ଖୋଲିବନି ତାଲା, ବାଜିବନି ସ୍କୁଲ ଘଣ୍ଟି: ବନ୍ଦ ହୋଇଯିବ ଉତ୍କଳ ଗୌରବ ମଧୁସୂଦନ ଦାସ ଗଢ଼ିଥିବା ସତ୍ୟଭାମାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ

Published By : Prameya-News7 Bureau | December 02, 2020 IST

ସାଲେପୁର ୦୨/୧୨ : ସରକାର ସ୍କୁଲ ବନ୍ଦ କରିବା ନିଷ୍ପତ୍ତିରେ ଅଟଳ । ହେଲେ ଏହି ନିଷ୍ପତ୍ତି ଯୋଗୁଁ ଏବେ ଅନେକ ଐତିହାସିକ ସ୍କୁଲରେ ମଧ୍ୟ ତାଲା ଝୁଲିବାକୁ ଯାଉଛି । ଯାହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ମଧ୍ୟ ପ୍ରକାଶ ପାଇଛି । କଟକ ସାଲେପୁରର ଏକ ସ୍କୁଲ ଯେଉଁଠି ପଢିଥିଲେ ଉତ୍କଳଗୌରବ ମଧୁସୂଦନ ଦାସ । ସରକାରଙ୍କ ନିଷ୍ପତ୍ତି ଯୋଗୁଁ ଏହି ସ୍କୁଲଟି ମଧ୍ୟ ବନ୍ଦ ହୋଇଯିବ ।

wp:html /wp:html

ଏ ସ୍କୁଲର ତାଲା ଖୋଲିବ ନା ନାହିଁ । ସ୍କୁଲଘଣ୍ଟି ବାଜିବ ନା ନାହିଁ । ପୁଣି ପିଲାଙ୍କ ପ୍ରାର୍ଥନାରେ କ୍ୟାମ୍ପସ କମ୍ପିବ ନା ନାହିଁ । ଏସବୁ ପ୍ରଶ୍ନର ଉତ୍ତର ବୋଧହୁଏ ନା । ହେଲେ ଆଗକୁ ଆଉ ଚାଟ ରହିବେନି କି ପାଠ ବି ଶୁଭିବନି । ଠିକ୍ ଅନୁମାନ କରୁଛନ୍ତି । ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ ନିଜେ ଗଢ଼ିଥିବା ସାଲେପୁର ସତ୍ୟଭାମାପୁରର ସରକାରୀ ପ୍ରାଥମିକ ବିଦ୍ୟାଳୟ । ୧୧୫ ବର୍ଷର ସ୍ମୃତି ବହି ସଗର୍ବେ ଦଣ୍ଡାୟମାନ ହୋଇଥିବା ଏହି ବିଦ୍ୟାଳୟର ପ୍ରତିଟି ଗୋଡ଼ି ମାଟି ଇତିହାସର ମୂକସାକ୍ଷୀ । ହେଲେ ୨୦ରୁ କମ୍‌ ପିଲା ଥିବା ଦର୍ଶାଇ ଏହି ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇସାରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ତେଣୁ ଏଠାରେ ପଢ଼ୁଥିବା ପିଲା ପାଠ ପଢ଼ିବା ପାଇଁ ବହୁ ହଇରାଣ ହେବେ ବୋଲି କହିଛନ୍ତି ।

ସତ୍ୟଭାମାପୁରରେ ଶିକ୍ଷାର ବିକାଶ ପାଇଁ ଦୁଇଟି ବିଦ୍ୟାଳୟ ସ୍ଥାପନ କରାଯାଇଥିଲା । ୧୯୦୫ ମସିହାରେ ସତ୍ୟଭାମାପୁର ବାଳକ ବିଦ୍ୟାଳୟ ଓ ୧୯୧୧ରେ ମଧୁବାବୁଙ୍କ ନାଁରେ ଉତ୍କଳ ଗୌରବ ମଧୁସୂଦନ ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଅନେକ ମଣିଷ ତିଆରି କରିଛି ଏହି ବିଦ୍ୟାଳୟ । ମଧୁବାବୁଙ୍କ ଅନେକ ସ୍ମୃତିର ସାକ୍ଷୀ ଏହି ସ୍କୁଲରେ ଏବେ ମାତ୍ର ୧୬ ଜଣ ପିଲା ପଢ଼ୁଛନ୍ତି । ତେଣୁ ସରକାରୀ ନିଷ୍ପତ୍ତି ଅନୁସାରେ ନିକଟସ୍ଥ ବାଳିକା ବିଦ୍ୟାଳୟରେ ଏହି ସ୍କୁଲର ମିଶ୍ରଣ କରାଯିବ । ତେବେ ସ୍କୁଲକୁ ବନ୍ଦ ନକରିବା ପାଇଁ ସମସ୍ତ ପ୍ରୟାସ କରିବେ କହିଛନ୍ତି ସ୍ଥାନୀୟ ବିଧାୟକ।

ସ୍କୁଲ ବନ୍ଦକୁ ନେଇ ଚାରିଆଡ଼େ ବିରୋଧ ଆଉ ବିଦ୍ରୋହର ସ୍ବର । ସେମିତିରେ ଏସ୍କୁଲ ବନ୍ଦ ହେଲେ ମଧୁବାବୁଙ୍କ ପ୍ରତି ଅପମାନ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.