କଂଗ୍ରେସରୁ ଇସ୍ତଫା ଦେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

Published By : Prameya-News7 Bureau | March 16, 2019 IST

ଭୁବନେଶ୍ବର ୧୬|୩ :  ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କଂଗ୍ରେସରୁ ଇସ୍ତଫା ଦେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା । କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରକାଶ ବେହେରା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଦେଇଛନ୍ତି । ଦଳରେ ତାଙ୍କୁ ଅଣଦେଖା କରାଯାଇଥିବା ନେଇ ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ତେବେ ଇସ୍ତଫା ଦେବାପରେ ସଦ୍ୟ କଂଗ୍ରେସ ଛାଡିଥିବା ପ୍ରକାଶ ବେହେରା କେଉଁ ଦଳକୁ ଯିବେ ସେନେଇ ସେ କିଛି ସ୍ପଷ୍ଟ କରିନାହାନ୍ତି ।

ସେ ଦୀର୍ଘ ୨୦ ବର୍ଷ ଧରି କଂଗ୍ରେସ ଦଳରେ ରହି ଆସିଥିଲେ। ଗତ ବିଧାନସଭା ନିର୍ବାଚନରେ ସାଲେପୁର ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ଲାଗି ନିର୍ବାଚିତ ହୋଇଥିଲେ । ଆଗରୁ ଝାରସୁଗୁଡା ବିଧାୟକ ନବଦାସ ଏବଂ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ଦଳରୁ ଇସ୍ତଫା ଦେଇଥିବା ବେଳେ ଏବେ ପ୍ରକାଶ ବେହେରା କଂଗ୍ରେସ ଛାଡିଛନ୍ତି ।

ଧିରେ ଧିରେ ରାଜନୀତିର ପାଣି ଗୋଳିଆ ହେବାରେ ଲାଗିଛି । ନିର୍ବାଚନ ଯେମିତି ପାଖେଇ ଆସୁଛି, ଦଳ ଡିଆଁ ରାଜନୀତି ସେତିକି ଜୋର ଧରିଛି । କିଏ କେତେବେଳେ କେଉଁ ଦଳ ଛାଡୁଛି ତ କିଏ କେତେବେଳେ କେଉଁ ଦଳକୁ ଯାଉଛି ତାହା କହିବା ମୁସକିଲ ହୋଇପଡିଛି । ତେବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରକାଶ କେଉଁ ଦଳକୁ ଯିବେ ସେନେଇ ଏବେ ଚର୍ଚ୍ଚା ଜୋର ଧରିଲାଣି ।

ପ୍ରକାଶ ବେହେରା ଦଳ ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ଆର୍ଯ୍ୟ ଜ୍ଞାନେନ୍ଦ୍ର । ସେ କହିଛନ୍ତି ଦଳ ଉପରେ ଏହାର କୌଣସି ପ୍ରଭାବ ପଡିବନାହିଁ ।

{"id":94001,"align":"center","width":459,"height":612}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.