୨୦ଟଙ୍କାର ଲୁଣ ପ୍ୟାକେଟ୍ ଦାମ୍ ୫୦ରୁ ୬୦ରେ ବିକ୍ରି : ଲକ୍ ଡାଉନ୍ ବେଳେ ନୂଆପଡାରେ ଗୁଜବ ଯୋଗୁଁ ଅଭାବନୀୟ ସ୍ଥିତି

Published By : Prameya-News7 Bureau | May 12, 2020 IST

ନୂଆପଡା ୧୨।୫: କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଲୋକଙ୍କ ଚିନ୍ତା ବଢିଛି । ଏଭଳି ସମୟରେ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯଦି ସଠିକ୍ ସମୟରେ ସଠିକ୍ ଦରରେ ନମିଳେ ତେବେ ସମସ୍ୟା ଆହୁରି ଜଟିଳ ହୋଇଯିବ ।

{"id":268684,"sizeSlug":"large"}

ସୂଚନାଯୋଗ୍ୟ ଯେ, ଲକ୍ ଡାଉନ୍ ବେଳେ ସାଧାରଣ ଜନତାଙ୍କୁ ଖାଇବା ସାମଗ୍ରୀର ଯେଉଁଭଳି ଅଭାବ ଦେଖା ନଦିଏ ସେନେଇ ସରକାରଙ୍କ ତରଫରୁ ପୁରା ବ୍ୟବସ୍ଥା କରାଯାଇଛି । ହେଲେ ନୂଆପଡା ଜିଲ୍ଲାରେ ଆଜି ଲୁଣ ଭଳି ଅତି ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଅଭାବ ଦେଖାଦେଇଛି । ଆଗକୁ ଲୁଣ ନମିଳିବା ନେଇ ଗୁଜବ ପ୍ରଚାର ହେବା ପରେ ଏହାର ଫାଇଦା ନେଇ ୨୦ ଟଙ୍କାର ଲୁଣ ପ୍ୟାକେଟ୍ ୫୦/୬୦ ଟଙ୍କାରେ ବିକ୍ରି କରି ବେପାରି ମାଲାମାଲ ହେଉଛନ୍ତି ।ଆଗକୁ ନ ମିଳିବା ଭୟରେ ଗ୍ରାହକମାନେ ଚଢା ଦର ଦେଇ ମଧ୍ୟ ଲୁଣ କିଣି ସାଇତି ରଖିବାର ଯୋଜନା କରିବା ସହ ଦୋକାନମାନଙ୍କରେ ଭିଡ ଜମାଉଛନ୍ତି । ସେପଟେ ଖବର ପାଇ ବ୍ୟବସାୟିକ ସହର କୁହାଯାଉଥିବା ଖରିଆର ରୋଡର ବିଭିନ୍ନ ଗୋଦାମ ଉପରେ ଜିଲ୍ଲା ପ୍ରଶାସନ ନଜର ରଖିଥିବା ସୂଚନା ମିଳିଛି ।

{"id":268685,"sizeSlug":"large"}

ଲକ୍ ଡାଉନ୍ ସମୟରେ ଯାତାୟତ କଟକଣା ଭିତରେ ମାଲବାହୀ ଯାନବାହନକୁ ବାଦ୍ ଦିଆଯାଇଥିବା ବେଳେ ଲଗାତାର ମାଲ୍ ପରିବହନ ହେଉଥିବା ସତ୍ବେ ମଧ୍ୟ ଅଭାବ କିଭଳି ଦେଖାଯାଉଛି ? ଲାଭଖୋର ବେପାରୀମାନଙ୍କ ଏହା ଏକ ସୁପରିକଳ୍ପିତ ଯୋଜନା ହୋଇ ଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମିୀ ଦିନରେ ଲୁଣର ଅଭାବ ଦେଖାଦେବା ସହ ସାଧାରଣ ଜନତା ଅଧିକ ଖର୍ଚ୍ଚାନ୍ତର ଶିକାର ହେବା ସ୍ବାଭାବିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.