କରୋନା ମୁକାବିଲା: ୩୦ ପ୍ରତିଶତ ହ୍ରାସ ପାଇଲା ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ସାଂସଦଙ୍କ ଦରମା, କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

Published By : Prameya-News7 Bureau | April 06, 2020 IST

ନୂଆଦିଲ୍ଲୀ, ୦୬|୦୪:  କରୋନା ଭାଇରସ ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୨ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ନିଷ୍ପତ୍ତି ଅନୁସାରେ, ସାଂସଦଙ୍କ ଦରମା ଗୋଟିଏ ବର୍ଷ ପାଇଁ ୩୦ ପ୍ରତିଶତ ହ୍ରାସ କରାଯାଇଛି । ସେହିପରି ସାଂସଦ ପାଣ୍ଠିକୁ ୨ ବର୍ଷ ଯାଏଁ ବନ୍ଦ କରିଦିଆଯାଇଛି । ଏହି ଫଣ୍ଡର ବ୍ୟବହାର କରୋନା ମୁକାବିଲା ପାଇଁ ବିନିଯୋଗ ହେବ ।

କ୍ୟାବିନେଟ୍ ନିଷ୍ପତ୍ତି ବାବଦରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଯେ, ଗୋଟିଏ ବର୍ଷ ପାଇଁ ସମସ୍ତ ସାଂସଦଙ୍କ ଦରମାରେ ୩୦ ପ୍ରତିଶତ ହ୍ରାସ କରାଯାଇଛି । ଏହାକୁ  କରୋନା ମୁକାବିଲା ପାଇଁ ଖର୍ଚ୍ଚ କରାଯିବ । କ୍ୟାବିନେଟ ନିଷ୍ପତ୍ତି ପରେ ପ୍ରଧାନମନ୍ତ୍ରୀ, ସମସ୍ତ କ୍ୟାବିନେଟ ମନ୍ତ୍ରୀ ଓ ରାଜ୍ୟମନ୍ତ୍ରୀଙ୍କ ଦରମା ୩୦ ପ୍ରତିଶତ ହ୍ରାସ ପାଇଛି।

ଏନେଇ ସରକାର ଆଜି ଅଧ୍ୟାଦେଶ ଜାରି କରିବେ । ଏହା ବ୍ୟତୀତ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ରାଜ୍ୟପାଳ ମଧ୍ୟ ଗୋଟିଏ ବର୍ଷ ଯାଏଁ ସେମାନଙ୍କ ଦରମା ୩୦ ପ୍ରତିଶତ ହ୍ରାସରେ ନେବେ । ତେବେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି ଓ ରାଜ୍ୟପାଳ ଏହି ନିଷ୍ପତ୍ତି ନିଜ ଇଚ୍ଛାନୁସାରେ ନେଇଛନ୍ତି ।

ଜାବଡେକର ଆହୁରି କହିଛନ୍ତି ଯେ, କ୍ୟାବିନେଟରେ ସାଂସଦଙ୍କ ପାଣ୍ଠିଂକୁ ୨ ବର୍ଷ ଯାଏଁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ୨୦୨୦-୨୧ ଓ ୨୦୨୧-୨୨ ପାଇଁ ସାଂସଦ ପାଣ୍ଠି ପ୍ରଦାନ କରାଯିବ ନାହିଁ । ସୂଚନାଯୋଗ୍ୟ, ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ନିଜ ଅଞ୍ଚଳର ବିକାଶ ପାଇଁ ବାର୍ଷିକ ୫ କୋଟି ଟଙ୍କା ମିଳିଥାଏ । ଏପରି ୨ ବର୍ଷର ଫଣ୍ଡ ବନ୍ଦ କରିବା ପରେ ସରକାରଙ୍କ ପାଖରେ ୭୯୦୦ କୋଟି ଟଙ୍କା ଆସିବ । ଏହି ଅର୍ଥ ସରକାରଙ୍କ ଫଣ୍ଡରେ ଜମା ହେବା ସହ କରୋନା ମୁକାବିଲା ଦିଗରେ ଖର୍ଚ୍ଚ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.