କୋହଲିଙ୍କ ଉପରେ ପ୍ରଶ୍ନ କରିଥିଲେ ଭନ୍‌, ଏମିତି ଜବାବ ଦେଲେ ପୂର୍ବତନ ପାକ୍‌ ଅଧିନାୟକ ସଲମାନ୍‌

Published By : Prameya-News7 Bureau | May 16, 2021 IST

ଇସ୍ଲାମାବାଦ ୧୬/୫: ପାକିସ୍ତାନର ପୂର୍ବତନ ଅଧିନାୟକ ଏବଂ ଓପନର ବ୍ୟାଟ୍ସମ୍ୟାନ୍‌ ସଲମାନ ବଟ୍‌ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍‌ ଭନଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ବିରାଟ କୋହଲି ଏବଂ କେନ ଓ୍ବିଲିୟମସନ୍‌ଙ୍କୁ ନେଇ ଭନଙ୍କ କଥାରେ କୌଣସି ପ୍ରାସଙ୍ଗିକତା ନାହିଁ ବୋଲି କହିଛନ୍ତି ସଲମାନ। ଭନ କହିଥିଲେ ଯଦି ଓ୍ବିଲିୟମସନ୍‌ ଭାରତୀୟ ହୋଇଥାନ୍ତେ ତେବେ ସେ ସର୍ବଶ୍ରେଷ୍ଠ ଖେଳାଳି ହୋଇଥାନ୍ତେ। କିନ୍ତୁ ସେ କୋହଲିଙ୍କ ସହ ସମକକ୍ଷ ହୋଇପାରିନଥାନ୍ତେ  କାରଣ ଇନଷ୍ଟାଗ୍ରାମରେ ତାଙ୍କର ୧୦୦ ମିଲିୟନ୍‌ ଫଲୋୟର୍ସ ନାହାନ୍ତି।

ଜଣେ ବ୍ୟାଟ୍ସମ୍ୟାନ୍‌ ହିସାବରେ କୋହଲିଙ୍କ ସ୍କୋର କୌଣସି ଖେଳାଳିଙ୍କ ଠାରୁ ବହୁତ ଭଲ। କେନ ଓ୍ବିଲିୟମସନଙ୍କ ସହ ତାଙ୍କର ତୁଳନା କରିବା ଉଚିତ ନୁହେଁ ବୋଲି ସଲମାନ କହିଛନ୍ତି। ବଟ ନିଜ ୟୁଟ୍ୟୁବ ଚ୍ୟାନେଲ୍‌ ମାଧ୍ୟମରେ କହିଛନ୍ତି, ‘ ବିରାଟ କୋହଲି ଏମିତି ଏକ ଦେଶରୁ ଆସିଛନ୍ତି ଯେଉଁଠି ଲୋକସଂଖ୍ୟା ଅଧିକ। ତେଣୁ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ଅଧିକ ହେବା ସ୍ବାଭାବିକ। ଏହା ବ୍ୟତୀତ ତାଙ୍କ ପ୍ରଦର୍ଶନ ବହୁତ ଭଲ। ବିରାଟ ୭୦ ଅନ୍ତର୍ଜାତୀୟ ଶତକ ନିଜ ନାଁରେ କରିସାରିଛନ୍ତି। ଏହି ସମୟରେ କୌଣସି ଖେଳାଳି ତାଙ୍କ ପାଖ ମାଡ଼ିନାହାନ୍ତି। ଦୀର୍ଘ ସମୟ ଧରି ବ୍ୟାଟ୍ସମ୍ୟାନ୍‌ ରାଙ୍କିଙ୍ଗରେ କୋହଲି ଭଲ ସ୍ଥାନରେ ରହୁଛନ୍ତି କାରଣ ତାଙ୍କ ପ୍ରଦର୍ଶନ ବହୁତ ଭଲ। ତେଣୁ ମୁଁ ବୁଝିପାରୁନି ତୁଳନା କରିବାର କଣ ଓ କାହଁକି ଆବଶ୍ୟକତା ରହିଛି।’

ଜଣେ ବ୍ୟାଟ୍ସମ୍ୟାନ​‌ ଭାବେ ଭନଙ୍କୁ ଥଟ୍ଟା ମଧ୍ୟ କରିଛନ୍ତି ସଲମାନ। ସେ କହିଛନ୍ତି ଦୁଇ ଜଣଙ୍କ ତୁଳନା କରୁଥିବା ମାଇକେଲ୍‌ ଭନ୍‌ ଇଂଲଣ୍ଡର ଜଣେ ଭଲ ଅଧିନାୟକ ଥିଲେ ଏବଂ ସେ ଜଣେ ଭଲ ଟେଷ୍ଟ ବ୍ୟାଟ୍ସମ୍ୟାନ୍‌‌ ଥିଲେ। କିନ୍ତୁ ଦିନିକିଆରେ ସେ ଗୋଟିଏ ବି ଶତକ ମାରିନାହାନ୍ତି। ଏମିତି କଥା କହିବାର ତାଙ୍କର ଅଭ୍ୟାସ। ଯାହାକୁ ନେଇ ବିବାଦ ଉପୁଜୁଛି। 

ସଲମାନ ବଟ ଆହୁରି କହିଛନ୍ତି, ‘କେନ ଓ୍ବିଲିୟମସନ ମଧ୍ୟ ଜଣେ ଭଲ ଖେଳାଳି। ସେ ଟପ କ୍ଲାସ୍‌ ବ୍ୟାଟ୍ସମ୍ୟାନ ଏବଂ ବିଶ୍ବର ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ଅଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ। କ୍ୟାପ୍ଟେନସିପ୍‌ କ୍ଷେତ୍ରରେ ଓ୍ବିଲିୟମସନ ଭଲ ହୋଇପାରନ୍ତି କିନ୍ତୁ ଭନ ଏହାକୁ ନେଇ ଚର୍ଚ୍ଚା କରିନାହାନ୍ତି।’ ସେ ଆହୁରି ମଧ୍ୟ କହିଛନ୍ତି କୋହଲିଙ୍କ ପ୍ରଦର୍ଶନ ବହୁତ ଭଲ। ସେ ଭାରତକୁ ବହୁଥର ବିଜୟୀ କରିଛନ୍ତି। ଯେବେଠୁ ସେ ଖେଳୁଛନ୍ତି କେହି ଖେଳାଳି ତାଙ୍କ ଭଳି ହୋଇନାହାନ୍ତି। ତେଣୁ ଭନ ଯାହା କହିଛନ୍ତି ତାହା ଭିତ୍ତିହୀନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.