ସାଇଶ୍ରୀ ହତ୍ୟାକାଣ୍ଡକୁ ୧୦ ଦିନ ପୂରିଲା: ପୋଲିସ୍ କାହିଁକି ଚୁପ୍‌ ?

Published By : Prameya-News7 Bureau | June 12, 2020 IST

ଭୁବନେଶ୍ୱର ୧୨/୦୬: ରାଜୀବନଗରରେ ସାଢ଼େ ୫ ବର୍ଷର ଶିଶୁପୁତ୍ର ସାଇଶ୍ରୀ ପାତ୍ର ହତ୍ୟାକୁ ୧୦ ଦିନ ପୂରିଛି। ହତ୍ୟା ପଛର ରହସ୍ୟ ଜାଣିବାକୁ ରାଜୀବନଗର ବାସିନ୍ଦାଙ୍କ ସମେତ ରାଜଧାନୀବାସୀ ଅପେକ୍ଷା କରି ରହିଛନ୍ତି । ହେଲେ ଏଯାଏଁ ଅଭିଯୁକ୍ତ ତନୁଶ୍ରୀ ପାରମାଣିକଙ୍କୁ ଖଣ୍ଡଗିରି ଥାନା ପୁଲିସ ଜେରା କରିପାରିନି କି ହତ୍ୟାର ରହସ୍ୟ ଫିଟାଇ ପାରିନି ।

ତନୁଶ୍ରୀ ଏବେ ଏମସ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ଅଛନ୍ତି । ସେଠାରେ ଏକ ପୁଲିସ ଟିମ୍‌ ତାଙ୍କୁ ଦିନରାତି ଜଗି ରହୁଛି। ସେ ସୁସ୍ଥ ହୋଇ ନଥିବାରୁ ପୁଲିସ ତାଙ୍କୁ ଜେରା କରିପାରୁନି । ଇତିମଧ୍ୟରେ ପୁଲିସ ଟିମ୍‌ ୫ଥର ହସ୍ପିଟାଲ ଯାଇ ନିରାଶ ହୋଇ ଫେରିଛି । ସେପଟେ ରାଜୀବନଗର ବାସିନ୍ଦା ଅଭିଯୋଗ ଆଣିଛନ୍ତି, ତନୁଶ୍ରୀଙ୍କ ସ୍ୱାମୀ ସୁବାସ ଏମସ୍‌ ହସ୍ପିଟାଲରେ ଟେକ୍ନିସିଆନ୍‌ ଅଛନ୍ତି । ସେ ହସ୍ପିଟାଲର ଜଣେ କର୍ମଚାରୀ ହୋଇଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ଫଳରେ ପୁଲିସର ତଦନ୍ତରେ ବାଧା ହେଉଛି । ପୁଲିସ ଉତ୍ତର ରଖିଛି, ଅଭିଯୁକ୍ତଙ୍କୁ ଜେରା ପାଇଁ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଅନୁମତି ଦେଉନାହାନ୍ତି । ତେଣୁ ତଦନ୍ତ ଆଗେଇ ପାରୁନି ।

ସୂଚନା ମୁତାବକ, ଘଟଣା ଦିନ ସୁବାସ ହତ୍ୟାସ୍ଥଳରୁ ସଂଜ୍ଞାହୀନ ଅବସ୍ଥାରେ ତନୁଶ୍ରୀଙ୍କୁ ଉଦ୍ଧାର କରି ତରବରିଆ ଭାବେ ଏମସ୍‌ ହସ୍ପିଟାଲ ନେଇଥିଲେ । ସେଠାରେ ତନୁଶ୍ରୀଙ୍କୁ ସିଧା ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ପରଦିନ ତାଙ୍କର ଚେତା ଫେରିଥିଲା । କିନ୍ତୁ ପୁଣି ବେହୋସ୍‌ ହୋଇ ଯାଇଥିଲେ । ପରେ ଚେତା ଫେରିବା ପରେ ସେ ବାଉଳି ହେଉଥିବା ଡାକ୍ତରଙ୍କ ଠାରୁ ସୂଚନା ମିଳିଥିଲା । ଏହାପରେ ପୁଲିସ୍‌ ୩ଥର ହସ୍ପିଟାଲ୍‌କୁ ଯାଇଛି। ତନୁଶ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରି ନଥିବା ଡାକ୍ତରଙ୍କଠାରୁ ଶୁଣିବା ପରେ ନିରାଶ ହୋଇ ଫେରିବାକୁ ପଡି଼ଛି। ତନୁଶ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବା ପରେ ଗତ ୮ ତାରିଖରେ ତାଙ୍କୁ ଆଇସିୟୁରୁ ମାନସିକ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ତନୁଶ୍ରୀଙ୍କୁ ଜେରା କରିବା ଆଶାରେ ପୁଲିସ ୨ ଥର ହସ୍ପିଟାଲରେ ପହଞ୍ଚିଛି । କିନ୍ତୁ ତନୁଶ୍ରୀଙ୍କ ମାନସିକ ସ୍ଥିତି ଖରାପ ଥିବା ଡାକ୍ତରଙ୍କ ଠାରୁ ଶୁଣି ପୁଣି ଖାଲି ହାତରେ ଫେରିଛି ।

ହତ୍ୟାସ୍ଥଳରେ କ’ଣ ଘଟିଥିଲା, ଏନେଇ ତନୁଶ୍ରୀଙ୍କ କୁନି ଝିଅଠୁ ପୁଲିସ କିଛି ସୁରାକ ପାଇଛି । ଝିଅକୁ ପଚରାଉଚରା ପରେ ସଡନ୍‌ ପ୍ରୋଭକେସନ (ହଠାତ୍‌ ଉତ୍‌କ୍ଷିପ୍ତ ହେବା) ଯୋଗୁଁ ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପୁଲିସ୍‌ ସନ୍ଦେହ କରୁଛି । ମାତ୍ର ତନୁଶ୍ରୀଙ୍କ ୪ ବର୍ଷୀୟ ଝିଅଙ୍କ ବୟାନ ଆଇନଗତ ଦୃଷ୍ଟିରୁ କୋର୍ଟରେ ଗ୍ରହଣୀୟ ନୁହେଁ ବୋଲି ପୁଲିସ ଏହାକୁ ଗୁରୁତ୍ୱ ଦେଉନି । ଡାକ୍ତରଙ୍କ ସହମତି ପରେ ତନୁଶ୍ରୀଙ୍କୁ ଜେରା କରିବାକୁ ପୁଲିସ ଅପେକ୍ଷା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.