କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ନୂଆ ବର୍ଷରେ ବଢିବ ଦରମା

Published By : Prameya-News7 Bureau | December 19, 2020 IST

ନୂଆଦିଲ୍ଲୀ ୧୯/୧୨ : କେନ୍ଦ୍ର ଲାର୍ମଚାରୀଙ୍କ ପାଇଁ ଖୁସିଖବର। ନୂଆ ବର୍ଷରେ ମୋଦି ସରକାର କେନ୍ଦ୍ର କର୍ମଚାରୀଙ୍କୁ ଉପହାର ଦେବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ, ଡିସେମ୍ବର ଶେଷ ଆଡକୁ ମୋଦି ସରକାର କେନ୍ଦ୍ର କର୍ମଚାରୀଙ୍କ ଦରମା ବୃଦ୍ଧି ଘୋଷଣା କରିପାରନ୍ତି। ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ କେନ୍ଦ୍ର କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇନଥିଲା। ଏପରିକି କର୍ମଚାରୀଙ୍କ ମହଙ୍ଗା ଭତ୍ତା ମଧ୍ୟ ବୃଦ୍ଧି ହୋଇନଥିଲା। କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ଉପରେ ମୋଦି ସରକାର ୨୦୨୧ ଜୁନ ଯାଏଁ ପ୍ରତିବନ୍ଧକ ଲଗାଇଛନ୍ତି। କର୍ମଚାରୀଙ୍କୁ ୨୧ ପ୍ରତିଶତ ବଦଳରେ ୧୭ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଛି।

ପ୍ରତିବର୍ଷ ଜୁଲାଇ ମାସରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ଘୋଷଣା କରାଯାଇଥାଏ। କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ମହଙ୍ଗା ଭତ୍ତା ନ ବଢାଇବାକୁ ମୋଦି ସରକାର ଏପ୍ରିଲ ମାସରେ ଘୋଷଣା କରିଥିଲେ। ତେବେ ମୋଦି ସରକାର ମହଙ୍ଗା ଭତ୍ତା ବଢ଼ାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ଯାହାଦ୍ୱାରା ପାଖାପାଖି ୫୦ ଲକ୍ଷ କେନ୍ଦ୍ର କର୍ମଚାରୀ ଲାଭବାନ ହେବେ ବୋଲି ଆଶା କରାଯାଉଛି। କିନ୍ତୁ ବାସ୍ତବିକ, ଭାରତୀୟ ରେଳବାଇ ଓ ଅରାଜପତ୍ରିତ କର୍ମଚାରୀ (ଗେଜେଟେଡ୍ ଅଫିସର)ଙ୍କ ଦରମା ପାଖାପାଖି ୨୧ ହଜାର ଯାଏଁ ବଢିପାରେ। ଏହାସହ ଭାରତୀୟ ରେଳବାଇର ରାଜପତ୍ରିତ ଓ ଅରାଜପତ୍ରିତ ମେଡିକାଲ ଷ୍ଟାଫଙ୍କୁ ସପ୍ତମ ବେତନ ଆୟୋଗ ସୁପାରିଶ ଅନୁଯାୟୀ ପଦୋନ୍ନତି କରାଯାଇପାରେ।

ଗେଜେଟେଡ୍ ଅଫିସରଙ୍କ ବେତନ ଅତିକମରେ ୫ ହଜାର ବୃଦ୍ଧି କରାଯିବ ବୋଲି ଅନୁମାନ କରାଯାଉଛି। କିନ୍ତୁ ବାସ୍ତବିକ ସପ୍ତମ ବେତନ ଆୟୋଗରେ ଲ୍ୟାବ କର୍ମଚାରୀ, ସ୍ୱାସ୍ଥ୍ୟ ଓ ମ୍ୟାଲେରିଆ ଇନ୍ସପେକ୍ଟର, ଷ୍ଟାଫ ନର୍ସ, ଫିଜିଓଥେରାପିସ୍ଟ ରେଡିଓଗ୍ରାଫର, ଫାର୍ମାସିଷ୍ଟ, ଡାଏଟିସିଆନ ଓ ଫ୍ୟାମିଲି ୱେଲଫେୟାର ଅର୍ଗାନାଇଜେସନର କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇପାରେ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର କର୍ମଚାରୀ ବହୁ ଦିନ ହେଲା ଦାବି କରିଆସୁଛନ୍ତି ଯେ ସେମାନଙ୍କ ମାସିକ ଦରମା ସର୍ବନିମ୍ନ ୨୮ ହଜାର ଟଙ୍କା କରାଯାଉ। କିନ୍ତୁ ସେମାନଙ୍କ ସର୍ବନିମ୍ନ ମାସିକ ଦରମା ୧୬ ହଜାର ଟଙ୍କା। ସପ୍ତମ ବେତନ ଆୟୋଗ ଅନୁସାରେ ବେତନ ବଢିଲେ କର୍ମଚାରୀଙ୍କ ଦାବି ପୁରା ହୋଇଯିବ। ପେନସନଧାରୀ ବର୍ତ୍ତମାନ ୩୫୦୦ ଟଙ୍କା ପାଉଛନ୍ତି। ସପ୍ତମ ବେତନ କମିଶନ ଲାଗୁ ହେବାପରେ ମାସିକ ପେନସନ ଅତିକମରେ ୯ ହଜାର ଟଙ୍କା ମିଳିବ। ତାଛଡା ସେମାନଙ୍କ ଗ୍ରାଚ୍ୟୁଟି ସୀମା ୧୦ ଲକ୍ଷରୁ ୨୦ ଲକ୍ଷ କରାଯାଇପାରେ। ସୂଚନା ଅନୁଯାୟୀ, ଦେଶରେ ପାଖାପାଖି ୬୦ ଲକ୍ଷ ପେନସନଧାରୀ କର୍ମଚାରୀ ଅଛନ୍ତି।

କେନ୍ଦ୍ର ସରକାରଙ୍କ ଏହି ନିୟମ ଆଗାମୀ ୨୦୨୧ ଜାନୁଆରୀ ୧ ତାରିଖରୁ ସାରା ଦେଶରେ ଲାଗୁହେବ। କେନ୍ଦ୍ର ସରକାରଙ୍କ ଅଧିସୂଚନା ଅନୁସାରେ, ଗ୍ରାଚ୍ୟୁଟି ସୀମାରେ ୨୫ ପ୍ରତିଶତ ବୃଦ୍ଧି ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.