ନର୍ସଙ୍କ ସାଙ୍ଘାତିକ ଅବହେଳା: ରୋଗୀଙ୍କୁ ଅଟୋରେ ଦେଲେ ସାଲାଇନ୍ ଓ ଇଞ୍ଜେକ୍ସନ
15/09/2020 at 6:27 PM

ନୀଳଗିରି, ୧୫|୯ : ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ବରମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ରୋଗୀଙ୍କୁ ଆଡ଼ମିସନ କରିବା ପରିବର୍ତ୍ତେ ଅଟୋରେ ଚିକିତ୍ସା କରି ତରବରିଆ ଭାବେ ପଠାଇଦେବା ଘଟଣା ନଜରକୁ ଆସିଛି।
ସୂଚନାନୁସାରେ, ମଙ୍ଗଳବାର ମଧ୍ୟାହ୍ନରେ ଛତ୍ରପୁର ଅଞ୍ଚଳର ନିନି ମହାକୁଡ଼ ନାମକ ଜଣେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା । ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ନପାଇ ଏକ ଅଟୋ ଭଡ଼ାକରି ବରମପୁର ଡାକ୍ତରଖାନାକୁ ନେଇଯାଇଥିଲେ। ସଜନାଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରୁ ଡେପୁଟେସନରେ ଆସିଥିବା ଡାକ୍ତର ତାଙ୍କୁ ସାଲାଇନ ଓ ଇଞ୍ଜେକ୍ସନ ଦେବାକୁ ପ୍ରେସକ୍ରିବସନ କରିଥିଲେ ।
କିନ୍ତୁ କାର୍ଯ୍ୟରତ ନର୍ସ ତାଙ୍କୁ ଆଡ଼ମିସନ କରିବା ପରିବର୍ତେ ଅଟୋରେ ଇଞ୍ଜେକ୍ସନ ଦେଇ ରୋଗୀଙ୍କୁ ନେଇ ପଳାଇବାକୁ କହିଥିଲେ। ଡାକ୍ତର ସୁବ୍ରମନ୍ୟୁମଙ୍କ ହସ୍ତକ୍ଷେପ ପରେ ରୋଗୀ ଜଣକୁ ଆଡ଼ମିସନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ବରମପୁର ହସ୍ପିଟାଲରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାନେଇ ଆଖପାଖ ୧୦ ଟି ପଞ୍ଚାୟତର ରୋଗୀମାନେ ଅନେକ ସମୟରେ ଅଭିଯୋଗ କରିଥାନ୍ତି ।