ଫ୍ୟାନ୍ଙ୍କଠାରୁ ତାଙ୍କ ଫୋନ୍ ଛଡାଇନେଲେ ସଲମାନ୍, ଜାଣନ୍ତୁ କାରଣ…
29/01/2020 at 11:51 AM

ମୁମ୍ବାଇ୨୯|୧: ବଲିଉଡର ଭାଇଜାନ ସଲମାନ ଖାନଙ୍କ ସହ ଫଟୋ ନେବାକୁ ସମସ୍ତଙ୍କର ଇଚ୍ଛା ଥାଏ। ହେଲେ ଭାଇଜାନଙ୍କର ମୁଡ୍ କେତେବେଳେ ଯେ କଣ ଥାଏ ତାହା କହିବା କଷ୍ଟକର। ସଲମାନଙ୍କ ମୁଡ୍ ଭଲ ଥିଲେ ସେ ସମସ୍ତଙ୍କ ସହ ଫଟୋ ଉଠାନ୍ତି କିନ୍ତୁ ମୁଡ୍ ଅଫ୍ ଥିଲେ ସେ କିଛି ବି କରନ୍ତି।

ଏଥିପାଇଁ ସଲମାନଙ୍କ ସହ ଫଟୋ ନେବା ପୂର୍ବରୁ ତାଙ୍କ ମୁଡ୍ କେମିତି ଅଛି ତାହା ଜାଣିବା ଜରୁରୀ। ସଲ୍ମାନ୍ଙ୍କର କିଛିଟା ନିୟମ ରହିଛି।ତାଙ୍କ ବିନା ଅନୁମତିରେ ସେ କାହାକୁ ନିଜ ସହ ଫଟୋ ଉଠାଇବାକୁ ଦିଅନ୍ତି ନାହିଁ।ନିକଟରେ ସଲମାନଙ୍କୁ ଗୋଆ ବିମାନବନ୍ଦରରେ ସ୍ପଟ୍ କରାଯାଇଥିଲା। ସେଠାରେ ଏମିତି କିଛି ଘଟଣା ଘଟିଥିଲା ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବିମାନବନ୍ଦରରେ ସଲମାନଙ୍କୁ ଦେଖିବା ପାଇଁ ଖୁବ୍ ଭିଡ଼ ଜମିଥିଲା। ସଲ୍ମାନ ନିଜ ଅପ୍କମିଂ ଫିଲ୍ମ ‘ରାଧେ’ର ଶୁଟିଂ ପାଇଁ ଗୋଆ ଯାଇଥିଲେ। ସେହି ସମୟରେ ଜଣେ ଫ୍ୟାନ୍ ଆଗକୁ ଆସି ଫୋନ୍ରେ ତାଙ୍କ ଫଟୋ ଉଠାଇଥିଲେ। ସଲମାନଙ୍କ ବିନା ଅନୁମତିରେ ଫଟୋ ଉଠାଉଥିବାରୁ ତାଙ୍କ ମୁଡ୍ ଅଫ ହୋଇଥିଲା। ପରବର୍ତ୍ତି ସମୟରେ ସଲମାନ ନିଜେ ଫ୍ୟାନ୍ଙ୍କ ଫୋନ୍ ଛଡ଼ାଇ ନେଇଥିଲେ।

ସଲମାନଙ୍କର ଜଣେ ଫ୍ୟାନ୍ ଭିଡିଓକୁ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପସନ୍ରେ ଲେଖିଛନ୍ତି ଯେ, ବିନା ଅନୁମତିରେ କାହା ସହ ଫଟୋ ଉଠାଇବା ଅନୁଚିତ୍। ଯାହାକୁ ଅନ୍ୟମାନେ ମଧ୍ୟ ସପୋର୍ଟ କରିଛନ୍ତି। ଭାଇଜାନ୍ ପ୍ରଥମଥର ପାଇଁ ତାଙ୍କ ଫ୍ୟାନ୍ଙ୍କ ସହ ଏଭଳି ବ୍ୟବହାର କରି ନାହାନ୍ତି। ପୂର୍ବରୁ ମଧ୍ୟ ତାଙ୍କର ଏହି ବ୍ୟବହାର ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ଯେ, ସଲମାନ ନିଜ ଆଗାମୀ ଫିଲ୍ମ ‘ରାଧେ’ର ଶୁଟିଂ ପାଇଁ ବ୍ୟସ୍ତ ଅଛନ୍ତି। ମେ’ ମାସ ୨୨ ତାରିଖରେ ଏହି ଫିଲ୍ମ ରିଲିଜ ହେବ। ଫିଲ୍ମର ସଲମାନଙ୍କ ବିପକ୍ଷରେ ଦିଶା ପଟ୍ଟୀନୀ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଅଭିନେତା ରଣଦୀପ ହୁଡ଼ା ନେଗେଟିଭ୍ ଚରିତ୍ରରେ ଅଭିନୟ କରିବେ। ଜ୍ୟାକି ଶ୍ରଫ୍ ଓ ଗୌତମ ଗୁଲାଟି ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।