କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଏହି ମାସର ୫ ଦିନ ପୂର୍ବରୁ ସେମାନଙ୍କ ଆକାଉଣ୍ଟରେ ପହଞ୍ଚିବ, କାହିଁକି ଜାଣନ୍ତୁ
22/09/2019 at 7:27 PM

ନୂଆଦିଲ୍ଲୀ୨୨|୯: କେନ୍ଦ୍ର ସରକାରର ଅଧିକାରୀ ଓ କର୍ମଚାରୀଙ୍କ ଦରମା ଚଳିତ ସେପ୍ଟେମ୍ବର ମାସର ୫ ଦିନ ପୂର୍ବରୁ ସେମାନଙ୍କ ଆକାଉଣ୍ଟରେ ପହଞ୍ଚିଯିବ। ଏନେଇ କେନ୍ଦ୍ର ସରକାର ପକ୍ଷରୁ ସବୁ ବିଭାଗକୁ ନିର୍ଦେଶ ଜାରି ହୋଇଛି। ସେପ୍ଟେମ୍ବର ୨୫ ତାରିଖରେ କେନ୍ଦ୍ର ସରକାରଙ୍କ ସବୁ ବର୍ଗର କର୍ମଚାରୀଙ୍କ ଦରମା ସେମାନଙ୍କ ଆକାଉଣ୍ଟରେ ପହଞ୍ଚିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଏଭଳି ପ୍ରଥମଥର ହୋଇଛି। ବ୍ୟାଙ୍କ ବନ୍ଦ ଓ ହରତାଳ ଲାଗି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ସେପ୍ଟେମ୍ବର ୨୬ ଓ ୨୭ ତାରିଖରେ ବ୍ୟାଙ୍କ ୟୁନିୟନ ହରତାଳ କରିବ ବୋଲି ଘୋଷଣା କରିଛନ୍ତି। ସେହିପରି ସେପ୍ଟେମ୍ବର ୨୮ ଓ ୨୯ ତାରିଖରେ ଶନିବାର ଏବଂ ରବିବାର ପଡ଼ୁଛି। ଏହାସହ ସେପ୍ଟେମ୍ବର ୩୦ ତାରିଖରେ କ୍ଲୋଜିଂ ସମୟ ବୋଲି ବ୍ୟାଙ୍କ ୟୁନିୟନ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଶନିବାର ଓ ରବିବାର ବ୍ୟାଙ୍କଗୁଡିକ ଛୁଟି ରହିବ। ଅର୍ଥ ମନ୍ତ୍ରାଳୟର କଣ୍ଟ୍ରୋଲର ଜେନେରାଲ ଅଫ୍ ଆକାଉଣ୍ଟସ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି। କେନ୍ଦ୍ର ସରକାରୀଙ୍କ କର୍ମଚାରୀଙ୍କ ସୁବିଧା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।