ଅଖିଳେଶ ଯାଦବ ନେବେନି କରୋନା ଟିକା : କହିଲେ, ‘ମୋତେ ବିଜେପି ଭ୍ୟାକସିନ୍ ଉପରେ ଭରଷା ନାହିଁ’

Published By : Prameya-News7 Bureau | January 02, 2021 IST

ଲକ୍ଷ୍ନୌ ୦୨/୦୧ : ସାରା ଦେଶରେ କରୋନା ଭ୍ୟାକସିନ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ ହୋଇଥିବା କୋଭିସିଲ୍ଡ ଟିକାର ମାନବୀୟ ବ୍ୟବହାର ପାଇଁ ଶୁକ୍ରବାର ଏକ୍ସପର୍ଟ କମିଟି ସବୁଜ ସଙ୍କେତ ଦେବା ପରେ ଦେଶରେ ଟିକାର ଡ୍ରାଏ ରନ୍‌ ଆରମ୍ଭ ହୋଇଯାଇଛି । ଦେଶରେ ବିଭିନ୍ନ ରାଜ୍ୟରେ ଜାରି ରହିଛି କୋଭିସିଲ୍ଡର ଡ୍ରାଏ ରନ୍‌ । ଖୁବ ଶୀଘ୍ର ଦେଶରେ ପ୍ରଥମ ପର୍ଯ୍ୟାୟ କରୋନା ଟିକା ଲଗାଯିବ ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ।

ଏହାରି ମଧ୍ୟରେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ‘ମୁଁ କରୋନା ଟିକା ଲଗାଇବି ନାହିଁ । ମୋତେ ବିଜେପି ଭ୍ୟାକସିନକୁ ଭରଷା ନାହିଁ’ । ଏହା ସହ ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଥିବା କୃଷକ ଆନ୍ଦୋଳନ ଏବଂ ଅଯୋଧ୍ୟା ମାମଲାରେ ମଧ୍ୟ ବୟାନ ଦେଇଛନ୍ତି ଅଖିଳେଶ ଯାଦବ ।

ଅଖିଳେଶ ଯାଦବ କରୋନା ଭ୍ୟାକସିନ ନଲଗାଇବାକୁ ନେଇ ଉତ୍ତର ପ୍ରଦେଶର ଡେପୁଟି ସିଏମ୍‌ କେଶବ ମୌର୍ଯ୍ୟ ତାଙ୍କୁ ପାଲଟା ଆକ୍ରମଣ କରିଛନ୍ତି । ସେ ଅଖିଳେଶଙ୍କୁ କଟାକ୍ଷ କରି କହିଛନ୍ତି ଯେ, ଅଖିଳେଶଙ୍କୁ ଭ୍ୟାକସିନ୍‌ ଉପରେ ଭରଷା ନାହିଁ ଓ ଉତ୍ତର ପ୍ରଦେଶବାସୀଙ୍କୁ ଅଖିଳେଶ ଯାଦବଙ୍କ ଉପରେ ଭରଷା ନାହିଁ । ଭ୍ୟାକସିନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ବୈଜ୍ଞାନିକମାନଙ୍କୁ ଅପମାନ କରିବା ସହ ସମାନ ବୋଲି ସେ କେଶବ ମୌର୍ଯ୍ୟ କହିଛନ୍ତି । ଏହି ବୟାନ ପାଇଁ ଅଖିଳେଶ ଯାଦବ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି ।

ଅଖିଳେଶ ଯାଦବ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ରାଜ୍ୟରେ ସମାଜବାଦୀ ପାର୍ଟି ସରକାର ଆସିଲେ ଅଯୋଧ୍ୟାରେ ନଗର ନିଗମ କର ଛାଡ କରିଦିଆଯିବ । ଏହା ସହ ଚାଷୀ ଆନ୍ଦୋଳନକୁ ନେଇ ଅଖିଳେଶ କହିଛନ୍ତି ଯେ, ଗାଜୀପୁରରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଖବର ଆସିଛି । ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିବା ସହ ହାଡ ଭଙ୍ଗା ଶୀତରେ ଚାଷୀମାନେ ନିଜ ଜୀବନ ବଳି ଦେଉଛନ୍ତି । କିନ୍ତୁ ସତ୍ତାରେ ଥିବା ସରକାର ହୃଦୟହୀନ ହୋଇପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.