ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କଲେ ସେଲୁନ୍ ମାଲିକ : ଝିଅର ପଢ଼ା ପାଇଁ ସଞ୍ଚୟ କରିଥିବା ୫ଲକ୍ଷ ଟଙ୍କା ଦାନ କଲେ କରୋନା ଅସହାୟଙ୍କୁ

Published By : Prameya-News7 Bureau | May 10, 2020 IST

ଚେନ୍ନାଇ ୧୦/୫: କରୋନା ଭାଇରସ୍ ଭୟାବହତା ମଧ୍ୟରେ ତାମିଲନାଡ଼ୁର ଜଣେ ଦୋକାନୀ ଲୋକଙ୍କ ସହାୟତା ପାଇଁ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ତାମିଲନାଡ଼ୁର ମଦୁରାଇ​‌ରେ ସେଲୁନ୍ ଚଲାଉଥିବା ସି.ମୋହନ ନିଜ ଝିଅଙ୍କ ପାଠପଢ଼ା ପାଇଁ ଜମା କରିଥିବା ୫ଲକ୍ଷ ଟଙ୍କା ସାଧାରଣ ଲୋକଙ୍କୁ ସାହାଯ୍ୟ କରିବାରେ ଖର୍ଚ୍ଚ କରିଦେଇଛନ୍ତି। ମୋହନ କେବଳ ଏହି ଟଙ୍କାକୁ ୬୦୦ପରିବାରକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ନାହାନ୍ତି ବରଂ ସଙ୍କଟ ସମୟରେ ସମସ୍ତଙ୍କୁ ସାହାଯ୍ୟ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ମୋହନ ମଦୁରାଇର ମେଲାମଦାଇ ଅଞ୍ଚଳରେ ରୁହନ୍ତି ଏବଂ ସେ ଏକ ସପ୍ତାହ ତଳେ ନିଜ ସେଭିଂ ଆକାଉଣ୍ଟରୁ ୫ଲକ୍ଷ ଟଙ୍କା ଉଠାଇଥିଲେ ଏବଂ ନିଜ ଅଞ୍ଚଳରେ ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ବ୍ୟବସ୍ଥାର ଆରମ୍ଭ କରିଥିଲେ। ଏହା ପରେ ସେ ସ୍ଥାନୀୟ ପ୍ରଶାସନ ସାହାଯ୍ୟରେ ମୋଟ ୬୧୫ପରିବାରକୁ ଖାଇବା ପିଇବା ଜିନିଷ ଏବଂ ଘରୋଇ ଜିନିଷ ପ୍ରଦାନ କରିଥିଲେ।

ମୋହନଙ୍କ କହିବା ଅନୁସାରେ ଏହି ଅଞ୍ଚଳରେ ଲକଡାଉନ୍ ଯୋଗୁଁ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ସେ ଏବିଷୟରେ ଜାଣିବାରୁ ନିଜ ସେଭିଂରୁ ଟଙ୍କା ଉଠାଇବାକୁ ନିଷ୍ପତ୍ତି ନେଇଥିଲେ।

ସେ କହିଥିଲେ ଯେ ତାଙ୍କ ଝିଅ ନେତ୍ରା ବର୍ତ୍ତମାନ ଏକାଦଶ ଶ୍ରେଣୀରେ ପାଠ ପଢ଼ୁଛନ୍ତି ଏବଂ ସେ ଆଇଏଏସ୍ ହେବାକୁ ଚାହଁନ୍ତି। ଏବେ ବି ୪୦୦ପରିବାର ରହିଛି ଯାହାଙ୍କୁ ସେ ସାହାଯ୍ୟ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ନିଜ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଯଦି ଆବଶ୍ୟକ ପଡ଼େ ତେବେ ପତ୍ନୀଙ୍କ ଗହଣା ବିକି ମଧ୍ୟ ଲୋକଙ୍କ ସାହାଯ୍ୟ କରିବେ। ଲକଡାଉନ୍ କାରଣରୁ ସେଲୁନ୍ ବନ୍ଦ ହେବା ଦ୍ବାରା ଏବେ ତାଙ୍କ ରୋଜଗାରର ବାଟ ବନ୍ଦ ହୋଇଯାଇଛି କିନ୍ତୁ ସେ ଆଶା କରୁଛନ୍ତି ଖୁବ୍ ଶୀଘ୍ର ସେ ଟଙ୍କା​ ଯୋଗାଡ଼ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.