସ୍‌ପିଙ୍କୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ । ଏହି ରିପୋର୍ଟ ପରେ ହାଇକୋର୍ଟ ଯୁବତୀଙ୍କ ସହ ସିଧାସଳଖ କଥା ହୋଇ ତାଙ୍କ ମତାମତ ଜାଣିବାକୁ ଚାହିଁଥିଲେ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯାଜପୁର ଏସ୍‌ପି ତାଙ୍କୁ ହାଜର କରିବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଆଧାରାରେ ପୀଡିତାଙ୍କୁ ଅଦାଲତରେ ହାଜର କରାଯାଇଥିଲା ।

ପୀଡିତାଙ୍କ ସହ ଅଦାଲତ ଭିଡିଓ କନ୍‌ଫରେନ୍ସିଂରେ କଥା ହୋଇଥିଲେ। ଏହି କଥାରୁ ପୀଡିତା ତାଙ୍କ ଯୁବତୀ ସାଥୀଙ୍କ ନିକଟକୁ ଫେରିବାକୁ ସ୍ପଷ୍ଟ ମତ ରଖିଥିବା ନେଇ ଅଦାଲତ ଉଲ୍ଲେଖ କରିଛନ୍ତି । କୌଣସି ବିଳମ୍ବ ନକରି ସେ ତାଙ୍କ ଯୁବତୀ ସାଥୀଙ୍କ ନିକଟକୁ ଫେରିବାକୁ ଚାହୁଁଥିବା କଥା ଅଦାଲତଙ୍କୁ ଜଣାଇଥିଲେ । ଫଳରେ ହାଇକୋର୍ଟ ଯୁବତୀଙ୍କୁ ଯାଜପୁର ଏସ୍‌ପି ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାଦ୍ୱାରା କି’ ଯୁବତୀ ତାଙ୍କ ସାଥୀଙ୍କ ନିକଟକୁ ଫେରିପାରିବେ। ଏହି ମାମଲାରେ ହାଇକୋର୍ଟ ରାୟ ପ୍ରକାଶ କରି ପୀଡିତା ଯୁବତୀ ତାଙ୍କ ସମଲିଙ୍ଗୀ ସାଥୀଙ୍କ ନିକଟକୁ ଫେରିପାରିବେ ବୋଲି କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ଶାଶ୍ୱତା ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.