ଲକଡାଉନ୍ ଓ ଚାଷୀ ଆନ୍ଦୋଳନ ଲାଗି ମଲ ଓ ଷ୍ଟୋର୍ସରେ ବିକ୍ରି ହ୍ରାସ, ପାଣି ହେଲା Year end ସେଲ୍
25/12/2020 at 5:56 PM

ନୂଆଦିଲ୍ଲୀ ୨୫।୧୨: କରୋନା ଭାଇରସ ସଂକ୍ରମଣ ଯୋଗୁ ଦେଶର କେତେକ ସହରରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ ନୂଆବର୍ଷ ବାଣିଜ୍ୟବ୍ୟବସାୟକୁ ଗୁରୁତର ପ୍ରଭାବିତ କରିଛି। ଗତ ଦିପାବଳୀ ବେଳେ ଯେଉଁପରି କାରବାର ହୋଇଥିଲା, ଏଥିରୁ ନୂଆବର୍ଷ ବ୍ୟବସାୟ ଲାଗି ଆଶା ବାନ୍ଧିଥିବା ରିଟେଲରଙ୍କୁ ଏବେ ନିରାଶ ହେବାକୁ ପଡୁଛି। ମୁମ୍ବାଇ, ଗୁଜରାଟ ଓ ପଞ୍ଜାବ ଭଳି ସହରରେ ଚାଷୀ ଆନ୍ଦୋଳନ ଯୋଗୁ ମଲ ଓ ଷ୍ଟୋର୍ସ ବନ୍ଦ ରହିଛି।

ଗତ ଦିପାବଳୀର କିଣାବିକା ଯୋଗୁ ଉତ୍ସାହିତ ବ୍ରାଣ୍ଡସ୍ ଓ ମଲ ଇୟର ଏଣ୍ଡ ସେଲ ୧୦ ଦିନ ଆଗରୁ ଆରମ୍ଭ କରିଦେଇଛନ୍ତି। ତେବେ ନଭେମ୍ବର ତୁଳନାରେ ଡିସେମ୍ବରରେ ବ୍ୟବସାୟ ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଥିବା ଜଣାପଡିଛି। କେବଳ ରିଟେଲରଙ୍କ କାରବାର ୧୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି, ଯାହା ନୂଆ ବର୍ଷ ବେଳକୁ ସୁଧୁରିବାର ମଧ୍ୟ ଆଶା ନାହିଁ।

ତେବେ ଦେଶରେ କୋଭିଡ ସଂକ୍ରମଣରେ ହ୍ରାସ ଦେଖାଦେଇଛି। ହେଲେ ଗତ ଦିପାବଳୀ ଓ ବିବାହ ଋତୁରେ ବଜାରରେ ଫେରିଥିବା ଉତ୍ସାହ ପୁଣି ଫିକା ହୋଇଯାଇଛି। ଗ୍ରାହକଙ୍କ ରେସପନ୍ସ ମିଳୁନଥିବାରୁ ବ୍ୟବସାୟୀମାନେ ୪୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଡିସ୍କାଉଣ୍ଟ ମଧ୍ୟ ଦେଉଛନ୍ତି। ଏହା ସତ୍ତ୍ୱେ ଗ୍ରାହକ ମିଳୁନଥିବା ବ୍ୟବସାୟୀ କହିଛନ୍ତି। ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ ଯୋଗୁ ସମଗ୍ର ଉତ୍ତରଭାରତୀୟ ବଜାରରେ ଏକ ପ୍ରକାର ମାନ୍ଦା ଛାଇ ଯାଇଥିବା ବ୍ୟବସାୟୀ କହିଛନ୍ତି।