ସଲମାନଙ୍କ ପିତା ସଲିମ୍ ଖାନ ଅଯୋଧ୍ୟା ରାୟକୁ ନେଇ ଏପରି କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ କହିଲେ ଏହି ବଡ କଥା
10/11/2019 at 3:51 PM

ମୁମ୍ବାଇ୧୦|୧୧: ଅଯୋଧ୍ୟା ବିବାଦ ମାମଲାରେ ସୁପ୍ରିମ କୋର୍ଟ ନିଜର ଐତିହାସିକ ରାୟ ଶୁଣାଇଛନ୍ତି। ୭୦ ବର୍ଷଧରି ଚାଲିଥିବା ଦେଶର ସବୁଠୁ ବଡ ବିବାଦୀୟ ନ୍ୟାୟିକ ମାମଲାରେ ସୁପ୍ରିମକୋର୍ଟ ପୂର୍ଣ୍ଣଛେଦ ଟାଣିଛନ୍ତି । ୫ଜଣିଆ ଖଣ୍ଡ ପୀଠ ୪୦ ଦିନର ଶୁଣାଣି ପରେ ଏହାର ରାୟ ପ୍ରକାଶ କରିଥିଲେ ।
ବିବାଦୀୟ ଜମି ହିନ୍ଦୁ ପକ୍ଷକୁ ମିଳିବାପରେ ମୁସଲିମ ପକ୍ଷକୁ ମସଜିଦ ନିର୍ମାଣ ପାଇଁ ଅଯୋଧ୍ୟାରେ ୫ ଏକର ଜମି ଦେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । ତେବେ ଏନେଇ ସଲମାନ ଖାନଙ୍କ ବାପା ତଥା ଲେଖକ ସଲିମ ଖାନଙ୍କ ବୟାନ ସାମ୍ନାକୁ ଆସିଛି।
ସଲିମ ଖାନଙ୍କ କହିବା ଅନୁସାରେ ମୁସଲିମ ପକ୍ଷକୁ ମସଜିଦ ନିର୍ମାଣ ପାଇଁ ଦିଆଯାଇଥିବା ୫ ଏକର ଜମିରେ ସ୍କୁଲ ନିର୍ମାଣ କରିବା ଉଚିତ୍ । ମୁସଲିମ ପକ୍ଷକୁ ସଲିମ ଅପିଲ କରିଛନ୍ତି ଯେ, ପରସ୍ପର ମଧ୍ୟରେ ସ୍ନେହ ଓ ସଦ୍ଭାବ ରଖିବା ଉଚିତ୍ ତଥା ଏହି ପ୍ରସଙ୍ଗକୁ ପୁଣିଥରେ ବିବାଦକୁ ଟାଣିବା ଅନୁଚିତ୍।
ମୁସଲିମମାନଙ୍କୁ ଏହି ସମସ୍ୟାରେ ନୁହେଁ ବରଂ ଜରୁରୀ ତଥ୍ୟ ନେଇ ଚର୍ଚ୍ଚା କରିବା ଆବଶ୍ୟକ। ମୁସଲିମ ଲୋକଙ୍କୁ ସ୍କୁଲ ଓ ଡାକ୍ତରଖାନାର ଆବଶ୍ୟକ ଅଛି। ତେବେ ଏହି ସ୍ଥାନରେ କୌଣସି ଶିକ୍ଷାନୁଷ୍ଠାନ ତିଆରି କଲେ ଲାଭ ହେବ। କଲେଜ ବା ସ୍କୁଲ ତିଆରି କଲେ ଲୋକଙ୍କୁ ଫାଇଦା ମିଳିବ। ନମାଜ ତ ଟ୍ରେନ ବସରେ ମଧ୍ୟ ପଢାଯାଇପାରିବ। ତେବେ ଏହି ସ୍ଥାନରୁ ଯଦି ୨୨ କୋଟି ମୁସଲିମ ଲୋକଙ୍କୁ ଶିକ୍ଷା ମିଳିବ ତାହେଲେ ଦେଶର ଅନେକ ସମସ୍ୟା ସମାପ୍ତ ହେବ ବୋଲି ସଲିମ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତିରେ ସହମତି ଜଣାଇଛନ୍ତି ସଲୀମ୍ ଖାନ। ସେ କହିଛନ୍ତି ଯେ, ଅଯୋଧ୍ୟା ବିବାଦକୁ ସମାପ୍ତ କରି ଏକ ନୂଆ ଆରମ୍ଭ କରିବା ଉଚିତ୍ । ପ୍ରମୁଖ ମୁଦ୍ଦାରେ ଧ୍ୟାନ ଦେଇ ଭବିଷ୍ୟତ ବିଷୟରେ ଦେଶବାସୀଙ୍କୁ ଭାବିବା ଜରୁରୀ।