‘ଜନତା କର୍ଫ୍ୟୁ’ ସମର୍ଥନରେ ଶାହିନ ବାଗରୁ ହଟିଲେ ମହିଳା, ସାଙ୍କେତିକ ଧାରଣାରେ ବିକ୍ଷୋଭକାରୀଙ୍କ ଜୋତା ଓ ଚପଲ
22/03/2020 at 1:54 PM

ନୂଆଦିଲ୍ଲୀ ୨୨।୩: ବିଶ୍ୱର ବିଭିନ୍ନ ଦେଶରେ ଆତଙ୍କ ଖେଳାଇଥିବା କରୋନା ସଂକ୍ରମଣ ଏବେ ଭାରତରେ ମଧ୍ୟ ବ୍ୟାପିବାରେ ଲାଗିଛି। ଦେଶରେ କରୋନା ପଜେଟିଭଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ରବିବାର ଗୋଟିଏ ଦିନ ଜନତା କର୍ଫ୍ୟୁ ପାଳନ ଲାଗି ଦେଶବାସୀଙ୍କୁ ନିବେଦନ କରିଛନ୍ତି। ସେହି ଅନୁସାରେ ୨୨ ମାର୍ଚ୍ଚ ରବିବାର ଦେଶରେ ଲୋକେ ସ୍ୱେଚ୍ଛାକୃତ କର୍ଫ୍ୟୁ ପାଳନ କରୁଥିବା ବେଳେ ଏଥିରେ ସାହିନ ବାଗର ମହିଳାମାନେ ମଧ୍ୟ ନିଜକୁ ସାମିଲ କରିଛନ୍ତି।

ତେବେ ଶାହିନ ବାଗ୍ କରୋନା ଭୟରେ ନୁହେଁ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଲାଗି ରବିବାର ଗୋଟିଏ ଦିନ ଧାରଣା ସ୍ଥଳରେ ଏକତ୍ରିତ ହୋଇ ନାହାନ୍ତି। ତେବେ ସାଂକେତିକ ଧାରଣା ଜାରି ରହିଛି। ପ୍ରତିବାଦ ସ୍ଥଳରେ ଲୋକେ ସେମାନଙ୍କ ଜୋତା ଓ ଚପଲ ଛାଡିଯାଇଛନ୍ତି। ଏଠାରେ ଗତ ୧୦୦ ଦିନ ହେଲା ସରକାରଙ୍କ ନାଗରିକ ସଂଶୋଧିତ ଆଇନ (ସିଏଏ), ଜାତୀୟ ନାଗରିକ ରେଜିଷ୍ଚ୍ରାର (ଏନଆରସି) ଓ ପପୁଲେସନ ରେଜିଷ୍ଚ୍ରାର (ଏନପିଆର)କୁ ବିରୋଧ କରୁଛନ୍ତି।

ବିକ୍ଷୋଭସ୍ଥଳରେ ପ୍ରଦର୍ଶନକାରୀ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରବେଶ ନିଷେଧ ପ୍ଲାକାର୍ଡ ଲଗାଇଥିବା ବେଳେ ରାତି ୯ଟା ପରେ ଆନ୍ଦୋଳନସ୍ଥଳକୁ ଆସିବାକୁ ପରାମର୍ଶ ଦିଆଯାଇଛି। ତେବେ କରୋନା ସଂକ୍ରମଣ ଜନିତ ପରିସ୍ଥିତିରେ ସରକାରଙ୍କ ନୀତିନିୟମ ଉପରେ ବିକ୍ଷୋଭକାରୀ ସମ୍ପୂର୍ଣ୍ଣ ଗୁରୁତ୍ୱ ଦେଉଥିବା କହିଛନ୍ତି। ବିକ୍ଷୋଭ ସ୍ଥଳରେ ୫ ଜଣରୁ ଅଧିକ ଲୋକଙ୍କୁ ଯିବା ଲାଗି ଅନୁମତି ଦିଆଯାଉନି। ମାସ୍କ ଓ ସାନିଟାଇଜରର ବ୍ୟବହାର ହେଉଛି। ଭିଡକୁ ଏକତ୍ରିତ ହେବାକୁ ଦିଆଯାଉନଥିବା ବେଳେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଥିବା ଜନୈକ ବିକ୍ଷୋଭକାରୀ ଡା.ଖୁସନୁର କହିଛନ୍ତି।