ବିଶ୍ବବିଦ୍ୟାଳୟ ଅଧ୍ୟାପକଙ୍କ ଦରମା ବୃଦ୍ଧି

Published By : Prameya-News7 Bureau | September 04, 2019 IST

ଭୁବନେଶ୍ବର ୪।୯: ବିଶ୍ବବିଦ୍ୟାଳୟ ଶିକ୍ଷକଙ୍କ ଦରମା ବୃଦ୍ଧି ପାଇଛି। ଦରମା ବୃଦ୍ଧି ନେଇ ଦୀର୍ଘଦିନରୁ ଦାବି ହୋଇଆସୁଥିଲା । ଫଳରେ ରାଜ୍ୟ ସରକାର ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିସନ ସୁପାରିଶ ଲାଗୁ କରିଛନ୍ତି। ବର୍ଦ୍ଧିତ ଦରମା ୨୦୧୬ ମସିହା ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ କରାଯିବ। ଶିକ୍ଷକମାନଙ୍କର ସର୍ବନିମ୍ନ ୨.୫୭ ଗୁଣ ବୃଦ୍ଧି ହୋଇଛି। ଏହାଦ୍ବାରା ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ରାଜ୍ୟର ୧୫ଟି ବିଶ୍ବବିଦ୍ୟାଳୟର ପାଖାପାଖି ଦୁଇ ହଜାର ଶିକ୍ଷକ ଉପକୃତ ହେବେ।

ଉଚ୍ଚଶିକ୍ଷା ବିଭାଗର ଚିଠି ଅନୁଯାୟୀ ଯେଉଁ ଦିନ ଶିକ୍ଷକମାନେ ବର୍ଦ୍ଧିତ ଦରମା ପାଇବେ ସଙ୍ଗେ ସ‌ଙ୍ଗେ ସେମାନଙ୍କୁ ବକେୟା ଦରମାର ୪୦ ପ୍ରତିଶତ ଅର୍ଥ ଦିଆଯିବ। ଅବଶିଷ୍ଟ ୬୦ ପ୍ରତିଶତ ପରବର୍ତୀ ସରକାରୀ ନିଷ୍ପତ୍ତି ପରେ ପ୍ରଦାନ କରାଯିବ।

ଶିକ୍ଷକଙ୍କର ଦରମା ପ୍ରଦତ୍ତ ପ୍ରଥମ ସିଡ୍ୟୁଲ ଅନୁଯାୟୀ ହେବ। ବର୍ତ୍ତମାନର ‌ପେ’ ବ୍ୟାଣ୍ଡ ଓ ଗ୍ରେଡ୍‌ ପେ’କୁ ବିଚାରକୁ ନିଆଯିବ ଓ ଦରମା ତତ୍‌ସଂଲଗ୍ନ ସେଲ୍‌ ଅନୁଯାୟୀ ନିର୍ଦ୍ଧାରିତ ହେବ। ବର୍ତ୍ତମାନ ଦରମାକୁ ବିଚାରକୁ ନେଇ ନିର୍ଦ୍ଧାରିତ ସେଲ୍‌ରେ ଉଲ୍ଲେଖିତ ଅର୍ଥକୁ ପରିବର୍ତ୍ତିତ ଦରମା ହିସାବରେ ଧରାଯିବ। ଶିକ୍ଷକମାନଙ୍କଠାରୁ ସେମାନଙ୍କ ବାର୍ଷିକ ଇନ୍‌କ୍ରିମେଣ୍ଟ ବାବଦରେ ଅଣ୍ଡରଟେକିଂ ଦେବେ। ସେହି ଅନୁଯାୟୀ ଶିକ୍ଷକଙ୍କର ଇନ୍‌କ୍ରିମେଣ୍ଟ ତାରିଖ ନିରୂପଣ କରାଯିବ।

ବ୍ୟବସ୍ଥା ଅନୁଯାୟୀ କୌଣସି କନିଷ୍ଠ ଶିକ୍ଷକ ସେହି ବର୍ଗର ବରିଷ୍ଠ ଶିକ୍ଷକଙ୍କଠାରୁ ଅଧିକ ଦରମା ପାଉଥିବା ଦେଖାଗଲେ ଷ୍ଟେପ୍‌ଅପ୍‌ ପଦ୍ଧତି ଜରିଆରେ ସମ୍ପୃକ୍ତ ବରିଷ୍ଠ ଶିକ୍ଷକଙ୍କ ଦରମା କନିଷ୍ଠ ଶିକ୍ଷକଙ୍କ ସହ ସମାନ କରାଯିବ ଏବଂ ସମ୍ପୃକ୍ତ ଶିକ୍ଷକଙ୍କର ବରିଷ୍ଠତା ବଜାୟ ରହିବ। ୨୦୧୬ ଜାନୁଆରି ପହିଲା ଓ ତା’ପରଠାରୁ କାର୍ଯ୍ୟରେ ଯୋଗଦେଇଥିବା ଶିକ୍ଷକମାନେ କୌଣସି କାରଣରୁ ନିର୍ଦ୍ଧାରିତ ଦରମାଠାରୁ ଅଧିକ ଦରମା ପାଇଥିଲେ ତାହା ସେମାନଙ୍କଠାରୁ ଫେରାଇ ଅଣାଯିବ।

ସୂଚନାଯୋଗ୍ୟ ଯେ ସପ୍ତମ ବେତନ କମିସନ ଲାଗୁ କରିବା ପାଇଁ ବିଶ୍ବବିଦ୍ୟାଳୟ ଶିକ୍ଷକ ମହାସଂଘ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.