ପାକିସ୍ତାନୀ ଗାୟକ ଅତିଫ ଅସ୍ଲମଙ୍କୁ ନିଜ ଫିଲ୍ମରୁ ବାହାର କଲେ ସଲମାନ

Published By : Prameya-News7 Bureau | February 18, 2019 IST

ମୁମ୍ବାଇ ୧୮/୨ : ଜାମ୍ମୁ କାଶ୍ମୀର ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରକୁ ହୋଇଥିବା ଆତ୍ମଘାତୀ ହମଲାକୁ ନେଇ ସମଗ୍ର ଦେଶରେ ଆକ୍ରୋଶର ମାହୋଲ ଦେଖା ଦେଇଛି | ବଲିଉଡ ଇଣ୍ଡଷ୍ଟ୍ରି ମଧ୍ୟ ଏଥିରୁ ବାଦ ପଡିନି | ଅଧିକାଂଶ ବଲିଉଡ କଳାକାର ଏହାକୁ ନିନ୍ଦା କରିଛନ୍ତି | ଏହାସହ ଅନେକ ବଲିଉଡ କଳାକାର ସହିଦଙ୍କ ପରିବାରକୁ ଆର୍ଥିକ ସହାୟତା ମଧ୍ୟ ଯୋଗେଇ ଦେଇଛନ୍ତି | ପୁଲୱାମା ସହିଦ ଯବାନଙ୍କ ପରିବାରଙ୍କୁ ସାହାଯ୍ୟ କରୁଥିବା ସଲମାନ ଖାନ ନିଜର ଅପକମିଙ୍ଗ ଫିଲ୍ମ 'ନୋଟବୁକ'ରୁ ପାକିସ୍ତାନୀ ଗାୟକ ଅତିଫ ଆସ୍ଲାମଙ୍କୁ ବାହାର କରିଦେଇଛନ୍ତି | ସଲମାନ ନିଜେ ଏହି ଫିଲ୍ମର ପ୍ରଯୋଜକ |

{"id":86536,"width":582,"height":333}


ସଲମାନ ନିଜ ପ୍ରଡକ୍ସନ ହାଉସର ଫିଲ୍ମରୁ ମଧ୍ୟ ଅତିଫ ଆସ୍ଲାମଙ୍କ ଗୀତ ଗୁଡିକୁ ବାହାର କରିବା ପାଇଁ କହିଛନ୍ତି | ଏହା ପୂର୍ବରୁ ଟି-ସିରିଜ ୟୁଟ୍ୟୁବରୁ ଅତିଫ ଆସ୍ଲାମଙ୍କ ଗୀତଗୁଡିକୁ ହଟେଇ ଦେଇଥିଲା | ପୁଲୱାମା ଆକ୍ରମଣ ପରେ ପାକିସ୍ତାନୀ କଳାକାରଙ୍କ ପାଇଁ ବଲିଉଡର ରାସ୍ତା ବନ୍ଦ କରିଦିଆଯାଇଛି | ପାକିସ୍ତାନୀ କଳାକାରଙ୍କୁ ବଲିଉଡର ଆକ୍ରୋଶର ଶିକାର ହେବାକୁ ପଡିଛି |


ଅଲ ଇଣ୍ଡିଆ ସିନେ ୱାର୍କର ଆସୋସିଏସନ ପାକିସ୍ତାନୀ କଳାକାରଙ୍କୁ ବଲିଉଡ ଫିଲ୍ମରେ ସାମିଲ ନ କରିବାକୁ ଦୃଢ ନିଷ୍ପତ୍ତି ନେଇଛି | ତଥାପି ଯଦି କେଉଁ ସଂସ୍ଥା ପାକିସ୍ତାନୀ କଳାକାରଙ୍କ ସହିତ କାମ କରେ ତା'ହେଲେ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଲ ଇଣ୍ଡିଆ ସିନେ ୱାର୍କର ଆସୋସିଏସନ ଚେତାବନୀ ଦେଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.