ଷ୍ଟାର୍ ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହୱାଲ୍ ଦ୍ୱିତୀୟଥର ପାଇଁ ହେଲେ କରୋନା ପଜିଟିଭ୍: ଖେଳିବେନି ଥାଇଲ୍ୟାଣ୍ଡ ଓପନ୍

Published By : Prameya-News7 Bureau | January 12, 2021 IST

ନୂଆଦିଲ୍ଲୀ ୧୨/୦୧ : ଭାରତର ଷ୍ଟାର୍ ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହୱାଲ୍ କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ମହାମାରୀ ଯୋଗୁଁ ଅନ୍ତରାଷ୍ଟ୍ରୀୟ କ୍ୟାଲେଣ୍ଡର ବହୁ ଦିନ ଧରି ପ୍ରଭାବିତ ହୋଇଛି। ସାଇନା ନେହୱାଲ୍ ବର୍ତ୍ତମାନ ୟୋନେକ୍ସ ଥାଇଲାଣ୍ଡ ଓପନ ସୁପର ୧୦୦୦ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁ ଯାଉଥିଲେ। ଏହି ଟୁର୍ନାମେଣ୍ଟ ଜାନୁଆରୀ ୧୨ ରୁ ୧୭ ତାରିଖ ଯାଏଁ ହେବାର ଥିଲା। କିନ୍ତୁ ଏବେ ସାଇନା ନେହୱାଲ ଖେଳିଲା ଭଳି ଜଣାପଡ଼ୁନାହିଁ।

ଏହା ପୂର୍ବରୁ ଲଣ୍ଡନ ଅଲମ୍ପିକ୍ ୨୦୧୨ର କାଂସ୍ୟ ପଦକ ବିଜେତା ବିଡବ୍ଲୁଏଫ ଦ୍ୱାରା କୋଭିଡ-୧୯ ପ୍ରୋଟୋକଲ୍ ଅନୁଯାୟୀ ଜାରି ହୋଇଥିବା ପ୍ରତିବନ୍ଧକ ଉପରେ କ୍ରୋଧ ବ୍ୟକ୍ତି କରି ସାଇନା ନେହୱାଲ ଟ୍ୱିଟ କରିଥିଲେ। ଟ୍ୱିଟ୍ କରି ସେ କହିଥିଲେ, "ଯାଞ୍ଚରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିବା ସତ୍ତ୍ୱେ ଫିଜିଓଥେରାପିଷ୍ଟ ଓ ପ୍ରଶିକ୍ଷକ ଆମ ପାଖକୁ ଆସୁନାହାନ୍ତି। ଆମେ ୪ ସପ୍ତାହ ଯାଏଁ ନିଜକୁ କିଭଳି ଫିଟ୍ ରଖିବୁ। ଆମେ ଭଲ ସ୍ଥିତିରେ ଟୁର୍ନାମେଣ୍ଟ ଖେଳିବାକୁ ଚାହୁଁଛୁ। ଦୟାକରି ଏହାର କିଛି ସମାଧାନ ବାହାର କରନ୍ତୁ।"

ଭାରତ ଦଳ BWF ୱାର୍ଲ୍ଡ ଟୁର୍ ଫାଇନାଲର ଦୁଇଟି ସୁପର୍ ୧୦୦୦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଥାଇଲ୍ୟାଣ୍ଡ ରାଜଧାନୀରେ ଅଛନ୍ତି। ସାଇନା ଆଉ ଏକ ଟ୍ୱିଟରେ ଲେଖିଛନ୍ତି, "ଆମକୁମେ ୱାର୍ମଅପ୍/ କୁଲ ଡାଉନ୍/ ଷ୍ଟ୍ରେଚିଙ୍ଗ୍ ପାଇଁ ସମୟ ଦିଆଯାଉନାହିଁ। ଆମେ ଏଠାରେ ବିଶ୍ୱର ସର୍ବଶ୍ରେଷ୍ଠ ଖେଳାଳିଙ୍କ ସହ ଖେଳିବୁ। ଫିଜିଓଥେରାପିଷ୍ଟ ଓ ପ୍ରଶିକ୍ଷକଙ୍କୁ ଏଠାକୁ ଆଣିବାକୁ ଆମେ ବହୁତ ଖର୍ଚ୍ଚ କରିଛୁ। ତଥାପି ଯଦି ସେମାନେ ଆମକୁ ସାହାଯ୍ୟ କରିବେନି ତାହେଲେ ଆମକୁ ଏସବୁ ପୂର୍ବରୁ କାହିଁକି କୁହାଯାଇନଥିଲା।"

ସୂଚନା ଅନୁଯାୟୀ, ସାଇନା ଦ୍ୱିତୀୟଥର ପାଇଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମାତ୍ର ସପ୍ତାହେ ପୂର୍ବରୁ ସେ କରୋନାରୁ ସୁସ୍ଥ ହୋଇଥିଲେ। ସୋମବାର ଦିନ ତାଙ୍କର କରୋନା ଯାଞ୍ଚ ରିପୋର୍ଟ ପୁଣି ପଜିଟିଭ ଆସିବା ପରେ ତାଙ୍କୁ ଟୁର୍ନାମେଣ୍ଟରୁ ବାହାର କରାଯାଇଛି। ରିପୋର୍ଟ ପଜିଟିଭ ଆସିବା ପରେ ସାଇନାଙ୍କୁ ହସ୍ପିଟାଲରେ କ୍ଵାରେଣ୍ଟାଇନ ହେବାକୁ କୁହାଯାଇଥିଲା। ସୂତ୍ର ଅନୁଯାୟୀ, ଆଉ ଜଣେ ଭାରତୀୟ ଖେଳାଳି ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କିନ୍ତୁ ତାଙ୍କ ପରିଚୟ ଖୁଲାସା କରାଯାଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.