ସଜ୍ଜନ୍ କୁମାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା : ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଜାମିନ୍ ଆବେଦନ ଖାରଜ୍

Published By : Prameya-News7 Bureau | May 13, 2020 IST

ନୂଆଦିଲ୍ଲୀ ୧୩/୦୫ : ୧୯୮୪ ଶିଖ ବିରୋଧୀ ଦଙ୍ଗା ସମ୍ବନ୍ଧିତ ମାମଲାରେ ସଜା କାଟୁଥିବା କଂଗ୍ରେସର ପୂର୍ଣ୍ଣତ୍ତନ ନେତା ସଜ୍ଜନ କୁମାରଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟ ଖାରଜ କରିଛନ୍ତି | ସ୍ୱାସ୍ଥ୍ୟ ସମସ୍ୟା ନେଇ ସଜ୍ଜନ କୁମାର ସୁପ୍ରିମକୋର୍ଟରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ | ଚିଫ ଜଷ୍ଟିସ ଏସ ଏ ବୋବଡେ, ଜଷ୍ଟିସ ଇନ୍ଦୁ ମଲହୋତ୍ରା ଏବଂ ଜଷ୍ଟିସ ଋଷିକେଶ ରାୟଙ୍କ ଖଣ୍ଡପୀଠ ଭିଡିଓ କନ୍ଫରେନସିଂ ଜରିଆରେ ଶୁଣାଣି କରିଥିଲେ | ଶୁଶାଣିବେଳେ ସଜ୍ଜନ କୁମାର ମେଡିକାଲ ରିପୋର୍ଟ ଦେଖାଇଥିଲେ | ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ ନାହିଁ ବୋଲି ସେ କହିଥିଲେ | 

ସଜ୍ଜନ କୁମାରଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ଉଚ୍ଚତମ ନ୍ୟାୟାଳୟ ଅସ୍ବୀକାର କରି କହିଥିଲେ ଯେ, କଂଗ୍ରେସର ପୂର୍ବତ୍ତନ ନେତାଙ୍କ ଲଗାତାର ଜାମିନ ଆବେଦନ ଉପରେ ଜୁଲାଇରେ ବିଚାର କରାଯିବ | ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଉଜଣେ ଦୋଷୀ ବଳବାନ ଖୋଖର ମଧ୍ୟ ପେରୋଲରେ ମୁକ୍ତ ହେବାକୁ ଅନୁରୋଧ କରିଥିଲେ | ସିବିଆଇ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟା ଏବଂ କିଛି ଦଙ୍ଗା ପୀଡିତଙ୍କ ତରଫରୁ ବରିଷ୍ଠ ଅଧିବକ୍ତା ଦୁଷ୍ୟନ୍ତ ଦବେ ଜାମିନ ଆବେଦନକୁ ବିରୋଧ କରିଥିଲେ | ଅପରପକ୍ଷରେ ସଜ୍ଜନ କୁମାରଙ୍କ ବରିଷ୍ଠ ଅଧିବକ୍ତା ବିକାଶ ସିଂହ କହିଥିଲେ ଯେ ସଜ୍ଜନ କୁମାରଙ୍କୁ ଜାମିନ ଦେବା ଉଚିତ କାରଣ ଜେଲରେ ଯଦି ତାଙ୍କ ସହ କିଛି ଅଘଟଣ ଘଟେ ତାହେଲେ ଆଜୀବନ କାରାଦଣ୍ଡ ତାଙ୍କ ପାଇଁ ମୃତ୍ୟୁଦଣ୍ଡ ପାଲଟିଯିବ |

{"id":269396,"width":585,"height":347,"sizeSlug":"large"}

ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ୨୦୧୮ ମସିହା ଡିସେମ୍ବର ୧୭ ତାରିଖରେ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ | ୨୦୧୩ ମସିହାରେ ସଜ୍ଜନ କୁମାରଙ୍କ ମାମଲା ତଲୁଆ କୋର୍ଟରୁ ଉଚ୍ଚ ନ୍ୟାୟାଳୟକୁ ହସ୍ତାନ୍ତର କରାଯାଇଥିଲା |

ସଜ୍ଜନ କୁମାର ଓ ବଲଵାନ ଖୋଖର ଦକ୍ଷିଣ ପଶ୍ଚିମ ଦିଲ୍ଲୀର ପାଲମ ଅଞ୍ଚଳ ସ୍ଥିତ ରାଜନଗର ପାର୍ଟ-୧ ରେ ୫ଜଣ ଶିଖଙ୍କ ହତ୍ୟା ଏବଂ ରାଜନଗର ପାର୍ଟ-୨ ରେ ଏକ ଗୁରୁଦ୍ୱାରାରେ ନିଆଁ ଲଗାଇବା ଘଟଣାରେ ସମ୍ବନ୍ଧିତ ମାମଲାରେ ଆଜୀବନ କାରାଦଣ୍ଡ ସଜା କାଟୁଛନ୍ତି | ଘଟଣା ୧୦୮୪ ମସିହା ନଭେମ୍ବର ୧ ଓ ୨ ତାରିଖରେ ଘଟିଥିଲା | ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଶିଖ ବିରୋଧୀ ଦଙ୍ଗା ମୁଣ୍ଡ ଟେକିଥିଲା | ଉଚ୍ଚ ନ୍ୟାୟାଳୟ ଏହି ମାମଲାରେ ଜଡିତ ଥିବା ଅନ୍ୟ ୫ ଜଣ ଦୋଷୀଙ୍କ ସଜା ମଧ୍ୟ ଅପରିବର୍ତ୍ତିତ ରଖିଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.